ଆନନ୍ଦପୁର ବୈତରଣୀ ଜଳସଂପଦ ଅଧିକ୍ଷଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ, ୧୦ଲକ୍ଷରୁ ଉର୍ଦ୍ଧ ଜବତ; ୨ ପ୍ରଦୂଷଣ ବୋର୍ଡ ଅଧିକାରୀ ଗିରଫ

ଯାଜପୁର/ଭୁବନେଶ୍ୱର,୦୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଦୁର୍ନିତିଗ୍ରସ୍ତ ଅଧିକାରୀ, ଯନ୍ତ୍ରୀ ଆଦିମାନେ ଡାଳେ ଡାଳେ ଗଲେ ଭିଜିଲାନ୍ସ ପତ୍ରେ ପତ୍ରେ ଯାଉଛି । ଏକଥା ବୁଝିବା ପୂର୍ବରୁ କେଉଁଝର ଜିଲ୍ଲା ଆନନ୍ଦପୁରର ଶାଳପଡ଼ା ଠାରେ ଥିବା ବୈତରଣୀ ଜଳସଂପଦ ସର୍କଲର ଅଧିକ୍ଷଣ ଯନ୍ତ୍ରୀ (ଏସ.ଇ) ବିଧାନ ଚନ୍ଦ୍ର ସାହୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଥିଲେ । ଗତ କାଲି ରାତ୍ରୀରୁ ଇଂ. ସାହୁଙ୍କୁ ଧରିବା ପାଇଁ ହୋଇଥିଲା ଯୋଜନା । ଲକ୍ଷ ଲକ୍ଷ ବେଆଇନ ଟଙ୍କା କଟକ ସ୍ଥିତ ନିଜ ଘରକୁ ନେଇ ରଖିବାକୁ ଠିକ୍ କରିଥିଲେ ଇଂ. ସାହୁ । ମାତ୍ର ଭିଜିଲାନ୍ସ ବିଭାଗକୁ ଏକଥା ଆଗୁଆ ଜଣାଇ ଦିଆଯାଇଥିଲା । ସୂଚନାପ୍ରଦାନକାରୀ (ଇନଫରମର) ସଠିକ ଭାବରେ ତାଙ୍କ ଉପରେ ନଜର ରଖିବା ସହ ସେ ଏକକାଳୀନ କଟକ ଭିଜିଲାନ୍ସ ଏସ.ପି ଅକ୍ଷୟ କୁମାର ମିଶ୍ର, ବାଲେଶ୍ୱର ଭିଜିଲାନ୍ସ ଏସ.ପି ନରହରି ନାୟକ, କଟକ ସ୍ଥିତ ଭିଜିଲାନ୍ସ ମୁଖ୍ୟାଳୟର ସେଲ ଏସ.ପି ଏମ. ଋାଧାକ୍ରିଷ୍ଣନ୍‌ଙ୍କୁ ଘଟଣା ସଂର୍ପକରେ ଜଣାଇଥିଲେ । ଫଳତଃ ଗତ କାଲି ଠାରୁ ୦୩ଟି ଟିମ ଗଠିତ ହୋଇ ଟଙ୍କା ନେବା ବାଟରେ ରଙ୍ଗହାତି ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ପୂର୍ବ ପ୍ରସ୍ତୁତି ରଚିଥିଲା । ଆଜି ସକାଳୁ ଏକ ବଲୋରୋ ଗାଡିରେ ବ୍ୟାଗରେ ଟଙ୍କା ନେଇ ଇଂ. ସାହୁ ଆନନ୍ଦପୁରରୁ ବାହାରି ଥିବା ବେଳେ ଭିଜିଲାନ୍ସ ସ୍କ୍ୱାଡ ତାଙ୍କର ପିଛା କରିଥିଲେ । ଯାଜପୁର ଜିଲ୍ଲାର ପାଣିକୋଇଲି, କୁଆଖିଆରେ ଛକରେ ମଧ୍ୟ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ସାଧା ପୋଷାକରେ ମହଜୁଦ ଥିଲେ । ତାଙ୍କୁ କେହି ପିଛା କରୁଥିବାର ତାଙ୍କର ସନ୍ଦେହ ହେବାରୁ ସେ ଯାତ୍ରାର ଦିଗ ବଦଳାଇ କୁଆଖିଆରୁ ଯାଜପୁର ଟାଉନ ରାସ୍ତାରେ ଯାଉଥିଲେ । ଯାଜପୁର ଟାଉନରେ କେହି ଠିକାଦାର/ଠିକା ସଂସ୍ଥା କୁଆଡେ ତାଙ୍କୁ ଉକୋôଚ ଦେବାର ଥିଲା । ମାତ୍ର ତାଙ୍କ ସହ ତାଙ୍କର ଭେଟ ହୋଇ ନ ଥିଲା । ଭିଜିଲାନ୍ସ ବିଭାଗକୁ ସେ ୩୦ ଲକ୍ଷ ଟଙ୍କା ନେଉଥିବାର ଆଗୁଆ ସୂଚନା ଥିଲା । ବାଟରେ ଏନ.ସି କଲେଜ ପାଖ ‘ଗୁପ୍ତା ଟ୍ରେର୍ଡସ’ ପାଖ ଏକ ଦୋକାନକୁ ଇଂ. ସାହୁ ଟଙ୍କା ବ୍ୟାଗ ସହ ଯାଇଥିଲେ । ଭିଜିଲାନ୍ସ ବିଭାଗ ସନ୍ଦେହରେ ପଡିଯାଇଥିଲେ । ଯଦି ସେ ଦୋକାନରେ ଟଙ୍କା ରଖି ଦେଇ ଆସିବେ ତେବେ ଯୋଜନା ପଣ୍ଡ ହେବ! ହେଲେ ସେ ପୁଣି ବ୍ୟାଗ ସହ ଗାଡିରେ ବସିଥିଲେ । ସେ ଯାଜପୁର ଟାଉନର ତାଙ୍କର ଜଣେ ସାଂଗ ଘରକୁ ଆସିଥିବାର ଭିଜିଲାନ୍ସ ବିଭାଗକୁ କହିଥିବାର ଜଣାଯାଇଥିଲେ ହେଁ ଅଧିକ ଟଙ୍କା ସଂଗ୍ରହ କିମ୍ବା ଟଙ୍କା ରଖିବା ତାଙ୍କର ଯୋଜନା ହୋଇପାରେ ବୋଲି ଭିଜିଲାନ୍ସ ବିଭାଗ ସନ୍ଦେହ କରୁଥିବାର ଜଣାଯାଇଛି । ମାତ୍ର ଏସବୁର ଛାନଭିନ କରୁଥିଲେ ଯାଜପୁରର ଭିଜିଲାନ୍ସ ଡି.ଏସ.ପି ସୁଶୀଳ କୁମାର ଏକ୍କା ଓ ତାଙ୍କର ଟିମ । ଶ୍ରୀଯୁକ୍ତ ଏକ୍କାଙ୍କ ଯୋଜନାରେ ଶେଷରେ ତାଙ୍କ ଚତୁରତାର ଅବସାନ ଘଟିଥିଲା । ସକାଳ ୦୭ଟାରୁ ଦିନ ୦୨ଟା ପର୍ଯ୍ୟନ୍ତ ଭୋକରେ ଶ୍ରୀଯୁକ୍ତ ଏକ୍କାଙ୍କ ନେତୃତ୍ୱରେ ଜଗି ରଡିଥିବା ଭିଜିଲାନ୍ସ ଟିମ୍ ଶେଷରେ ସ୍ଥାନୀୟ ଏନ୍‌.ସି କଲେଜ ପାଖରେ ତାଙ୍କ ଗାଡିକୁ ଅଟକାଇ ଯାଂଚ କଲା ପରେ ତାଙ୍କ ଗାଡିରେ ଥିବା ବ୍ୟାଗରୁ ୧୦ ଲକ୍ଷ ୦୫ ହଜାର ଟଙ୍କା ଓ ପକେଟରୁ ୨୨୦୦ ଟଙ୍କା ଜବତ କରିଥିଲେ । ମୋଟ ୧୦ଲକ୍ଷ ୦୭ ହଜାର ୨୦୦ ନଗଦ ଟଙ୍କାକୁ ବେଆଇନ ଭାବେ ଅର୍ଜ୍ଜନ କରି ସଂଗରେ ନେଉଥିବା ବେଳେ ତାହା ଜବତ ହୋଇଥିଲା । ଏତେ ପରିମାଣର ଟଙ୍କା ସାଙ୍ଗରେ ନେଇ ଜଣେ ବରିଷ୍ଠ ଯନ୍ତ୍ରୀ ଯାଉଥିବା ଓ ଏହାକୁ ରଂଗହାତି ଧରିବା ଭିଜିଲାନ୍ସ ବିଭାଗ ପାଇଁ ଏକ ବଡ଼ ସଫଳତା ଓ ତାହା ପୁଣି ଯାଜପୁର ଟାଉନରେ ହୋଇଥିବାରୁ ଚର୍ଚ୍ଚା ଢ଼େର ବଢ଼ିଯାଇଛି । ଏହାର ଶ୍ରେୟ କଟକ ଭିଜିଲାନ୍ସ ଏସ.ପି ଶ୍ରୀ ମିଶ୍ର ଓ ଯାଜପୁରର ଡି.ଏସ.ପି ଶ୍ରୀ ଏକ୍କାଙ୍କୁ ଦିଆଯାଇପାରେ । ଶ୍ରୀ ଏକ୍କାଙ୍କ ସହ ଯାଜପୁରର ଇନିସ୍‌ପେକ୍ଟର ଅନସୂୟା ସେନାପତି, କଟକର ଇନିସ୍‌ପେକ୍ଟର ବିଜୟ କୁମାର ଓରାମ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ । ତାଙ୍କୁ ଯାଜପୁରର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚୁରା କରାଯାଇଥିଲା । କଟକ ଏସ.ପି ଶ୍ରୀ ମିଶ୍ର ମଧ୍ୟ ଘଟଣାସ୍ଥଳୀକୁ ଆସିଥିଲେ । ଇଂ. ସାହୁଙ୍କୁ ଅଧିକ ପଚରା ଉଚୁରା ସହ ତାଙ୍କ ଠାରୁ ଆଉ ଅଧିକ କଳା ସଂପତିର ଠାବ କରିବା ପାଇଁ କଟକର ମହତାବନଗର ସ୍ଥିତ ତାଙ୍କ ବାସଭବନକୁ ତାଙ୍କୁ ନିଆଯାଇଛି । ଅଦ୍ୟାବଧି ଅଧିକ ତଦନ୍ତ ଚାଲୁ ରହିଛି । ତାଙ୍କୁ ଗିରଫ କରାଯାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ତଦନ୍ତ ଚାଲିଛି । କଟକ ସ୍ଥିତ ଘର ଓ ଶାଳପଡ଼ା ସ୍ଥିତ ତାଙ୍କ ଅଫିସରେ ଯାଂଚ ଚାଲିଛି । ପୂଜା ପୂର୍ବରୁ ଠିକାଦାରଙ୍କ ଠାରୁ ପି.ସି ସଂଗ୍ରହ ସହ, ମିଥ୍ୟା ବିଲ ପୈଠ କରାଇ ଅଧିକ ପି.ସି ନେବା, ବାଲି ମାଫିଆ ଆଦିଙ୍କ ଠାରୁ ମୋଟା ଅଙ୍କର ଉକୋôଚ ସଂଗ୍ରହ କାରବାର ଆଦିର ଅଭିଯୋଗ ବୈତରଣୀ ଜଳସଂପଦ ଡିଭିଜନ ଓ ସର୍କଲ ଉପରେ ଥିଲା । ଅଧିକାଂଶ ଯନ୍ତ୍ରୀ ଏବେ ପୂଜା ସିଜିନରେ ଠିକାଦାରଙ୍କ ଠାରୁ ପି.ସି ଆଦାୟ କରି ମାଲେମାଲ ହେବାକୁ ଯୋଜନା ଚଳାଇଥିବା ବେଳେ ଆଜିର ଏହି ଚଢ଼ଉ ବହୁ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କ ମଧ୍ୟରେ ଛନକା ଖେଳାଇ ଦେଇଛି । କରୋନା ସମୟରେ ସବୁଠୁ ବେଶି ଦୁର୍ନୀତି ହୋଇଛି ବୋଲି କୁହାଯାଉଛି । କାମଦାମ ନ କରି ମଧ୍ୟ କେତେକଙ୍କୁ ବିଲ ପୈଠ ହେଉଛି । ଠିକାଦାରଙ୍କୁ ସହଯୋଗ କରି ବେଶି ପରିମାଣର ପି.ସି ଆଦାୟ କରାଯାଉଛି । ଖାଲି ଜଳସଂପସ ବିଭାଗ ନୁହେଁ, ବରଂ ପୂର୍ତ, ଆର.ଡି, ଆର.ଡ.ବ୍ଲ୍ୟ.ଏସ.ଏସ, ଜଂଗଲ ଆଦି ବହୁ ବିଭାଗରେ ଦୁର୍ନୀତି ଏବେ ଚରମ ସୀମାରେ ପହଂଚିଛି । ଏହା ଉପରେ ଚଢ଼ଉ ଯୋରଦାର ହେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।
           କଟକ ଭିଜିଲାନ୍ସ ବିଭାଗକୁ ଆଜି ଶନିବାର ୦୨ଟି ସଫଳତା ମିଲିଥିଲା । ଏହି ଘଟଣା ଛଡ଼ା କଟକର ଟାଙ୍ଗୀ ନିକଟରେ ବାଲେଶ୍ୱରର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନରୋତମ ବେହେରା ବିଭିନ୍ନ ସଂସ୍ଥା ଠାରୁ ଉକୋôଚ ଟଙ୍କା ସଂଗ୍ରହ କରି ଇନୋଭା କାରରେ ଭୁବନେଶ୍ୱର ସ୍ଥିତ ଘରକୁ ନେଇ ଫେରୁଥିବା ବେଳେ ଟାଙ୍ଗୀ ଗେଟ୍ ନିକଟରେ ପୂର୍ବ ଯୋଜନା ଅନୁଯାୟୀ ମହଜୁଦ ଥିବା କଟକ ଭିଜିଲାନ୍ସ ଡିଭିଜନର ଡି.ଏସ୍‌.ପି ଏସ.ଏନ ରାୟଗୁରୁ, ଇନିସ୍‌ପେକ୍ଟର ଜ୍ୟୋତି ଶଙ୍କର ସାହୁ, ଅନଗୁଳର ଇନିସ୍‌ପେକ୍ଟର ପ୍ରଦୀପ କୁମାର ସାମଲ ପ୍ରମୁଖ ତାଙ୍କ ଗାଡିକୁ ଅଟକାଇ ତାଙ୍କ ନିକଟରୁ ନଗଦ ୮୯ ହଜାର ୨୯୦ ଟଙ୍କା ଜବତ କରିଥିଲେ । ଏହି ଟଙ୍କା କେଉଁଠୁ ଆଣିଲେ ସେ ତା’ର ସନ୍ତୋଷଜନକ ଉତର ଭିଜିଲାନ୍ସ ଟିମ୍‌କୁ ଦେଇ ପାରି ନ ଥିଲେ ବରଂ ବିଭିନ୍ନ ବାହାନା କରିଥିଲେ । ଶେଷରେ ଭିଜିଲାନ୍ସ ବିଭାଗ ତାଙ୍କ ନାମରେ ଆୟ ବର୍ହିଭୂତ ଟଙ୍କା ଅର୍ଜ୍ଜନ କରି ନେଉଥିବା ଅଭିଯୋଗରେ ତାଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରିଥିଲେ । ଏଥିସହ ବାଲେଶ୍ୱର ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱରର ସତ୍ୟନଗର ସ୍ଥିତ ତାଙ୍କ ବାସଭବନରେ ଏକା ସଂଗରେ ଚଢ଼ଉ କରାଯାଇ ଯାଂଚ ଅବ୍ୟାହତ ରହିଛି ।
         ପୁନଶ୍ଚ, ଆଜି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏସ. ପି ଆର. ପ୍ରକାଶଙ୍କ ତତ୍ୱାବଧାନରେ ଆଉ ଜଣେ ପ୍ରଦୂଷଣ ବୋର୍ଡ ଅଧିକାରୀଙ୍କ ଠାରୁ ନଗଦ ୧ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି । ସୂଚନାଯୋଗ୍ୟ, ରାଉଲକେଲାର ପାନପୋଷ ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପ୍ରକାଶ କୁମାର ମହାପାତ୍ର ବେଆଇନ ଭାବେ ଅର୍ଥ ସଂଗ୍ରହ କରି କାର ଯୋଗେ ରାଉଲକେଲାରୁ ଭୁବନେଶ୍ୱର ଘରକୁ ଫେରୁଥିଲେ । ଖବର ପାଇ ଭିଜିଲାନ୍ସ ବିଭାଗ ଅଧା ବାଟରେ ତାଙ୍କୁ ଜଗି ରହିଥିଲା । ପୂର୍ବ ଯୋଜନା ମୁତାବକ ତାଙ୍କ ଗାଡି ସେହି ରାସ୍ତାରେ ଆସିବା ମାତ୍ରେ ଭିଜିଲାନ୍ସ ଟିମ୍ ତାଙ୍କ ଗାଡିକୁ ଅଟକ ରଖି ଚଢ଼ଉ କରି ବେଆଇନ ଭାବେ ସଂଗରେ ନେଉଥିବା ୧.୭୫ ଲକ୍ଷ ଟଙ୍କା ଜବତ କରିଥିଲେ । ଏହି ଟଙ୍କା କେଉଁଠୁ ଆଣିଲେ ତା’ର ସନ୍ତୋଷଜନକ ଉତର ସେ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲେ । ତାଙ୍କର ରାଉଲକେଲା, ପାନପୋଷ ସ୍ଥିତ ଅଫିସ ଓ ଭୁବନେଶ୍ୱରର ସୁନ୍ଦରପଦା ସ୍ଥିତ ଘରେ ଚଢ଼ଉ କରାଯାଇଛି । ଆନନ୍ତାକାଲି ଏହି ୦୩ ଜଣ ଦୁର୍ନୀତି ପରାୟଣ ଉଚ୍ଚ ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯିବାର ଶୁଣାଯାଉଛି । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଗୋଟିଏ ଦିନରେ କଟକ ଭିଜିଲାନ୍ସ ଡିଭିଜନକୁ ୨ଟି ଓ ଭୁବନେଶ୍ୱର ଡିଭିଜନକୁ ୦୧ଟି ଏପରି ୦୩ଟି ଘଟଣାରେ ସଫଳତା ମିଳିବା ଭିଜିଲାନ୍ସ ବିଭାଗ ଓ ନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱାଙ୍କ କଡ଼ା ଆଭିମୁଖ୍ୟର ଆଭାସ ଦେଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close