
ସାହିତ୍ୟିକା, ଶିକ୍ଷାବିତ୍ ଅଞ୍ଜୁବାଳା ଜେନାଙ୍କ ବିୟୋଗରେ ସୁଆଁସାହିରେ ଶ୍ରଦ୍ଧାଞ୍ଜଳି ସଭା
ରସୁଲପୁର, ୦୨/୧୧(ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସୁଆଁସାହି ଠାରେ ବିଷିଷ୍ଟ ସାହିତ୍ୟିକା, କବୟତ୍ରୀ, ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଶିକ୍ଷୟତ୍ରୀ, ସମ୍ବାଦ ସାହିତ୍ୟଘରର ରସୁଲପୁର ବ୍ଲକ କୋଷାଧ୍ୟକ୍ଷା ୰ ଅଞ୍ଜୁବାଳା ଜେନାଙ୍କ ବିୟୋଗରେ ଏକାଦଶୀ କ୍ରିୟାରେ ଶ୍ରଦ୍ଧାଞ୍ଜଳି ସଭା ସମାଜସେବୀ ଗୟାଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସାଂସଦ ମୋହନ ଜେନା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ବିଶିଷ୍ଟ କଥାକାର ବାସୁଦେବ ସୁନାନୀ, ଏନ.ସି.ପିର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ନୃସିଂହ ମିଶ୍ର, ଡ଼ା. ପବନେଶ୍ୱର ଜେନା, ଆଇନଜୀବୀ ବିକ୍ରମ ଜେନା, ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସ୍ତମ୍ଭକାର ତଥା କଂଗ୍ରେସ ସାଂସଦ ପ୍ରାର୍ଥୀ ମାନସ ଜେନା, ଶ୍ରମିକ ନେତା ରମେଶ ଜେନା, କବି ଭୁବନ ମୋହନ ମହାନ୍ତି, ସୁଜାତା ଜେନା, ସମାଜସେବିକା ସ୍ମିତାରାଣୀ ପଟ୍ଟନାୟକ, ଗୋଲକ ପଲେଇ ପ୍ରମୁଖ ଯୋଗ ଦେଇ ୰ ଜେନାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ତାଙ୍କର ୦୨ ପୁଅ ଆଦିତ୍ୟ ଜେନା ଓ ନିହାର ରଂଜନ ଜେନା, ପରିବାର ପକ୍ଷରୁ ସୋନାଲୀ ଜେନା, ସନ୍ଧ୍ୟାରାଣୀ ଜେନା ପ୍ରମୁଖ ଏକାଦଶାହ କ୍ରିୟା ପରିଚାଳନା କରିବା ସହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିବିଶେଷମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ, ୰ ଜେନା ସ୍ତମ୍ଭକାର ତଥା କଂଗ୍ରେସ ସାଂସଦ ପ୍ରାର୍ଥୀ ମାନସ ଜେନାଙ୍କ ବଡ଼ ଭଉଣୀ ଅଟନ୍ତି । ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ସ୍ଥାନୀୟ ସାହିତ୍ୟ ସମାଜରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିବା ସହ ସୁଆଁସାହି ଗ୍ରାମ ସହ ଆଖପାଖ ଅଂଚଳରେ ଦୁଃଖର ବାତାବରଣ ସୃଷ୍ଟି କରିଛି ବୋଲି ମତପ୍ରକାଶ ପାଇଥିଲା । ପରେ କବୟତ୍ରୀ ୰ ଜେନାଙ୍କ ଉଦ୍ଦେଶ୍ୟରେ ଏକ ପାଠୋତ୍ସବ କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହୋଇଥିଲେ । କବି, କବୟତ୍ରୀମାନେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ ।