
ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ପାଇଁ ବୁଲିଲା ସଚେତନତା ରଥ ଓ ପଦଯାତ୍ରା
ବ୍ୟାସନଗର, ୦୪/୦୪(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁରରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସମସ୍ତ ବ୍ୟବସାୟିକ ଏବଂ ଅନ୍ୟାନ ପ୍ରତିଷ୍ଠାନରେ ଆମ ମାତୃଭାଷା ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ ଥିବାରୁ ଏହାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆଜି ଶୁକ୍ରବାର ସକାଳେ ଏକ ସଚେତନତା ରଥ ବ୍ୟାସନଗର ପୈାର ପରିଷଦ କାର୍ଯ୍ୟାଳୟରୁ ବାହାରି ଥିଲା । ଏହାକୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଶ୍ରମ ବିଭାଗର ଯୁଗ୍ମ କମିଶନର ଶିବଶଙ୍କର ମିଶ୍ର, ଡିଭିଜିନାଲ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ରଥ ସହିତ ଏକ ବିରାଟ ପଦଯାତ୍ରା ସହର ପରିକ୍ରମା କରି ଶେଷରେ ସ୍ଥାନୀୟ କୋର୍ଟ ଛକରେ ଥିବା ଶ୍ରମ କାର୍ଯ୍ୟାଳୟରେ ପହଚିଂ ଥିଲା । ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ ସୁଜିତ କୁମାର ସାହୁ, ସହକାରୀ ଶ୍ରମ ଅଧିକାରୀ ସଂଜିତ୍ କୁମାର ଦେଓ, ସୁନନ୍ଦା ବିଶ୍ୱାଳ, ରଚ୍ଚନା ସେଠୀ, ସୈାମ୍ୟ ସୁନ୍ଦର ରାଉତରାୟ, ସ୍ମୃତି ରଂଜନ ପଣ୍ଡା, ସୈାମ୍ୟ ରଂଜନ ବେହେରାଙ୍କ ସହ ବିଭାଗୀୟ କର୍ମଚାରୀ ମହେଶ କୁମାର ସୁନାନୀ, ନାରାୟଣ ନନ୍ଦ, ସନ୍ତୋଷ କୁମାର ସାହୁ, ପ୍ରକାଶ ଜେନା, ଗୋଲଖ ମୁଖି ଏବଂ ବହୁ ଶ୍ରମିକ ନେତା ଯଥା- ‘ସିଟୁ’ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସନାତନ ଦାସ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ପରମାନନ୍ଦ ସେଠୀ, ପ୍ରଦୀପ ନାୟକ, ଅରୁଣ ଦାସ, ଅଭିମନ୍ୟୁ ବିଶ୍ୱାଳ, ଜୟଦେବ ମହାରଣା, ଦୁଷ୍ମନ୍ତ ମଲ୍ଲିକ ପ୍ରମୁଖ ସାମିଲ ହୋଇ ଓଡିଆରେ ନାମଫଳକ ଲେଖିବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ଅଧିକ ସଚେତନତା ପାଇଁ ଓଡିଆରେ ଲେଖାଥିବା ପ୍ରଚାର ପତ୍ର ପାଶ୍ୱବର୍ତି ଦେକାନ ମାଲିକମାନଙ୍କୁ ବଂଟନ କରିଥିଲେ । ଆଦୈା ଓଡ଼ିଆରେ ନାମ ଫଳକ ନ ଲେଖିଥିବା ସ୍ଥାନୀୟ ଷ୍ଟେସନ ବଜାରର ଏକ ପୁରୁଣା ଜଳଖିଆ ଦୋକାନ ସମେତ ମେନ ରୋଡ଼ର କେତେକ ଦୋକାନ ମାଲିକକୁ ଅଧିକାରୀମାନେ ତାଗିଦ କରିଥିଲେ । ବହୁତ ଦୋକାନୀ ଇଂରାଜୀରେ ବଡ ବଡ ଅକ୍ଷରରେ ନାମ ଫଳକ ଲେଖିଥିବା ବେଳେ ଅତି ଛୋଟ ଅକ୍ଷରରେ ଏପରିକି ଦୃଷ୍ଟି ଆଢ଼ୁଆଳରେ ଓଡ଼ିଆରେ ଲେଖିଛନ୍ତି, ଯାହା ଓଡ଼ିଆ ଅସ୍ମିତା ପ୍ରତି ଚରମ ଅବହେଳା ଓ ଅସମ୍ମାନ ବୋଲି କୁହାଯାଇପାରେ । ପାଖାପାଖି ୩୦ଟି ମାମଲା ଏ ସଂକ୍ରାନ୍ତରେ ରୁଜ୍ଜୁ ହୋଇଥିବା ଯୁଗ୍ମ କମିଶନର ଶ୍ରୀଯୁକ୍ତ ମିଶ୍ର କହିଛନ୍ତି । ନିୟମ ମାନି ବ୍ୟବସାୟିକ ଓ ଅନ୍ୟ ପ୍ରତିଷ୍ଠାନମାନେ ଓଡ଼ିଆରେ ନାମଫଳକ ନ ଲେଖିଲେ ବିଭାଗ ଆଗକୁ କଠୋର ପଦକ୍ଷେପ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେଥି ଶ୍ରମ ବିଭାଗ ତରଫରୁ ଓଡ଼ିଆ ଅସ୍ମିତା ଆଭିମୁଖ୍ୟକୁ ବ୍ୟାପକ କରିବା ପାଇଁ ଏପ୍ରିଲ-୦୧ ପବିତ୍ର ‘ଉତ୍କଳ ଦିବସ’ରୁ ଓଡ଼ିଆ ନବ ବର୍ଷ ‘ପଣା ସଂକ୍ରାନ୍ତି’ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଓ ପଦଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସଂପାଦନ କରିବା ପାଇଁ ସ୍ଥାନୀୟ ପୋଲିସ ସହଯୋଗ କରିଥିଲା ।