ପାଖ ମାଡିଲେନି ସାହି ଭାଇ, କୋଭିଡ ମୃତକଙ୍କୁ କାନ୍ଧ ଦେଲେ ଧାମନଗର ବିଡ଼ିଓ ଓ ନଦୀଗାଁ ସରପଞ୍ଚ
ଭଦ୍ରକ;୧୮/୦୬ (ବ୍ୟୁରୋ ): ମଣିଷ ମଣିଷ ସମ୍ପର୍କକୁ ତୁଛ କରିଛି ଏ ମହାମାରୀ କରୋନା । ଏବେ ସ୍ଥିତି ଏମିତି ଯେ ରକ୍ତ ସମ୍ପର୍କ ବି ପର ହୋଇଯାଉଛି । ସୁପରମ୍ୟାନ ଅଫ ଦ କରୋନା ୱାରିୟର ଭାବରେ ଆଗକୁ ବଢିଥିଲେ ବିଡ଼ିଓ । ଏହା ଜାଣିବା ପରେ ସରପଞ୍ଚ ବି ବିଡ଼ିଓଙ୍କ ସାଥିରେ ଆଗକୁ ଆସିଥିଲେ । ଯାହାକୁ ନେଇ କେବଳ ଭଦ୍ରକ ଜିଲ୍ଲା ନୁହଁ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାହିଛି । ଏପରି ମାନବିକତାକୁ ବିରୋଧି ଦଳର ଉପନେତା ବିଷ୍ଣୁ ସେଠୀ ସାବାସି ଦେଇଛନ୍ତି । ସୂଚନା ଅନୁସାରେ ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତ ବଡତିରଣ ଗାଁର ବାସୁଦେବ ମିଶ୍ରଙ୍କ ଘର । ଉକ୍ତ ଗ୍ରାମର ଜଣେ ବର୍ଷୀୟାନ କଳାକାର ଭାବେ ବାସୁଦେବ ମିଶ୍ର ବେଶ ଜଣାଶୁଣା । କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଥିଲେ ବାସୁଦେବ l ତାଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ ହସପିଟାଲରେ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ଅନ୍ୟ ପଟେ ପରିବାରର ସମସ୍ତ ସଦସ୍ୟ ଜ୍ୱର ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି । ଏଭଳି ପରିସ୍ଥିତିରେ ବାସୁଦେବଙ୍କ ମୃତ୍ୟୁ ଘଟିଥିବା ବେଳେ ଭୟରେ ଗାଁ ଲୋକ ପାଖ ମାଡିନଥିଲେ । ତେବେ ଏଇ ଘଟଣା ସମ୍ପର୍କରେ ଖବର ପାଇ ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଓ ନଦୀଗାଁ ସରପଂଚ ମନୋଜ ରାୟ ମହାପାତ୍ର ଓ ସ୍ବାସ୍ଥ୍ୟ କର୍ମୀ ପହଞ୍ଚି ପିପିଇ କିଟ୍ ପିନ୍ଧି ଶବକୁ କାନ୍ଧ ଦେଇ ଶବକୁ ଶ୍ମଶାନରେ ଦାହ କରିଛନ୍ତି ।