
‘ଉଦୟବଟ’ ତରଫରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳନ
ବ୍ୟାସନଗର,୦୨/୦୫: ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ‘ଉଦୟବଟ’ ତରଫରୁ ୧୪୦ତମ ‘ଆର୍ନ୍ତଜାତିକ ଶ୍ରମିକ ଦିବସ’ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ଶ୍ରମ ବିଭାଗର ପଦାଧିକାରୀ ନିତ୍ୟାନନ୍ଦ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ‘ସିଟୁ’ର ଯାଜପୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ମୁଖ୍ୟ ବକ୍ତା ଭାବେ ଏବଂ ଝାଡ଼େଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ସକାଶେ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ପାଳନ ଉପରେ ସେମାନେ ଗୁରୁତ୍ୱ ପ୍ରଦାନ କରିଥିବା ବେଳେ ଶ୍ରମିକମାନେ ନିଜ ହକ ହାସଲ ପାଇଁ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟୁତ୍ପ୍ରଭା ରାୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯାଜପୁର ଜିଲ୍ଲା, କଳିଙ୍ଗନଗର ଶିଳ୍ପାଂଚଳ ସମେତ ବ୍ୟାସନଗର ସହରରର ବିଭିନ୍ନ ବସ୍ତି ଅଂଚଳରେ ବସବାସ କରୁଥିବା ଶ୍ରମିକମାନେ ଭୋଗୁଥିବା ବିଭିନ୍ନ ସମସ୍ୟାୠୁଡିକ ଉପରେ ସେମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଏଥିସହ ବକ୍ତାମାନେ ଦୀର୍ଘ ବର୍ଷ ଧରି କିପରି ଶ୍ରମିକମାନେ ସରକାର, କଳକାରଖାନା ଓ ମାଲିକମାନଙ୍କ ବିଭିନ୍ନ ଶୋଷଣ ଓ କାଳକ୍ଷେପଣ ନୀତି ଯୋଗୁ ନିଷ୍ପେଷିତ ଓ ଅବହେଳିତ ହୋଇ ଆସୁଥିବା ବେଳେ ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ସେମାନେ ବଂଚିତ ହେଉଛନ୍ତି ସେସବୁ ବିଷୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ସମାଜସେବୀ ସନାତନ ପାତ୍ର, ଶରତ କୁମାର ବିଶ୍ୱାଳ, ଯୁବ ନେତା ଅରୁଣ ଦାସ, ଗୁଡି ସୂତାର, ସୁମନ୍ତ ରାଉତ, ରାହାସ ବିହାରୀ ପଣ୍ଡିତ, ଡ଼ା. ବିଭାସ କର୍ମକାର, ପ୍ରଫୁଲ୍ଲ ବାରିକ, ପ୍ରୀତିପାଲ ସିଂହ, ଦୁଷ୍ମନ୍ତ ମଳିକ, ହରୀଶ ଜେନା, ହରଦୟାଲ ସିଂହ, ତିଳୋତମା ମହାନ୍ତି, ଦମୟନ୍ତି ବଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରମିକ ନେତା ଅରୁଣ କୁମାର ଦାସ, ସାନ୍ତନୁ ମଳିକ, ଅଭିମନ୍ୟୁ ବିଶ୍ୱାଳ ଏବଂ ଶିକ୍ଷାବିତ୍ ତଥା ସମାଜସେବୀ ଭାଗିରଥି ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶ୍ରମିକ ନେତା ଜଗନ୍ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।