ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି , ଓଟିଭି ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର; ୨୪/୦୯ (ଜ୍ୟୋତି ରଞ୍ଜନଙ୍କ ଠାରୁ ): ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଥିବା ସମୟରେ ତାଙ୍କ ଅକାଳ ବିୟୋଗ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ମିଡ଼ିଆ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସେହିଭଳି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ୍ ହୋଇଛି ।ବିଭିନ୍ନ ସମୟରେ ଦୁଃସାହାସିକ ରିପୋର୍ଟିଂ କରି ସେ ଓଡ଼ିଆ ଗଣମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡ଼ିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି କରିଛି । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜ ଠାରେ ଫସିଥିବା ଏକ ହାତୀଟିକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ଟ ଟିମର ବୋଟ ଓଲଟି ପଡିଥିଲା । ଯେଉଁଥିରେ ଓଟିଭି ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ଥିଲେ । ପରବର୍ତୀ ସମୟରେ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ପହଂଚିବା ପୂର୍ବରୁ ହିଁ ଆରପାରିକୁ ଚାଲି ଯାଇଥିଲେ ଅରିନ୍ଦମ । ଅନ୍ୟପଟେ କ୍ୟାମେରା ମ୍ୟାନ ପ୍ରସନ୍ନ ସିହ୍ନାଙ୍କୁ ଗୁରୁତର ଭାବରେ ଆଇସିୟୁରେ ଭର୍ତି କରାଯାଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ଅରିନ୍ଦମଙ୍କ ଅକାଳ ମୃତ୍ୟୁ ନେଇ ଖବର ମିଳିବା ପରେ ଓଡିଆ ଗଣମାଧ୍ୟମରେ ଶୋକର ଛାୟା ଖେଳିଯାଇଛି ।ସେହିଭଳି ଏହି ବୋଟ ଦୁର୍ଘଟଣାରେ ଜଣେ ଓଡ୍ରାଫ କର୍ମଚାରୀ ନିଖୋଜ ଅଛନ୍ତି । ତାଙ୍କୁ ଖୋଜାଖୋଜି କାମ ଜାରି ରହିଥିବା ବେଳେ ଉଦ୍ଧାର ଓଡ୍ରାଫ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
       ଅରିନ୍ଦମଙ୍କ ପରିବାରକୁ ଓଟିଭି ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଏହାସହିତ ‘ଅରିନ୍ଦମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି । କେବଳ ମୋ ପାଇଁ ନୁହେଁ ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି । ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ ।କୌଣସି ଆର୍ଥିକ ସହାୟତା ଏ ଅପୂରଣୀୟ କ୍ଷତି ଭରଣା କରିପାରିବନି’ ବୋଲି ସେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close