
ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି
ଭୁବନେଶ୍ୱର ;୨୮/୦୨(ବ୍ୟୁରୋ): ଆଉ ନାହାନ୍ତି ଓଡିଆ ଚଳଚିତ୍ର ଜଗତର ଧ୍ରୁବତାରା ଉତ୍ତମ ମହାନ୍ତି। ୬୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉତ୍ତମ ମହାନ୍ତି ।ଦୀର୍ଘ ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ଥିବାରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରିଥିବା ବେଳେ ତାଙ୍କର ପରଲୋକ ଘଟିଛି । ଏହି ଖବର ଶୁଣିବା ପରେ ଓଲିଉଡଠୁ ଆରମ୍ଭ କରି ପୂରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁସାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହୋଇ କିଛି ଦିନ ହେବ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ।ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଶନିବାର ଡାକ୍ତରଙ୍କ ପରାମର୍ଶ ଯୋଗେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି ।
ସୂଚନା ଥାଉକି ୧୯୭୭ ମସିହାରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘଦନ ଧରି ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଥିଲେ ଉତ୍ତମ । ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ । ଏପିରିକି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚତ୍ରି ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାର ହାତେଇଥିଲେ । ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ୧୯୮୭ ମସିହାରେ ଓଲିଉଡ କ୍ୱିନ୍ ଅପରାଜିତଙ୍କୁ ସେ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁଅ ବାବୁସାନ ଓଲିଉଡ଼ର ଜଣେ ଜଣାଶୁଣା ଅଭିନେତା ।
ସେହିପରି ତୋ ବିନୁ ଅନ୍ୟଗତି ନାହିଁ ଫିଲ୍ମ ପାଇଁ ଉତ୍ତମ ମହାନ୍ତି ୧୯୯୧ରେ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଥିଲେ। ୧୯୮୪ରେ ଦଣ୍ଡା ବାଳୁଙ୍ଗା ପାଇଁ ତାଙ୍କୁ ରାଜ୍ୟ ସରକାର ଶ୍ରେଷ୍ଠ ଅଭିନେତା ପୁରସ୍କାର ଦେଇଥିଲେ । ୧୯୮୩ରେ ମଧ୍ୟ ସେ ଝିଅଟି ସୀତା ପରି ପାଇଁ ରାଜ୍ୟ ଫିଲ୍ମ ପୁରସ୍କାର ଜିତିଥିଲେ।
୧୯୮୨ରେ ଫୁଲ ଚନ୍ଦନ ପାଇଁ ମଧ୍ୟ ତାଙ୍କୁ ରାଜ୍ୟ ଫିଲ୍ମ ପୁରସ୍କାର ମିଳିଥିଲା । ସେ ଓଡ଼ିଆ ସିନେମାର ଏକମାତ୍ର ଅଭିନେତା ଯିଏ ୧୯୮୨,୧୯୮୩ ଓ ୧୯୮୪ କ୍ରମାଗତ ୩ ବର୍ଷ ଧରି ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।