
ପାଣିକୋଇଲି ଜବାହାର ନବୋଦ୍ୟୟ ବିଦ୍ୟାଳୟରେ ଯାଜପୁର ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ବନ ଦିବସ ପାଳିତ
ପାଣିକୋଇଲି, ୨୧/୩ (ଉ.ନ୍ୟୁଜ୍ ବ୍ୟୁରୋ): ମାର୍ଚ୍ଚ ୨୧ ତାରିଖ ‘ଆର୍ନ୍ତଜାତିକ ବନ ଦିବସ’ ଅବସରରେ କଟକ ବନଖଣ୍ଡ ଅଧିକାରୀ ପି. ଅର୍ଥନାରୀଙ୍କ ପରାମର୍ଶକ୍ରମେ ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ପି ଏମ ଶ୍ରୀ ସ୍କୁଲ, ଜବାହାର ନବୋଦ୍ୟୟ ବିଦ୍ୟାଳୟ ଠାରେ ଆଜି ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାସ୍ତରୀୟ ‘ବିଶ୍ୱ ବନ ଦିବସ’ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଦୀକ୍ଷାଜ୍ୟୋତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ବନଖଣ୍ଡର ଏ.ସି.ଏଫ ସନ୍ତୋଷ କୁମାର ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କଳା ଶିକ୍ଷକ ଶେଷଦେବ ନାଥଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ‘ଉଦୟବଟ’ର ସଂପାଦକ ତଥା ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଟମକା ବନାଂଚଳ ଅଧିକାରୀ ଅଜିତ୍ କୁମାର ଦଳାଇ ପ୍ରମୁଖ ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ସହ ବୃକ୍ଷରୋପଣକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ । ଚଳିତ ବର୍ଷର ଅନୁଚିନ୍ତା ଜଂଗଲ ଓ ଖାଦ୍ୟକୁ ପାଥେୟ କରି ବିଭିନ୍ନ ସ୍ତରରେ, ସମୂହ ତଥା ବ୍ୟକ୍ତିଗତ ଉଦ୍ୟମରେ ନୂତନ ଜଂଗଲ ସୃଷ୍ଟିକରି ବିଶ୍ୱରେ ଖାଦ୍ୟ ସନ୍ତୁଳନରେ ସହାୟକ ଭୂମିକା ନିଭାଇବା ପାଇଁ ଅତିଥିମାନେ ନିବେଦନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପତି ଆଗାମୀ ସମୟରେ ହେବାକୁ ଥିବା ଅମ୍ଳଜାନ ଓ ପିଇବା ପାଣିର ଉତ୍କଟ ସମସ୍ୟା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ରାଉତ ବିଭିନ୍ନ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ସାଧୂ ଉପାୟରେ ପରିଶ୍ରମ କରିବା ସହ ଜାତୀୟତା ଭାବରେ ଉଦ୍ବୁଦ୍ଧ ହୋଇ ଜୀବନର ସବୁକ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକୃତି ବଂଚିଲେ ଆମେ ବଂଚିବା ଲକ୍ଷ୍ୟରେ ଅଗ୍ରସର ହୋଇ ଆମେ ସମସ୍ତେ ନିଜ ଜୀବନ କାଳରେ ମଧ୍ୟରେ ଅତିକମରେ ଗୋଟିଏ ଲେଖାଏ ବୃକ୍ଷରୋପଣ କରି ତା’ର ଯତ୍ନ ନେବାକୁ ସେ ନିବେଦନ କରିଥିଲେ କାରଣ ବିଷମୟ ପରିସ୍ଥିତିରୁ ଉଦ୍ଧାର ପାଇଁ ବୃକ୍ଷ ହିଁ ଏକମାତ୍ର ବିକଳ୍ପ । ସମ୍ମାନିତ ଅତିଥି ଶ୍ରୀ ଦଳାଇ ଅବକ୍ଷୟମୁଖି ପରିବେଶ ପାଇଁ ଜଂଗଲ ହାନି ମୁଖ୍ୟ କାରଣ ବୋଲି ଦର୍ଶାଇବା ସହ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ପାଇଁ ମତବ୍ୟକ୍ତ କରିଥିଲେ । ଏହି ସଚେତନତାଭିତିକ ଆଲୋଚନାଚକ୍ରର ପ୍ରାରମ୍ଭରେ ଜବାହାର ନବୋଦ୍ୟୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅରୁଣ କୁମାର ଦାଶ ସ୍ୱାଗତ ସମ୍ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶ୍ରୀଯୁକ୍ତ ଦାଶ ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ବନ ଦିବସ ଉପଲକ୍ଷେ ଏଠାରେ ଅନୁଷ୍ଠିତ ବକ୍ତୃତା ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଅଙ୍କିତା ରଣା ଅଧିକାରୀ (୧ମ), ଅନନ୍ୟା ରାୟ (୨ୟ) ଏବଂ ପି. ବିଶ୍ୱଜୀତା (୩ୟ)ଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ୧ମ ସ୍ଥାନ ହାସଲ କରିଥିବା ଓମ୍ ପ୍ରକାଶ ପାଢ଼ୀ, ୨ୟ ସ୍ଥାନରେ ଥିବା କ୍ଷୀରାଦ୍ଦୀ ତନୟା ପାଢ଼ୀ ଏବଂ ୩ୟ ସ୍ଥାନ ହାସଲ କରି ଥିବା ଅନିୟ୍ୟୁଷ ସାହୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଯାଜପୁରରୋଡ଼ ବନପାଳ(ଫରେଷ୍ଟର) ନିଲୀମା ପ୍ରିୟଦର୍ଶୀନି ନାୟକ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ନିଭାଇଥିବା ବେଳେ ଫରେଷ୍ଟର ମନିକା ମୁଣ୍ଡା, ବନ କର୍ମଚାରୀ ମନୋରମା ହୋତା, ସାବିତ୍ରୀ ଦାସ, ସ୍ୱରୂପ ନାୟକ, ଜବାହାର ନବୋଦ୍ୟୟ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ମହାରଣା, ବରିଷ୍ଠ ଶିକ୍ଷୟତ୍ରୀ କୁହେଲି ବୋଷ, ସୁଦର୍ଶନ ମିଶ୍ର, ସଂଜୟ କୁମାର ସାହୁ, ସଂଜୟ କୁମାର ମହାପାତ୍ର, ବିଭା ଯାଦବ ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଶେଷରେ ଟମକା ବନ ରକ୍ଷୀ ଅମାତୁଲ ସକୂଲ ଅର୍ପଣ କରିଥିଲେ ।