‘ବଉଳଫୁଲ ଶିଶୁ ସାହିତ୍ୟ ସଂସଦ’ର ୧୬ତମ ବାର୍ଷିକୋତ୍ସବ ପାଳିତ
ବ୍ୟାସନଗର, ୦୬/୧୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ହୋଟେଲ ରୟାଲ କଳିଙ୍ଗ’ ଠାରେ ଆଜି ପୂର୍ବାହ୍ନରେ ବ୍ୟାସନଗର ପୈାର ପରିଷଦ ଅଂଚଳର ଅଗ୍ରଣୀ ଶିଶୁ ସାହିତ୍ୟ ଅନୁଷ୍ଠାନ ‘ବଉଳଫୁଲ’ର ୧୬ତମ ବାର୍ଷିକୋତ୍ସବ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟର ଆବଶ୍ୟକତା ଓ ଏହାର ଭବିଷ୍ୟତ ଉପରେ ଏଠାରେ ବିସୃତ ଆଲୋଚନା କରାଯାଇ ସ୍ଥାନୀୟ ‘ବଉଳଫୁଲ ଶିଶୁ ସାହିତ୍ୟ ସଂସଦ’ ଏ ଦିଗରେ ଦୀର୍ଘ ଦିନରୁ କାର୍ଯ୍ୟ କରିଆସୁଥିବାରୁ ଅତିଥିମାନେ ଏହାର ଭୂୟସୀ ପ୍ରଂଶସା କରିଥିଲେ । ‘ଶିଶୁ’ର ବିକାଶରେ ହିଁ ସଭ୍ୟତାର ବିକାଶ । ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧଶୀଳ ସମାଜ ଗଠନ ଦିଗରେ ସାହିତ୍ୟର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ବକ୍ତାମାନେ ଦୋହରାଇଥିଲେ । ଏହା ଯୁଗୋପଯୋଗୀ, ଚିନ୍ତା ଓ ଚେତନାଭିତିକ ହେବା ବିଧେୟ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଚଳଚିତ୍ର ନିର୍ମାତା ଅଶୋକ ଘଡ଼ିଆ, ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟିକ ଡ଼ଃ. ଅରୁଣ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଡ଼. ଶରତ କୁମାର ରାୟ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ଦୁଷ୍ମନ୍ତ କୁମାର ନାୟକ, କବି ବିମଳ ପତି ପ୍ରମୁଖ ଯୋଗ ଦେଇ ଶିଶୁ ସାହିତ୍ୟିକମାନେ ତାଙ୍କ ସାହିତ୍ୟ ରଚନାରେ ସେମାନଙ୍କ ପ୍ରତି ସୁକ୍ଷ୍ମ ସନ୍ଦେଶ ଛାଡିବା ସହ ସକରାତ୍ମକ ଭାବ ଜାଗ୍ରତ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ‘ବଉଳଫୁଲ’ର ସଂପାଦିକା ତଥା କାର୍ଯ୍ୟକ୍ରମର ଆବାହିକା ବ୍ରଜେଶ୍ୱରୀ ସିଂହ ସ୍ୱାଗତ ସମ୍ଭାଷଣ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଅଧ୍ୟାପିକା ଡ଼ଃ. ପ୍ରଜ୍ଞାପ୍ରବର୍ତିକା ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପ୍ରଥମ ଅଧିବେଶନରେ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ ସମାଜର ହିତ ପାଇଁ ସାହିତ୍ୟିକମାନେ ସଦାସର୍ବଦା କାର୍ଯ୍ୟ ଜାରୀ ରଖିବାକୁ ଅନୁରୋଧ କରିଥିଲେ । ବରିଷ୍ଠ କବି ସୁଦାମ ଚରଣ ନାୟକ, ଶିକ୍ଷାବିତ୍ ସନ୍ଧ୍ୟାରାଣୀ ଘଡ଼ାଇ, ଧରିତ୍ରୀ ଦାସ, ଲବଙ୍ଗଲତା ପରିଡ଼ା ପ୍ରମୁଖ କବିତାଗୁଡିକୁ ସଂଯୋଜନା କରିଥିଲେ । ରାଜ୍ୟର ବିଭିନ୍ନ ଅଂଚଳରୁ ୬୦ରୁ ଅଧିକ କବି/କବୟତ୍ରୀମାନେ ଯୋଗ ଦେଇ ସେମାନଙ୍କ ସ୍ୱରଚିତ କବିତା ଆବୃତି କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୪ଜଣ ବ୍ୟକ୍ତିବିଶେଷ ଯଥା- ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ସିଂହ, ପ୍ରଦ୍ୟୁମ୍ନ କୁମାର ବୋଇତାଇ, ଶିକ୍ଷକ ମଦନ ମୋହନ ବେହେରା, ନାରାୟଣ ଶତପଥି, ଅରୁଣ କୁମାର ପଣ୍ଡା, ରବୀନ୍ଦ୍ର କୁମାର ବେହେରା, ପ୍ରଦୀପ କୁମାର ଦାଶ, ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ସୁଷମା ରାଉତ, ପଦ୍ମଜା ଶରଣ, ଆଶିଷ କୁମାର ବଳ ଓ ଗୋଲକ ଚନ୍ଦ୍ର ପଲାଇ ପ୍ରମୁଖଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।