
ପାଣିକୋଇଲି ପୂର୍ତ ବିଭାଗରେ ଦୁରାବସ୍ଥା, ୪ ସବ୍ଡିଭିଜନ୍ ଦାୟିତ୍ୱରେ ଜଣେ ସହକାରୀ ଯନ୍ତ୍ରୀ, ମନମାନିରେ ଚାଲିଛି କାର୍ଯ୍ୟ
ପାଣିକୋଇଲି, ୧୦/୦୭ (ଉ. ନ୍ୟୁଜ୍ ବ୍ୟୁରୋ): ଏକଦା ସମଗ୍ର ରାଜ୍ୟରେ ପାଣିକୋଇଲି ରାସ୍ତା ଓ ଗୃହନିର୍ମାଣ ବିଭାଗର ନାମ ଅଗ୍ରଭାଗରେ ଥିଲା । ଅନଙ୍ଗ ଉଦୟ ସିଂହଦେଓ ଏହି ବିଭାଗର ମନ୍ତ୍ରୀ ଥିବା ବେଳେ ବଲାଙ୍ଗୀର ପଛକୁ ପାଣିକୋଇଲି ପୂର୍ତ ବିଭାଗରେ ଅଧିକ କାମ ହେଉଥିଲା । କାର୍ଯ୍ୟାଳୟ ବି ସେମିତି ଚଳଚଂଚଳ ଥିଲା । ଜେଇ, ଏସ.ଡି.ଓ, ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଅଧିକ୍ଷଣ ଯନ୍ତ୍ରୀରେ ଭରପୂର ଥିଲା ଏହି କାର୍ଯ୍ୟାଳୟ । ଏବେ ଯାଜପୁର ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ପାଣିକୋଇଲି ପୂର୍ତ ବିଭାଗ (ଆର୍ ଆଣ୍ଡ ବି) ଯେପରି ଭଗବାନଙ୍କ ଭରସାରେ ଚାଲିଥିବା ଭଳି ମନେହୁଏ । ରାଜ୍ୟ ସ୍ତରରେ ଏହାର ଗୁରୁତ୍ୱ କମି କମି ଗଲା ଭଳି ଲାଗୁଛି । ସରକାର ଏହି ଡିଭିଜନକୁ ଅଣଦେଖା କରୁଥିବାର ଚର୍ଚ୍ଚା ଯୋର ଧରିଛି । ର୍ଦୁଭାଗ୍ୟକୁ ଏହି ଡିଭିଜନର କାର୍ଯ୍ୟରତ ବଡ଼ ପଣ୍ଡାମାନେ ନିଜ ମର୍ଜ୍ଜିରେ କାମ ଚଳାଇ ରଖିଥିବାରୁ ଏଠାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି । କାର୍ଯ୍ୟାଳୟରେ ଅଧିକାଂଶ ବେଳେ ଷ୍ଟାଫ୍ କମ ଥିବାର ଆଳ ଦେଖାଇ ଅଧିକାରୀମାନେ ମନ ଇଚ୍ଛା ଆସୁଛନ୍ତି । ଏମାନଙ୍କୁ ଦେଖିବାକୁ ଯେପରି କେହି ନାହିଁ ! ଏଠାରେ ଜଣେ ଏସ୍ଡିଓ (ସହକାରୀ ଯନ୍ତ୍ରୀ) ଏକାଧିକ ସବ୍ଡିଭିଜନର ଦାୟିତ୍ୱରେ ରହିଥିବାରୁ କାର୍ଯ୍ୟ ଚାପ ବଢ଼ୁଛି । ଫଳରେ ନିର୍ମାଣ କାର୍ଯ୍ୟ, ତଦାରଖ ଓ କାଗଜପତ୍ର କରିବାରେ ସମସ୍ୟା ଦେଖାଦେଇଛି । ପାଣିକୋଇଲି ପୂର୍ତ ବିଭାଗରେ କାର୍ଯ୍ୟ କରୁଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ ନାୟକ ଏବେ ଜିଲ୍ଲାର ପ୍ରାୟ ସମସ୍ତ ସବ୍ଡିଭିଜନ୍ ଦାୟିତ୍ୱ ତୁଲାଉଛନ୍ତି । ସେ ପାଣିକୋଇଲି, ଯାଜପୁର, ବିଞ୍ଝାରପୁର ଓ ଚଣ୍ଡିଖୋଲ ଭଳି ୦୪ଟି ସବଡିଭିଜନର ଦାୟିତ୍ୱରେ ରହିଛନ୍ତି । ସେ ସମସ୍ତ ଡିଭିଜନ ପାଇଁ ସମୟ ଦେଇ ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଏତେ ଖାଲି ପଦବୀ ଥିବା ସତ୍ୱେ ସରକାର ଜିଲ୍ଲାର ଅନ୍ୟ ସବ୍ଡିଭିଜନ୍ ପାଇଁ କାହାରିକୁ ନୂଆ ନିଯୁକ୍ତି ଦେଉ ନାହାନ୍ତି । ବଦଳି, ଅବସର ଓ ପଦୋନ୍ନତି ହେଉଥିବା ଯନ୍ତ୍ରୀଙ୍କ ବଦଳରେ ନୂଆ ନିଯୁକ୍ତି ମିଳୁ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବାର କୁହାଯାଉଛି । ସୂଚନାଯୋଗ୍ୟ, ପାଣିକୋଇଲି ପୂର୍ତ ବିଭାଗ ପିସି କାରବାରରେ ବେଶ ଚର୍ଚ୍ଚିତ ଥିଲା । ଜିଲ୍ଲାରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଆଖିବୁଜା ଦୁର୍ନିୀତି ହୋଇଥିଲା । କାମ ନ ହୋଇ ମିଥ୍ୟା ବିଲରେ ପେମେଂଟ କରାଯାଉଥିଲା । ଠିକାଦାର ଜିଏସଟି ପେମେଂଟ କୁଛନ୍ତି କି ନାହିଁ ତାହାର ତଦାରଖ ସେପରି ହେଉନାହିଁ । ଆଗରୁ ଯାଜପୁରରୋଡ ସ୍ଥିତ ଜିଲ୍ଲା ଶ୍ରମ ବିଭାଗରୁ ଲାଇଲେନ୍ସ ଆଣିଲେ ଯାଇ କାର୍ଯ୍ୟାଦେଶ ମିଳୁଥିଲା । ମାତ୍ର ଗତ କେତେ ବର୍ଷ ହେଲା ଅଧିକାରୀମାନେ ଏହାକୁ ମାଗୁ ନାହାନ୍ତି । ଫଳରେ ଲେବର ‘ସେସ୍’ ଆଦାୟ ଠିକ୍ କରି ହେଉନାହିଁ । ଏହି ଡିଭିଜନରେ ବ୍ୟାପକ ହରିଲୁଟ ସହ ନିମ୍ନମାନର କାମ ଏପରିକି ଗୋଟିଏ କାମକୁ ଦୋହରା ଦେଖାଯାଇ ବିଲ କରାଯାଇଥିବାର ଅଭିଯୋଗ ହୁଏ । ବଡ଼ ବଡ଼ କାମକୁ ଭାଗ ଭାଗ କରି ଦେବା ଫଳରେ କାମର ମାନ କମିଯିବା ଫଳରେ ଦୁର୍ନିତୀ ଆଶଙ୍କା ଅଧିକ ଦେଖାଯାଏ । ଏଠାରେ ଶହଶହ ଗୁପ୍ତ ଟେଣ୍ଡର (ଏଫ୍-୨), (କେ-୨) ଆଦି କରି କୋଟିକୋଟି ଟଙ୍କାର ଦୁର୍ନୀତି ସଂଗଠିତ ହୋଇଥିବାର ଅଭିଯୋଗ ରହିଥିଲା । ଏହାର ତଦନ୍ତ ସଠିକ ଢ଼ଙ୍ଗରେ କରାଗଲା ନାହିଁ । ପୂର୍ବରୁ ଏଠାରେ ଦାୟିତ୍ୱରେ ରହିଥିବା ଦୁର୍ନିତୀଗ୍ରସ୍ତ ଯନ୍ତ୍ରୀ ଆଦିଙ୍କୁ ତଦନ୍ତ ପରିସରକୁ ନିଆଗଲା ନାହିଁ । ଏଠାରେ କାର୍ଯ୍ୟରତ ବଡ଼ ମାଛ ପି କେ ରଥଙ୍କୁ ଭିଜିଲାନ୍ସ ବିଭାଗ କଟକରେ ଧରିଥିବା ବେଳେ, କୁମରବର ସ୍ୱାଇଁଙ୍କୁ ଜଗତ୍ସିଂହପୁରରେ ଠାବ କରିଥିବା ବେଳେ ସେମାନଙ୍କ ଆୟବର୍ହିଭୂତ ସଂପତିର ଟେର ଆଖି ଝଲସାଇଦେଇଥିଲା । ବହୁ ଯନ୍ତ୍ରୀ ନିଜ ନାମରେ ଓ ସଂର୍ପକୀୟଙ୍କ ନାମରେ ଏପରିକି ପାଠ ପଢ଼ୁଆ ପୁଅ ଝିଅ, ପତ୍ନୀ ଆଦିଙ୍କ ନାମରେ ଏକାଧିକ ପ୍ଲଟ, କୋଠାବାଡି, ଗାଡିଘୋଡା, ସୂନାରୂପା, ବ୍ୟାଙ୍କ ବାଲାନ୍ସ ଆଦି ଅନାୟସାରେ ଠୁଳ କରିଥିବା ବେଳେ ଭିଜିଲାନ୍ସ ବିଭାଗର ଆଖିଦୃର୍ଶିଆ ପଦକ୍ଷେପ ନ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି !