ପୋଲିସ ଦମନଲୀଳା : ଥାନା ଅଧିକାରୀଙ୍କ ବାପା ହାଜତରେ ପଶି ମାଡମାରି ମୁଣ୍ଡ ଫଟାଇଦେଲେ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ନିବେଦନ

ଯାଜପୁର ; ୦୭/୦୩ (ନି ପ୍ର ) :  ଥାନା ଅଧିକାରୀ ହେବାର ଅହଂକାରରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତର ଅସୁସ୍ଥ ତଳିଆ ପୋଲିସ କର୍ମଚାରୀଙ୍କୁ ମାଡ ମାରି ଥିବା ଘଟଣା ସାମ୍ନାକୁ ଆସିଛି। ଏତିକିରେ ଅହଂକାରରୁ ସୃଷ୍ଟି ହୋଇଥିବା ଆକ୍ରୋଶର ଶେଷ ହେଲା ନାହିଁ । ଥାନା ହାଜତରେ ପଶି ଥାନା ଅଧିକାରୀଙ୍କ ବାପା ଗିରଫ କର୍ମଚାରୀଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଲେ । ଗିରଫ ବ୍ୟକ୍ତିଙ୍କୁ ତାଙ୍କ ପରିବାରବର୍ଗଙ୍କୁ ଦେଖା କରାଇ ଦେଲେ ନାହିଁ । ଏପରିକି ଉକ୍ତ ପରିବାର ତରଫରୁ ଦିଆଯାଇ ଥିବା ଏତଲାକୁ ବି ରଖାଗଲା ନାହିଁ । ନିଜ ଆତ୍ମରକ୍ଷା ପାଇଁ ସେହି କର୍ମଚାରୀଙ୍କ ସହ ତାଙ୍କର ବୁଢୀ ମାଆ ଓ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ । ଇଂରେଜ ଅମଳର ପୋଲିସ ତରଫରୁ ଏଭଳି ଅମାନବିକତା ଆଶା କରାଯାଉ ନଥିଲେ ମଧ୍ୟ ଯାଜପୁର ଜିଲ୍ଲାର ସୁକିନ୍ଦା ଥାନାରେ ଘଟିଥିବା ଏହି ଘଟଣା ଏବେ ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିବା ବେଳେ ଏଥିନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅଭିଯୋଗରୁ ପ୍ରକାଶ, ଗତ ୨ ତାରିଖ ଦିନ ସୁକିନ୍ଦା ଥାନାରେ କାର୍ଯ୍ୟରତ ପୋଲିସ ଡ୍ରାଇଭର ସୁକୁମାର ସ୍ୱାଇଁ ପୂର୍ବାହ୍ନରେ ନିଜ କାର୍ଯ୍ୟରେ ଥିବା ସମୟରେ ଅସୁସ୍ଥ ହୋଇ ପଡିବାରୁ ଥାନା ଅଧିକାରୀଙ୍କୁ ଛୁଟି ମାଗିଥିଲେ ମଧ୍ୟ ଥାନା ଅଧିକାରୀ ଛୁଟି ଦେଲେନାହିଁ । ହେଲେ ତାଙ୍କର ଅବସ୍ଥା ଅଧିକ ଖରାପ ହେବାରୁ ସେ ନିକଟସ୍ଥ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିଲେ । ତେବେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଡାକ୍ତରଖାନାରେ ଆଡମିଶନ କରାଯିବା ସହ ସାଲାଇନ ଲଗା ଯାଇଥିଲା । ହେଲେ ଛୁଟି ନଦେବାର ଜିଦରେ ଥିବା ସୁକିନ୍ଦା ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ପାଇଁ ଏହା ଅସହ୍ୟ ହୋଇ ପଡିଥିଲା । ଏଥିପାଇଁ ସୁକିନ୍ଦା ଥାନା ଅଧିକାରୀ ପୋଲିସ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହ ଫୋନରେ ଯୋଗଯୋଗ କରି ଖବର ନନେଇ କିମ୍ବା ଡାକ୍ତରଙ୍କୁ ସାକ୍ଷାତ ନକରି ଡାକ୍ତରଖାନାକୁ ଯାଇ ସୁକୁମାରଙ୍କୁ ଅତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ସେଠାରେ ଉପସ୍ଥିତ ଥିବା ସୁକୁମାରଙ୍କ ଦୁଇଭାଇ ଏବଂ ମାଆଙ୍କୁ ଗଳା ଧକ୍କା ଦେଇ ଥାନା ଅଧିକାରୀ ଡାକ୍ତରଖାନା କୋଠରୀରୁ ବାହାର କରି ଦେଇଥିଲେ । ଏପରିକି ସୁକୁମାରଙ୍କ ସହ ତାଙ୍କର ଦୁଇ ଭାଇଙ୍କ ମୋବାଇଲ ଏବଂ ଦୁଇଟି ମୋଟର ସାଇକେଲ ମଧ୍ୟ ପୋଲିସ ନେଇ ଯାଇଥିଲେ । ଏହାପରେ ସୁକୁମାର ଏବଂ ତାଙ୍କର ବୁଢୀ ମାଆ, ଦୁଇ ଭାଇଙ୍କୁ ଗିରଫ କରି ଥାନା ହାଜତକୁ ନେଇଥିଲେ । ପୋଲିସର ଅତ୍ୟାଚାର ନେଇ ସୁକୁମାରଙ୍କ ଭାଇ ସୁକିନ୍ଦା ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଏତଲା ଗ୍ରହଣ କରି ନଥିଲେ । ଏହାପରେ ଯାଜପୁର ଏସ.ପିଙ୍କୁ ଏଥିନେଇ ଲିଖିତ ଅଭିଯୋଗ କରାଯାଇ ଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଶେଷକୁ ହାଜତରେ ଥାନା ଅଧିକାରୀଙ୍କ ବାପା ପଂଚାନନ ବେହେରା ଥାନା ହାଜତରେ ଥିବା ସୁକୁମାରଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବାର ଗୁରତର ଅଭିଯୋଗ ସୁକୁମାରଙ୍କ ପତ୍ନୀ ନିବେଦିତା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନ ଚଲାଇଥିବା ଧର୍ମଶାଳାର ବି.ଜେ.ଡି ନେତା ତଥା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ସତୀଶ ବିଶ୍ୱାଳଙ୍କୁ ସୁକୁମାରଙ୍କ ପରିବାରବର୍ଗ, ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତି ଏବଂ କନେଷ୍ଟବଳ ହାବିଲାଦାର ସଂଘ ଓ ହାବିଲଦାଲ କନେଷ୍ଟବଳ ସିପାହୀ ସଂଘର କର୍ମକର୍ତ୍ତାମାନେ ଭେଟି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ସତୀଶଙ୍କ ଜରିଆରେ ନିବେଦିତା ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ନିବେଦିତା ଅଭିଯୋଗ କରିଛନ୍ତି ଯେ, କୌଣସି ରୋଗଗ୍ରସ୍ତ ଶଯ୍ୟାଶାୟୀ ବ୍ୟକ୍ତି କେବେ ବି ଉଚ୍ଚ ଅଧିକାରୀଙ୍କୁ ଆକ୍ରମଣ କରି ନପାରେ । ଥାନା ଅଧିକାରୀଙ୍କ ଡାକ୍ତରଖାନାକୁ ଯିବାର ଆବଶ୍ୟକତା ନଥିଲା । ସେ କାର୍ଯ୍ୟରେ ନଥିଲେ ଉଚ୍ଚ ଅଧିକାରୀ ଭାବେ ତାଙ୍କୁ କାରଣ ଦର୍ଶାଅ ନୋଟିସ କରି ପାରିଥାନ୍ତେ କିମ୍ବା ଡାକ୍ତରଖାନାର ଡାକ୍ତରଙ୍କ ସହ କଥା ହୋଇ ରିପୋର୍ଟ ନେଇ ପାରିଥାନ୍ତେ । ଏତେକଥା ପରେ ବି ଆମର ଏତଲା ରଖା ନଯିବା ହିଁ ଥାନା ଅଧିକାରୀ ନିଜର କ୍ଷମତାର ଦୁରୁପଯୋଗ କରୁଥିବାର ସ୍ପଷ୍ଟ ହେଉଛି । ଥାନାରେ ମୋର ସ୍ୱାମୀଙ୍କୁ ଥାନା ଅଧିକାରୀଙ୍କ ବାପା ମାଡ ମାରି ମୁଣ୍ଡ ଫଟାଇଛନ୍ତି କି ନାହିଁ ଏହାର ସତ୍ୟତା କେବଳ ସି ସି ଟି ଭି ଫୁଟେଜରୁ ଜଣା ପଡିବ । ସେହିପରି ମୋର ସ୍ୱାମୀ ଚିକିତ୍ସିତ ହେଉଥିବା ୱାର୍ଡରେ କଣ ଘଟିଛି, ତାହା ମଧ୍ୟ ଏହି ୱାର୍ଡରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀଙ୍କ ସାକ୍ଷୀରୁ ଜଣା ପଡିବ । ଆମ ମୁଖ୍ୟମନ୍ତ୍ରୀ ମହିଳାଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ମୋର ବୁଢୀ ଶାଶୁ କି ଅପରାଧ କରିଥିବେ ଯେ, ତାଙ୍କୁ କୋର୍ଟ ଚାଲାଣ କରାଗଲା ବୋଲି ଅଭିଯୋଗ କରିଛନ୍ତି । ଏଥିନେଇ ସତୀଶ କହିଛନ୍ତି ଯେ, ଆମ ସରକାର ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାରୀକୁ ସମ୍ମାନ ଦେବାରେ ବିଶ୍ୱାସ କରେ । ପୋଲିସ ଲୋକାଭିମୁଖୀ ହେବା ନେଇ ମୁଖ୍ୟମନ୍ତ୍ରୀ ସର୍ବଦା ପରାମର୍ଶ ଦେଇଛନ୍ତି । ଅଭିଯୋଗ ସତ୍ୟ ହୋଇଥିଲେ ଅତ୍ୟନ୍ତ ସାଂଘାତିକ । ଏଥିନେଇ ଆମ ସରକାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅପର ପକ୍ଷରେ ଥାନା ଅଧିକାରୀ ତାଙ୍କ ଉପରେ ହୋଇଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ପୋଲିସକୁ ଆକ୍ରମଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close