ଆମ ସାହିତ୍ୟ ପରିବାର ବ୍ୟାସନଗରର ୨ୟ ବାର୍ଷିକୋତ୍ସବ ଅନୁଷ୍ଠିତ
ବ୍ୟାସନଗର,୨୮/୨(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଉତ୍ସବ ପ୍ୟାଲେସ ଠାରେ ଆଜି ‘ଆମ ସାହିତ୍ୟ ପରିବାର’, ବ୍ୟାସନଗରର ୨ୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ତଥା ମା’ ବିରଜା ସଂସ୍କୃତି ଗବେଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ ସମାଜର ହିତ ପାଇଁ ସୁ-ସାହିତ୍ୟର ଆବଶ୍ୟକତା ରହିଛି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକ ମଂଚ ପରିଚାଳନା କରିଥିବା ବେଳେ ସାହିତ୍ୟ ପରିବାରର ସଂପାଦକ ସରୋଜ କୁମାର ଶତପଥି ବାର୍ଷିକ ବିବରଣୀ ପାଠ କରିଥିଲେ । ସାହିତ୍ୟ ପରିବାରର ସଭାପତି ଅଲେଖ ପ୍ରସାଦ ମହାରଣା, ଉପଦେଷ୍ଟା ପଣ୍ଡିତ ଅକ୍ଷୟ କୁମାର ଦାଶ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ସାହିତ୍ୟ ପରିବାର ପକ୍ଷରୁ ପ୍ରକାଶିତ ‘ଉଦ୍ଭବ’କୁ ଉନ୍ମୋଚନ କରିଥିଲେ । ବହୁ କବି ଓ କବୟତ୍ରୀମାନେ କବିତା ପାଠୋତ୍ସବରେ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ବହୁ ସାହିତ୍ୟିକ, କବି ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇଥିଲେ ।