ବାପା କରୋନାରେ ମାଆ କ୍ୟାନସରରେ ଦେହାନ୍ତ ହେବାରୁ ଯାଜପୁରରୋଡ ଭଟିଆର ୨ ଅନାଥ ଶିଶୁଙ୍କ ଦାୟିତ୍ୱ ନେଲେ ‘ମାନବ ସେବା ଫାଉଣ୍ଡେସନ’
ବ୍ୟାସନଗର,୨୫/୬(ବସନ୍ତ କୁମାର ପାତ୍ରଙ୍କ ଠାରୁ): ବ୍ୟାସନଗରର ଭଟିଆରେ ରହି ଏକ ଭଙ୍ଗା ଦଦରା ଅଟୋ ଚଳାଉଥିବା ସନାତନ ମଳିକଙ୍କ କରୋନାରେ ତା. ୦୯/୦୫/୨୦୨୧ରେ ତାଙ୍କ କ୍ୟାନସର ପିଡ଼ୀତା ସ୍ତ୍ରୀଙ୍କ ଶେଷ ରଜ ୧୬/୬/୨୦୨୧ ରିଖ ଦିନ ପରଲୋକ ହେବା ପରେ ସେମାନଙ୍କର ୬ବର୍ଷର ପୁଅ ଓ ୧୦ମାସର ଝିଅ ଅନାଥ ହୋଇଯାଇଥିଲେ । ସେମାନଙ୍କର କେହି ନ ଥିବାରୁ ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଂଚାୟତର ଭଣ୍ଡାରୀପଡ଼ା ଥିବା ସେମାନଙ୍କ ଅଜା ପଂଚାନନ ତରେଇ ଘରକୁ ନେଇ ରଖିଛନ୍ତି । ତାଙ୍କର ଚଳିବା ସେତେ ଭଲ ହୋଇ ନ ଥିବାରୁ ପିଲା ଦୁହିଁଙ୍କର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏ ଖବର ‘ଉଦୟବଟ’ରେ ପ୍ରକାଶିତ ହେବା ପରେ ବ୍ୟାସନଗର ଅଂଚଳର ଯୁବ ସମାଜସେବୀ ଟିକାୟତ ପାଲ ‘ମାନବ ସେବା ଫାଉଣ୍ଡେସନ’, ଯାଜପୁର, ଓଡ଼ିଶାଙ୍କୁ ଏ ବିଷୟରେ ଅବଗତ କରିବା ପରେ ଅନୁଷ୍ଠାନ ପକ୍ଷରୁ ଅନାଥ ପିଲା ୦୨ଜଣଙ୍କୁ ଦେଖିବା ପାଇଁ ଆଗଭର ହୋଇଥିଲେ । ଫାଉଣ୍ଡେସନର ସଭାପତି ତାପସ କୁମାର ପରିଡ଼ା, ସଂପାଦକ ସରୋଜ କୁମାର ରାଉତରାୟ, କୋଷାଧ୍ୟକ୍ଷ ସାଇସୁନ୍ଦର ରାଉତରାୟ ଓ ଅନ୍ୟାନ ବରିଷ୍ଠ କର୍ମକର୍ତାମାନେ ଗତ କାଲି ଅପରାହ୍ନରେ ଶ୍ରୀବନ୍ତପୁରରେ ପହଚିଂ ବେସାହାରା ତଥା ନିଷ୍ପାପ ଶିଶୁ ୨ଟିକୁ ଦେଖିବା ସହିତ ତାଙ୍କ ଅଜା ଓ ଆଈଙ୍କୁ ସେମାନଙ୍କ ଭଲମନ୍ଦ ବାବଦରେ ପଚାରି ବୁଝିଥିଲେ । ପିଲାମାନଙ୍କ ଚଳିବା ପାଇଁ ସଂଗରେ ଆଣିଥିବା ବିଭିନ୍ନ ଜିନିଷ, ପୋଷାକ, ୧ ମାସ ଚଳିବା ଭଳି ଖାଦ୍ୟ ସାମଗ୍ରୀ ଆଦି ଦେଇଥିଲେ । ଏଥିସହିତ ଅନୁଷ୍ଠାନ ଶିଶୁ ୦୨ଜଣଙ୍କର ଲାଳନ ପାଳନର ଦାୟିତ୍ୱ ନେଇଛନ୍ତି । ମାସରେ ସେମାନଙ୍କୁ ଥରେ ଭେଟିବା ସହିତ ସେମାନଙ୍କ ଆବଶ୍ୟକୀୟ ଜିନିଷପତ୍ର, ପୋଷାକ, ଔଷଧ ଆଦି ଯାବତୀୟ ଜିନିଷ ତାଙ୍କ ଅଜା ଆଈଙ୍କୁ ଧରାଇ ଦେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ମାନବ ସେବା ଫାଉଣ୍ଡେସନ ଏବେ ଏହି ବେସାହାରା ଛୁଆ ଦିହିଁଙ୍କର ପାଳନକର୍ତା ସାଜିଛନ୍ତି ବୋଲି ଆଲୋଚନା ହେଉଛି । ଏଥିପାଇଁ ଅନୁଷ୍ଠାନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏହି ଅନୁଷ୍ଠାନର କର୍ମକର୍ତାଙ୍କ ସହ ସଂଗରେ ଯାଇଥିବା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଫାଉଣ୍ଡେସନର ସମସ୍ତ କର୍ମକର୍ତା ଓ ସଦସ୍ୟମାନଙ୍କୁ ଏହି ମହତ ତଥା ଗୁରୁ ଦାୟିତ୍ୱ ବହନ କରି ସେମାନଙ୍କ ଗରୀବ ଅଜା ଆଈଙ୍କ ଚିନ୍ତା ଓ ସମସ୍ୟାକୁ ଲାଘବ କରିଥିବାରୁ ସାଧୁବାଦ ଜଣାଇଛନ୍ତି ।