ଆନ୍ତଃ-ରାଜ୍ୟ ଶ୍ରମିକ ଚାଲାଣ ର‌୍ୟାକେଟ କବଳରେ ଫସିଛନ୍ତି ବହୁ ଶ୍ରମିକ, ଉଦ୍ଧାର ପାଇଁ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା

ବ୍ୟାସନଗର, ୨୦/୧୦(ଉ. ନ୍ୟୁଜ୍ ବ୍ୟରୋ): ଶିଳ୍ପ ସମୃଦ୍ଧ ଯାଜପୁର ଭଳି ଏକ ସଚେତନଶୀଳ ଜିଲ୍ଲାରୁ ଦୈନିକ ଅଧିକ ମଜୁରୀ ଓ ସବୁଦିନ କାମ ଦେବାର ପ୍ରଲୋଭନ ଦେଇ ଜିଲ୍ଲାର ଚଣ୍ଡିଖୋଲ ଅଂଚଳର ଜଣେ ଦଲାଲ ବହୁ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ କରି ଗୋତି ଖଟାଇବା ନିର୍ଯ୍ୟାତନା ଦେବା ଘଟଣା ଏବେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଅଭିଯୋଗ ମୂତାବକ ଚଣ୍ଡିଖୋଲ ନିକଟବର୍ତୀ କଂଟିଗଡ଼ିଆ ପଂଚାୟତର ପାଇକରାପୁର ଗ୍ରାମର କ୍ଷୀରୋଦ ସାମଲ କିଛି ଶ୍ରମିକଙ୍କୁ ରାଜଧାନୀ ଭୁବନେଶ୍ୱରରେ ଅଧିକ ମଜୁରୀ ଦେବା ସହ ଖାଇବା ଓ ରହିବାର ଆଶା ଦେଇ ଆଜକୁ ୪ ମାସ ତଳେ ୪୦-୫୦ଜଣ ଶ୍ରମିକଙ୍କୁ ନେଇଯାଇଥିଲା । ନେବା ପରେ ସମସ୍ତଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇ ଅଧିକାଂଶଙ୍କ ଅନିଚ୍ଛା ସତ୍ୱେ ଚେନ୍ନାଇକୁ ନେବା କଥା କହି ତେଲେଙ୍ଗନାର ହାଇଦ୍ରାବାଦ ଓ ସିକନ୍ଦରାବାଦ ଟ୍ୱିନ୍ ସିଟିକୁ ନେଇ କାମ କରାଇଥିଲା । ସେମାନଙ୍କୁ ଛୋଟ ଛୋଟ ଟିମରେ ବିଭକ୍ତ କରି ଅଲଗା ଅଲଗା ସ୍ଥାନକୁ ନେଇ ଭିନ୍ନ ଭିନ୍ନ ନିର୍ମାଣାଧିନ ସଂସ୍ଥାରେ କାମ କରାଇଥିଲା । ଭଲ କାମ ଓ ଖାଇବାକୁ ଦେବାକୁ ପ୍ରତିଶୃତି ଦେଇଥିବା ଦଲାଲ ନିମ୍ନମାନର ତଥା ଅରୁଚିକର ଖାଦ୍ୟ ଦେଇ କଠିନ ପରିଶ୍ରମ କରାଇଥିଲା । ସେମାନଙ୍କୁ ଔଷଧପତ୍ର ଆଦି ଦେଉ ନ ଥିଲା । ୩-୪ମାସ ଧରି କାମ କରିଥିଲେ ବି ଦରମା ନ ଦେବା କାରଣରୁ ଏମାନେ ଘରକୁ ଟଙ୍କା ପଠାଇପାରୁ ନ ଥିଲେ । ଘରେ ଏମାନଙ୍କ ଉପରେ ନିର୍ଭର କରୁଥିବା ପରିବାରବର୍ଗ କିଛି ଖୋଜ୍ ଖବର କି ଟଙ୍କା ପଇସା ନ ପାଇ ମନସ୍ତାପରେ ଥିଲେ । ହେଲେ ଏମାନଙ୍କ ମଧ୍ୟରୁ କେତେକ ଲୁଚି ଛପି ଆସି ଘରେ ପହଂଚିବା ପରେ ସବୁ କଥା ପ୍ରଘଟ ହୋଇଥିଲା । ଏମାନେ ପ୍ରଥମେ ଜେନାପୁର ଥାନା ଓ ପରେ ତା ୧୮/୧୦/୨୦୨୨ରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଜଣାଇବା ପରେ ଘଟଣାର ମୋଡ଼ ବଦଳିଥିଲା । ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଗତ ୦୨ ଦିନ ହେଲା ଏମାନଙ୍କ ସମସ୍ୟାକୁ ନେଇ ବ୍ୟସ୍ତ ରହୁଥିବାର ପରିଲକ୍ଷିତ ହେଉଛି । ଫେରିଥିବା କିଛି ଯୁବକ ଓ ଏହି ର‌୍ୟାକେଟ କବଳରେ ଏବେ ସୁଦ୍ଧା ଫସି ରହିଥିବା କେତେକ ଯୁବକଙ୍କ ମାତା ପିତା ଓ ସଂର୍ପକୀୟଙ୍କ ଠାରୁ ସୂଚନା ସଂଗ୍ରହ କରି ଓ ବୟାନ ରେକର୍ଡ଼ କରି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମହାନ୍ତି ତଦନ୍ତ ଚଳାଇଛନ୍ତି । ଏଣେ ଜେନାପୁର ପୋଲିସ ଘଟଣାର ଛାନଭିନ କରୁଛି । ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଶ୍ରମ ଅଧିକାରୀଙ୍କୁ ଭେଟି ବିନା ଲାଇସେନ୍ସ (ଆଇ.ଏସ.ଏମ.ଡବ୍ଲ୍ୟୁ)ରେ ଆନ୍ତଃ ରାଜ୍ୟ ଶ୍ରମିକ ଚାଲାଣ କରୁଥିବା ର‌୍ୟାକେଟା ପର୍ଦ୍ଦାଫାସ ସହ ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବୀ କରିଛନ୍ତି । ଆଇ.ପି.ସିର ୩୭୦ ଦଫାର ଉଲ୍ଲଂଘନରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ସୂଚନା ମିଳିଥିବା ୦୫ ଜଣ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ଦିଗରେ ଅଗ୍ରାଧିକାର ଭିତିରେ କାର୍ଯ୍ୟ ଚାଲିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେହି ଶ୍ରମିକମାନେ ହେଲେ- ନୋପୁର ଥାନା ବାରମାଣ ଗ୍ରାମର ୧) ଶଙ୍କର ଦେହୁରୀ, ୨୨ ବର୍ଷ, ପିତା-ମହେନ୍ଦ୍ର ଦେହୁରୀ, ୨) ପ୍ରଭାତ ଦେହୁରୀ, ୨୫ ବର୍ଷ, ପିତା-ଗୋକୁଳ ଦେହୁରୀ, ୩) କାନ୍ତ ପ୍ରଧାନ, ୧୯ ବର୍ଷ, ପିତା-ମଂଗୁଳି ପ୍ରଧାନ, ୪) ସିପୁନା ସାମଲ, ୨୨ ବର୍ଷ, ପିତା-ବିଷ୍ଣୁ ସାମଲ ଏବଂ ୫) ସୁକାନ୍ତ ସାମଲ, ୪୪ ବର୍ଷ, ପିତା-୰ ବାବାଜି ସାମଲ । ଶ୍ରୀ ମହାନ୍ତି କହିଛନ୍ତି ସୂଚନା ମିଳିଥିବା ୨୩ ଜଣ ଶ୍ରମିକଙ୍କ ମଧ୍ୟରୁ ୨୧ ଜଣ ଯାଜପୁର ଜିଲ୍ଲାରୁ ଯାଇଥିବା ବେଳେ ୦୨ ଜଣ ଢ଼େଙ୍କାନାଳରୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ୧୨ଜଣ କୌଣସି ମତେ ଗାଁକୁ ଫେରିଥିବା ବେଳେ ଆଉ ୧୧ଜଣ ଏପର୍ଯ୍ୟନ୍ତ ଫସି ରହିଛନ୍ତି । ପ୍ରଥମେ ୦୫ଜଣଙ୍କୁ ଠାବ କଲା ପରେ ଅନ୍ୟ ୦୬ ଜଣଙ୍କ ଉପରେ ଫୋକସ କରାଯିବ । ତଥ୍ୟ ସଂଗ୍ରହ ଜାରୀ ରହିଛି । ଏହି ଅନୁଯାୟୀ ଟିମ ଗଠିତ ହେବ । ରାଜ୍ୟ ଶ୍ରମ କମିଶନର, ପ୍ରମୁଖ ଶ୍ରମ ସଚିବ, ସର୍ବୋପରି ଏଥିପାଇଁ ଥିବା ‘ସେଲ’କୁ ଘଟଣା ବାବଦରେ ଅବଗତ କରାଯାଉଛି । ଆଜି ଆସିଥିବା କେତେକ ଶ୍ରମିକଙ୍କ ପରିବାରବର୍ଗ ‘ଉଦୟବଟ’କୁ କୋହଭରା ଦୁଃଖ ବଖାଣିଥିବା ବେଳେ ଶ୍ରମ ବିଭାଗ ଓ ପ୍ରଶାସନ ଉପରେ ଭରସା ରଖିଥିବାର କହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close