ଯାଜପୁରର ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ନେଲେ ଚକ୍ରବର୍ତୀ ସିଂ ରାଠୋର
ଯାଜପୁର, ୧୪ା୯ : ଜିଲ୍ଲାର ୨୧ତମ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଆଇ.ଏ.ଏସ ଚକ୍ରବର୍ତୀ ସିଂ ରାଠୋର । ଆଜି ସୋମବାର ପୂର୍ବାହ୍ନରେ ଯାଜପୁରର ଆରାଧ୍ୟ ଦେବୀ ମା’ ବିରଜାଙ୍କ ମନ୍ଦିର ବାହାରେ ମା’ଙ୍କୁ ପ୍ରଣାମ କରି ଆଶିର୍ବାଦ କାମନା କରିଥିଲେ ଶ୍ରୀ ରାଠୋର । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ରାଠୋର ଏହା ପୂର୍ବରୁ ଗଂଜାମ ବ୍ରହ୍ମପୁର ମୁନିସିପାଲିଟି କର୍ପୋରେସନର କମିଶନର ଭାବେ କାର୍ଯ୍ୟରତ ଥିଲେ । ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ସହ ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ରଂଜନ କୁମାର ଦାସଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା ଓ ଶ୍ରୀ ଦାସ ଶନିବାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କୁ ଦାୟିତ୍ୱ ଅର୍ପଣ କରି ଯାଜପୁର ଛାଡି ଥିଲେ ।