ପୋଲିସର ନାଲି ଆଖି ଯୋଗୁ ଯାଜପୁର ଜିଲ୍ଲାରେ ବନ୍ଦ ହେବ ଗୁଣ୍ଡି ଶିଳ୍ପ; ଜୀବିକା ହରାଇବେ ୧ହଜାର ପାଖାପାଖି ଶ୍ରମିକ
ଯାଜପୁର, ୦୭/୧୧ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାରେ କୁଟୀର ଶିଳ୍ପ ଗୁଣ୍ଡି କାରଖାନା ଏବେ ପୋଲିସର କ୍ରମାଗତ ନାଲି ଆଖି ତଥା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ବନ୍ଦ ହେବାକୁ ଯାଉଛି । କରୋନା ମହାମାରୀ ପରବର୍ତୀ ସ୍ଥିତିରେ ବେ-ରୋଜଗାରୀ ସାଂଘାତିକ ଭାବେ ବୃଦ୍ଧି ପାଇଥିବା ବେଳେ ବନ୍ୟାର ଦାଉ ଓ ବହୁ ଅତ୍ୟାବଶ୍ୟକ ଦ୍ରବ୍ୟର ବର୍ତମାନର ନାହିଁ ନ ଥିବା ବଜାର ଦର ଅଧିକାଂଶ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଲୋକେ ଏଥିଯୋଗୁ ଦୁର୍ବିସହ ହୋଇପଡିଛନ୍ତି । ଏପରି ସ୍ଥଳେ କାହିଁ କେତେ ବର୍ଷ ତଳୁ ଯାଜପୁର ଜିଲ୍ଲାରେ ଚାଲି ଆସିଥିବା ଗୁଣ୍ଡି କୁଟୀର ଶିଳ୍ପ ପ୍ରତି ପୋଲିସର ଗତ କିଛି ଦିନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଧିକାଂଶକୁ ତାଜୁବ କରିଛି । ପୁନଶ୍ଚ, ଯାଜପୁର ଜିଲ୍ଲାରେ ୫୦-୬୦ଟି ଗୁଣ୍ଡି କୁଟୀର ଶିଳ୍ପ କାର୍ଯ୍ୟ କରୁଥିବା ବେଳେ ଗତ ଏପ୍ରିଲ ମାସରେ କୁଆଖିଆ ନିକଟସ୍ଥ ହରିପୁରହାଟ ଅଂଚଳରେ ଏକ ଗୁଣ୍ଡି କାରଖାନା ଉପରେ ଚଢ଼ଉ ହୋଇଥିବା ବେଳେ ଗତ ଅକ୍ଟୋବର ମାସରେ ପାଲିକୋଇଲି ଥାନା ଅର୍ନ୍ତଗତ ବଡବିରୁହାଁର ‘ର୍କେତକୀ ଟ୍ରେଡର୍ସ’ ନାମକ ଏକ ଗୁଣ୍ଡି କାରଖାନା ଉପରେ ରାତିଅଧିଆ ଚଢ଼ଉ କରି ମାଲିକ ସମେତ ୨ ଜଣଙ୍କୁ ଉଠାଇ ନେଇ ୦୩ଦିନ ପୋଲିସ ହେପାଜତରେ ରଖି କୋର୍ଟ ଚାଲାଣ କରିଥିଲେ । ତାଙ୍କର ଏକ ଘରକୁ ସିଲ କରି ଏଯାବତ୍ ରଖିଥିବା ବେଳେ ସେମାନେ ବେଲରେ ଆସି ଘରେ ରହୁଥିବା ବେଳେ ପୋଲିସ ଛାଇ ପରି ତାଙ୍କ ପଛରେ ଲାଗିଥିବାର କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଏପରିକି ପୋଲିସ ବାରବାର ତାଙ୍କ ଘରକୁ ଆସି ତାଙ୍କୁ ବିଭିନ୍ନ ଧମକ ଚମକ ଦେବା ସହ ଗାଡି ଘୋଡା ନ ଚଢ଼ିବା ପାଇଁ ତାଗିଦ୍ କରୁଛନ୍ତି । ଫଳରେ ଏହାର ମାଲିକ ଶୁଭାଶିଷ ସାହୁ ଓ ତାଙ୍କର ୩୫ପ୍ରାଣୀ କୁଟୁମ୍ବ ବଡ ମାନସିକ ଚାପରେ ରହି ଖାଇ ପିଇ ପାରୁ ନ ଥିବାର ଅଭିଯୋଗ ହେଉଛି । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ‘ର୍କେତକୀ ଟ୍ରେଡର୍ସ’ର ପ୍ରାୟ ସମସ୍ତ ପ୍ରକାରର ଆବଶ୍ୟକୀୟ ଲାଇସେନ୍ସ ଅଛି । ଭାରତ ସରକାରଙ୍କ ଠାରୁ ‘ଟ୍ରେଡ ମାର୍କ’ ଲାଇସେନ୍ସ ନଂ.୩୭୧୧୧୯୫, ତା.୨୬.୧୨.୨୦୧୭ରେ ହାସଲ କରି ତାଙ୍କର ‘ରାଉଳ ଗୁଣ୍ଡି’ର ‘ସୂର୍ଯ୍ୟ ମାର୍କା’କୁ ଅନୁମୋଦିତ କରିଛନ୍ତି । ଏଥିସହ ଭାରତ ସରକାର ଏହି ସଂସ୍ଥାକୁ ‘ଟବାକୋ’ ଅର୍ଥାତ୍ ‘ଦୋକ୍ତା’ କାରବାର ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି । ଗୁଣ୍ଡିର ବିକ୍ରିବଟା ଓ କଂଚାମାଲ ଖରିଦ୍ କରିବା ପାଇଁ “ଜି.ଏସ.ଟି” ନିୟମରେ ପଞ୍ଜିକରଣ କରିବା ସହ ସଂସ୍ଥାର ଏମ.ଏସ.ଏମ.ଇ ପଞ୍ଜିକରଣ (ଉଦ୍ୟୋଗ ଆଧାର-ଉଦ୍ୟମ) ପଞ୍ଜିକରଣ ମଧ୍ୟ କରିଛନ୍ତି । ଏହା ସତ୍ୱେ ପୋଲିସ ଏହି କାରଖାନା ପଛରେ କାହିଁକି ପଡିଛି ବୋଲି ଚର୍ଚ୍ଚା ହେଉଛି । ଏହି ଗୁଣ୍ଡି କାରଖାନାର ମାଲିକ ସୁଭାଶିଷ ସାହୁଙ୍କ କହିବା ଅନୁଯାୟୀ ତାଙ୍କର ‘ସୂଯ୍ୟ ମାର୍କା ରାଉଳ ଗୁଣ୍ଡି’ର ନକଲ କରି ଏକାଧିକ କାରଖାନା ବିକ୍ରିବଟା କରିବା ପରେ ତାଙ୍କର ନଜରକୁ ଆସିଥିଲା । ନିଜ ବ୍ରାଣ୍ଡର ଅପବ୍ୟବହାରକୁ ରୋକିବା ପାଇଁ ସେ ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ନନ୍ଦଙ୍କ ଦ୍ୱାରସ୍ଥ ହୋଇଥିଲେ । ତେଣୁ ମହକିଲ ଶ୍ରୀ ସାହୁଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ନନ୍ଦ ଗତ ତା.୨୮/୦୨/୨୦୨୦ରେ ଏପରି ୦୫ ଜଣଙ୍କୁ ଲିଗାଲ ନୋଟିସ କରି ୧୫ଦିନ ମଧ୍ୟରେ ‘ସୂଯ୍ୟ ମାର୍କା ରାଉଳ ଗୁଣ୍ଡି’ର ନକଲ (ଡୁପ୍ଲିକେଟ) ନ କରିବା ପାଇଁ ବାରଣ କରିଥିଲେ ଅନ୍ୟଥା ‘ଭାରତୀୟ ଟ୍ରେଡ ମାର୍କ ଆଇନ-୧୯୯୯ ଅନୁଯାୟୀ’ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏହି ନୋଟିସରେ କୁହାଯାଇଥିଲା । ଏକଥା ଅନ୍ୟ ଗୁଣ୍ଡି ବେପାରୀଙ୍କ ମଧ୍ୟରେ ଛନକା ପଶାଇଦେଇଥିଲା ଓ ଯାହାର ଫଳସ୍ୱରୂପ ଶ୍ରୀ ସାହୁ ଆକ୍ରୋଶର ଶରବ୍ୟ ହୋଇଥିଲେ । ବେଆଇନ ଗୁଣ୍ଡି ଶିଳ୍ପ ପରିବର୍ତେ ଏହି ପଞ୍ଜିକୃତ ଗୁଣ୍ଡି ଶିଳ୍ପ ଉପରେ ରାତିଅଧିଆ ଚଢ଼ଉ ହୋଇଥିଲା । ସୂଚନାଯୋଗ୍ୟ, ଗୁଣ୍ଡି କାହିଁ କେଉଁ ପୁରୁଣା କାଳର ସାମଗ୍ରୀ । ଏହାକୁ ଅବକାରୀ ଦ୍ରବ୍ୟ ଭାବେ ଧରାଯାଇ ନ ଥାଏ । ଗୁଣ୍ଡି ତିଆରିରେ କୃଷି ଭିତିକ ସାମଗ୍ରୀ ଧନିଆ, ଦୋକ୍ତା, ଚୂନ, ୟୁକାଲପୋଟାସ ତେଲ ବ୍ୟବହୃତ ହୋଇଥାଏ । ଧଣିଆ ଓ ଚୂନ ବ୍ୟବହାରରେ କିଛି କଟକଣା ନ ଥିବା ବେଳେ ଦୋକ୍ତା ବା ବାଇଗିଣୀ ଚାଷକୁ ସରକାର ନିଷିଦ୍ଧ କରିନାହାନ୍ତି । ଯୁକାଲପୋଟାସ ତେଲ ଏକ ପ୍ରାକୃତିକ ଔଷଧୀୟ ତେଲ ଭାବେ ପରିଚିତ । ଦକ୍ଷିଣ ଭାରତରେ ଏହାର ଉତ୍ପାଦନ ଓ ବହୁଳ ବିକ୍ରିବଟା ରହିଛି । ବିଶଲ୍ୟକରଣୀ, ଅମୃତାଞ୍ଜନ ଆଦି ଔଷଧରେ ଏହା ବ୍ୟବହୃତ ହୋଇଥାଏ । ଗୁଣ୍ଡିର ଉତ୍ପାଦନ ଏଇ କିଛି ବର୍ଷର ନୁହେଁ ବରଂ ଶହ ଶହ ବର୍ଷର ପୁରୁଣା । ଚାଷୀବନ୍ଦୀ ତଥା ଗ୍ରାମାଂଚଳର ବହୁ ଲୋକେ ଗୁଣ୍ଡିକୁ ବେଶି ବ୍ୟବହାର କରିଥାନ୍ତି । ଏହି ଅମଳକୁ ସେମାନେ ଛାଡିବା କାଠିକର ପାଠ । ଏହା ଶସ୍ତା ମଧ୍ୟ । ୧୦ଟଙ୍କାର ଗୁଣ୍ଡି ଆଣିଲେ ଜଣେ ୧୦-୧୫ଦିନ ବ୍ୟବହାର କରିପାରିବେ । ବହୁ ଲୋକେ ନିଜେ ବି ହାତ ଗୁଣ୍ଡି ତିଆରି କରି ଖାଉଥିବାର ଦେଖାଯାଇଥାଏ । ଯେଉଁମାନେ ହାତରେ ଗୁଣ୍ଡି ତିଆରି କରି ପାରି ନ ଥାନ୍ତି ସେମାନେ ଏହି ରାଉଳ ଗୁଣ୍ଡି କିଣି ଖାଇଥାନ୍ତି । କ୍ରାଳକ୍ରମେ ହାତ ଗୁଣ୍ଡି ଠାରୁ ରାଉଳ ଗୁଣ୍ଡି ଉପରେ ଲୋକେ ଅଧିକ ନିର୍ଭର କଲେ । ‘ଗୁଟ୍ଖା’ର ପ୍ରବେଶ ପରେ ଗୁଣ୍ଡି ମାର୍କେଟ ଉପରେ ପ୍ରଭାବ ପଡିଲା । ସଫଳ, ମୀନାଜିର ଭାଉ ବଢ଼ି ବଢ଼ି ଚାଲିଛି । ତଥାପି କିଛି ବୟସ୍କ ଲୋକେ ଓ ପୁରୁଣା ଅମଳି ବ୍ୟକ୍ତି, କର୍ମଜୀବୀ, ଶ୍ରମିକ ଆଦି ଗୁଣ୍ଡି ଉପରେ ନିର୍ଭରଶୀଳ ଥିବାରୁ ଏହି କୁଟୀର ଶିଳ୍ପ ପ୍ରତିଦ୍ୱନ୍ଦିତା କରି ଯେନତେନ ଚାଲିଥିଲା । ଗୋଟିଏ ଗୋଟିଏ ଗୁଣ୍ଡି କୁଟୀର ଶିଳ୍ପରେ ୧୦-୨୦ଜଣ ଶ୍ରମିକ/ଶ୍ରମିକା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତି ପାଇ ସେମାନଙ୍କ ପେଟ ପୋଷୁଥିଲେ । ଗୁଣ୍ଡି ପ୍ରସ୍ତୁତକାରୀ ତାଙ୍କର ପରିବାରକୁ ମଧ୍ୟ ପ୍ରତିପୋଷଣ କରୁଥିଲା । ଏବେ ପୋଲିସର ଲଗାତର କାର୍ଯ୍ୟାନୁଷ୍ଠାନ ଯୋଗୁ ଜିଲ୍ଲାର ୫୦-୬୦ଟି ଗୁଣ୍ଡି ଶିଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କ ସହ ଉତ୍ପାଦନକାରୀଙ୍କ ପରିବାରକୁ ମିଶାଇ ପ୍ରାୟ ୦୧ହଜାର ପାଖାପାଖି ଲୋକ ଦାନାପାଣି ହରାଇବେ । ଫଳତଃ କାହିଁ କେତେ ବର୍ଷରୁ ଚାଲିଆସିଥିବା ଗୁଣ୍ଡି ଶିଳ୍ପ ଉପରେ ଏବେ ଚଡ଼କ ପଡିବା ପରି ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହା ହେଉଛି କି ସ୍ଥାନୀୟ ପ୍ରଶାସନର ତାଡନା ପାଇଁ ଏହା ଘଟୁଛି ତାହା ବୁଝା ପଡୁନାହିଁ । ପାଣିକୋଇଲି ଅଂଚଳରେ ‘ଗୁଟଖା’ ଡିଲରମାନଙ୍କ ରାଜ ଚାଲିଛି ଓ ଅତୀତରେ ଲକ୍ଷ ଲକ୍ଷ ଟଙ୍କାର ଭାଟ ଓ ଜିଏସଟି ଠକେଇର ସୂଚନା ମଧ୍ୟ ରହିଛି । ତେଣୁ ଏହି ଦେଶି ତଥା ଗାଉଁଲି ଶିଳ୍ପକୁ ବନ୍ଦ କରିବାର ରାସ୍ତା ବିରୋଧରେ ଜନମତ ତେଜିଲାଣି । କରୋନା, ବନ୍ୟା, ଦରଦାମ ବୃଦ୍ଧି ପାଇଁ ଅଧିକାଂଶ ଦୀର୍ଘ ୯ମାସ ହେଲା ଘାଂଟି ହେଉଥିବା ବେଳେ ଗୁଣ୍ଡି ଶିଳ୍ପ ବନ୍ଦ ହେଲେ ଆଉ କିଛି ଲୋକଙ୍କ ଦୀବିକା ଉଜୁଡିଯିବ । ଏଣେ କେନ୍ଦ୍ର ଓ ରାଜ୍ୟ ସରକାର, ବ୍ୟାଙ୍କିଂ ଆଦି ସଂସ୍ଥା ବିଭିନ୍ନ ପ୍ରକାରର ଉଦ୍ୟୋଗ ପାଇଁ ସହଯୋଗର କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ କେଉଁ ଆଧାରରେ ଗୁଣ୍ଡି କୁଟୀର ଶିଳ୍ପ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ତା’କୁ ନେଇ ଚିନ୍ତା ପ୍ରକଟ ହୋଇଛି । ୨-୪ବସ୍ତା ଗୁଣ୍ଡି ଜବତ କରି ଯେପରି ବାହାବା ନିଆଯାଉଛି ତା’କୁ ନେଇ କେତେକ ଗ୍ରାମବାସୀ, ସାମାଜିକ କର୍ମୀ ଓ ମାନବିକ ଅଧିକାର କର୍ମୀମାନେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି । ଜିଲ୍ଲାର ଗୋଟିଏ ୨ଟି ଗୁଣ୍ଡି ଶିଳ୍ପ ଉପରେ ନଜର ରଖାଯାଇଥିବା ବେଳେ ବହୁ ଅଣପଞ୍ଜିକୃତ ଗୁଣ୍ଡି ମାଲିକମାନଙ୍କୁ ଖୁଲମଖୋଲା ବେପାର ପାଇଁ ଛାଡି ଦେବା କେଉଁ ପ୍ରକାରର ସ୍ୱଚ୍ଛ ପ୍ରଶାସନର ନମୁନା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ସକାଳେ ଏକ ପାଲ ବନ୍ଧା ଅଟୋ ଗାଡିରେ ୮-୧୦ ବସ୍ତା ଗୁଣ୍ଡି ଶଙ୍ଖଚିଲ୍ଲାରୁ ବାହାରି ପାଣିକୋଇଲି ଦେଇ ଭଦ୍ରଖ ଯାଇଥିଲା ବେଳେ ତାହା ପୋଲିସ ନଜରରେ ନ ଆସିବା ତଦନ୍ତସାପେକ୍ଷ । ଜଣାଯାଇଛି ଯେ, ବେଆଇନ ଭାବେ ସୂର୍ଯ୍ୟ ମାର୍କାକୁ ନକଲ ବେପାର କରୁଥିବା ଯେଉଁ ୫ଜଣଙ୍କ ନାମରେ ତା.୨୮/୦୨/୨୦୨୦ରେ ଲିଗାଲ ନୋଟିସ ହୋଇଥିଲା ସେମାନଙ୍କ ନାମରେ ଯାଜପୁରରୋଡ କୋର୍ଟରେ ତା.୦୨/୧୧/୨୦୨୦ରେ ମୋକଦ୍ଦମା ରୁଜୁ ହୋଇଛି । ଏଣେ ବେରୋଜଗାରୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାକୁ ସରକାର ଯୋଜନା ଉପରେ ଯୋଜନା କରୁଥିବାର କହୁଛନ୍ତି । ସେମାନଙ୍କୁ ଉଦ୍ୟୋଗ କରିବାକୁ ପ୍ରେତ୍ସାହନ ମଧ୍ୟ ଦେଉଛନ୍ତି । ସରକାର ଏଥିପାଇଁ ବିଭିନ୍ନ ଲାଇସେନ୍ସ ମଧ୍ୟ ଦେଉଛନ୍ତି । ଲାଇସେନ୍ସ ନେଇ ବେପାର କଲେ ମଧ୍ୟ ବିପଦ ରହୁଛି । ସରକାରୀ ବାବୁମାନେ ଭୁଲ ପାଇଁ ସଚେତନ କରାଇବାର କ୍ୱଚିତ୍ ପରିଲକ୍ଷିତ ହେଉଛି । ଏପଟେ କରୋନା ମହାମାରୀ ପାଇଁ ବ୍ୟବସାୟ କ୍ଷେତ୍ର ମାନ୍ଦା ହୋଇପଡିଥିବାରୁ ବ୍ୟବସାୟୀମାନେ ବିଶେଷଭାବେ କ୍ଷତିଗ୍ରସ୍ଥ ହୋଇଥିଲେ ହେଁ କିପରି ବ୍ୟବସାୟ କ୍ଷେତ୍ର ସୁଧୁରିବ ଓ ରୁଗ୍ଣ ଅର୍ଥନୀତି ସବଳ ଆଡକୁ ଅଗ୍ରସର ହେବ ସେଥିଲାଗି ଉପରେ ସ୍ତରରେ ଉଦ୍ୟମ ଚାଲୁରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ତଥା କରୋନା ଯୋଦ୍ଧାମାନେ ଏଭଳି ବିଷମ ପରିସ୍ଥିତିର ଶୀଘ୍ର ସୁଧାର ପାଇଁ ସହୃଦୟତା ଦେଖାଇବା ଉଚିତ୍ ।