୯୨ ବର୍ଷ ବୟସରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ
ମୁମ୍ବାଇ ; ୦୬/୦୨ (ବ୍ୟୁରୋ ) : ଚିର ନିଦ୍ରାରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୁମ୍ବାଇର ବ୍ରିଚ୍ କ୍ୟା୍ଡି ହସ୍ପିଟାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଆସୁଥିଲେ ଲତା ।ଆଜି ସକାଳ ୮ଟା ୧୨ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସୂଚନାନୁଯାୟୀ ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସକର୍ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଆଇସିୟୁରେ ତାଙ୍କୁ ରଖାଯାଇଥିଲା । ସେ ସମୟରେ ତାଙ୍କର କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଇଥିଲା । ହେଲେ ପରେ ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କର ଅବନତି ଘଟିଥିଲା । ଲତା ଦିଦିଙ୍କ ଦେହାନ୍ତ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଛି । ତାଙ୍କ ସ୍ୱରରୁ ଫୁଟୁଥିବା ଯାଦୁକରୀ ଗୀତ ଆଉ କାନରେ ବାଜିବ ନାହିଁ । ଆଜିଠାରୁ କୋକିଳକଣ୍ଠୀ ସଙ୍ଗୀତ ଗାନ ଶୁଭିବ ନାହିଁ । ଲତା ମଙ୍ଗେସକରଙ୍କ ଦେହାନ୍ତ ଖବର ପାଇଁ ପ୍ରଥମେ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ୍ ଠାକେର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଦେଶ ଆଜି ଗୋଟେ ଉଜ୍ୱଳ ତାରକା ହରାଇଛି । ଭାରତୀୟ ସଂଗୀତ ଜଗତରେ ତାଙ୍କ ଅବଦାନ ଅତୁଳନୀୟ । ୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଜନ୍ମ ହୋଇଥିଲେ ଲତା ମଙ୍ଗେଶକର। ତାଙ୍କ ବାପାଙ୍କ ନାଁ ଥିଲା ଦୀନାନାଥ ମଙ୍ଗେଶକର ଓ ମା’ଙ୍କ ନାଁ ଥିଲା ସେବନ୍ତୀ। ଦୀନାନାଥ ମଙ୍ଗେଶକର ଜଣେ ଗାୟକ ଓ ଥିଏଟର ଅଭିନେତା ଥିଲେ। ଜନ୍ମବେଳେ ଲତାଙ୍କ ନାଁ ଥିଲା ହେମା। ପରେ ତାଙ୍କ ବାପାମା’ ତାଙ୍କ ନାଁ ଲତା ରଖିଥିଲେ। ଦୀନାନାଥଙ୍କ ଏକ ନାଟକର ଏକ ମହିଳା ଚରିତ୍ର ଲତିକା ଆଧାରରେ ଏହି ନାଁ ଦିଆଯାଇଥିଲା। ଲତା ଥିଲେ ତାଙ୍କ ବାପାମା’ଙ୍କ ଜ୍ୟେଷ୍ଠ ସନ୍ତାନ। ମୀନା ଖଡ଼ିକର, ଆଶା ଭୋସଲେ, ଉଷା ମଙ୍ଗେଶକର ଓ ହୃଦୟନାଥ ମଙ୍ଗେଶକର ହେଉଛନ୍ତି ଲତାଙ୍କ ଭଉଣୀ ଓ ଭାଇ। ଆଉ ଏମାନେ ସମସ୍ତେ ମଧ୍ୟ ଗାୟକ। ସଂଗୀତ ଶିକ୍ଷାରେ ଲତାଙ୍କ ପ୍ରଥମ ଗୁରୁ ଥିଲେ ତାଙ୍କ ବାପା। ସେ କଥା କହିବା ଶିଖିବା ପରେ ପରେ ତାଙ୍କ ବାପା ତାଙ୍କୁ ଗୀତ ଶିଖାଇଥିଲେ। ମାତ୍ର ୫ ବର୍ଷ ବୟସରେ ଲତା ମଙ୍ଗେଶକର ତାଙ୍କ ବାପାଙ୍କ ଏକ ମରାଠୀ ଗୀତିନାଟ୍ୟରେ ଅଭିନୟ କରିଥିଲେ। ଲତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା ସେତେବେଳେ ଦୀନାନାଥ ମଙ୍ଗେଶକରଙ୍କ ପରଲୋକ ହୋଇଯାଇଥିଲା। ନାଇଟେଙ୍ଗଲ ଅଫ୍ ଇଣ୍ଡିଆ’ ଭାବରେ ଜଣାଶୁଣା ଲତା ୧୯୪୨ରେ ପିତା ପଣ୍ଡିତ ଦୀନାନାଥ ମଙ୍ଗେସ୍କରଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ। ୧୯୪୨ରେ ଲତା ମରାଠୀ ଫିଲ୍ମ ‘କିତି ହସାଲ’ ପାଇଁ ଏକ ଗୀତ ଗାଇଥିଲେ। ୧୯୪୫ରେ ଲତା ମୁମ୍ବାଇ (ତତ୍କାଳୀନ ବମ୍ବେ) ଚାଲି ଆସିଥିଲେ। କାରଣ ବିନାୟକଙ୍କ ଫିଲ୍ମ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇକୁ ସ୍ଥାନାନ୍ତର ହୋଇଥିଲା। ମୁମ୍ବାଇ ଆସିବା ପରେ ଭିଣ୍ଡିବଜାର ଘରାନାର ଉସ୍ତାଦ ଅମନ ଅଲୀ ଖାନଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ ଲତା। ୧୯୪୬ରେ ସେ ହିନ୍ଦୀ ଫିଲ୍ମ ‘ଆପ୍ କି ସେବା ମେଁ’ରେ ଏକ ଗୀତ ଗାଇଥିଲେ। ୧୯୪୫ରେ ବିନାୟକଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ‘ବଡ଼ି ମା’ରେ ଲତା ଓ ଆଶା ଛୋଟ ଚରିତ୍ରରେ ଅଭିନୟ କରିଥିଲେ। ସେହି ଫିଲ୍ମରେ ଲତା ଏକ ଭଜନ ‘ମା’ ତେରେ ଚରୋଣ ମେଁ’ ଗାଇଥିଲେ। ୧୯୪୮ରେ ବିନାୟକଙ୍କ ମୃତ୍ୟୁ ପରେ ଲତାଙ୍କୁ ଗାୟିକା ଭାବେ କ୍ୟାରିୟର ଗଢ଼ିବା ପାଇଁ ଗାଇଡ୍ କରିଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର। ୧୯୪୮ରେ ଲତାଙ୍କୁ ମିଳିଥିବା ବଡ଼ ବ୍ରେକ୍। ତାଙ୍କୁ ଏହି ସୁଯୋଗ ଦେଇଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର। ହିଟ୍ ଫିଲ୍ମ ‘ମଜବୁର’ର ଗୀତ ‘ଦିଲ୍ ମେରା ତୋଡ଼ା, ମୁଝେ କହିଁ କା ନା ଛୋଡ଼ା’ ଗାଇଥିଲେ ସେ। ଲତା ଉଭୟ ହିନ୍ଦୀ ଓ ମରାଠୀରେ ଗୀତ ଗାଉଥିଲେ। ସେ ଏକ ହଜାରରୁ ଅଧିକ ହିନ୍ଦୀ ଫିଲ୍ମରେ ଗୀତ ଗାଇଛନ୍ତି। ହିନ୍ଦୀ ଓ ମରାଠୀ ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ବି ସେ ଗୀତ ଗାଇଛନ୍ତି।ଲତା ମଙ୍ଗେଶକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା। ତାଙ୍କୁ ଫିଲ୍ମ ଫେୟାର ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା।୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା।ସଙ୍ଗୀତ ଜଗତରେ ତାଙ୍କର ଅବଦାନ ଅପୁରଣୀୟ ହୋଇ ରହିବ।