ସୈନିକ ପରି ଦେଶ ପାଇଁ ଜୀବନ ଦେବାକୁ ବିଜୁବାବୁ ପ୍ରସ୍ତୁତ ଥିଲେ- ଗୁରୁ ଚରଣ ଟୀକାୟତ


ଯାଜପୁର,୧୩/୦୩ (ନି ପ୍ର ) : ପୃଥିବୀ ଇତିହାସରେ ଖୁବ କମ ନେତା ଥିବେ ଯିଏ ଦେଶର ସୁରକ୍ଷା ପାଇଁ ଯୁଦ୍ଧକ୍ଷେତ୍ରକୁ ଯାଇଥିବେ । ବିଜୁବାବୁ ସେହିଭଳି ଜଣେ ମହାନ ରାଷ୍ଟ୍ରନାୟକ ଥିଲେ ଯିଏ , ଦେଶର ଘଡିସନ୍ଧି ସମୟରେ ଯୁଦ୍ଧକ୍ଷେତ୍ରକୁ ଯାଇଛନ୍ତି । ସୈନିକ ପରି ବିଜୁବାବୁ ଦେଶ ପାଇଁ ଲଢେଇ କରି ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ବୋଲି କହିଛନ୍ତି ଧର୍ମଶାଳାର ସର୍ବମାନ୍ୟ ନେତା ତଥା ପୂର୍ବତନ ବିଧାୟକ ତଥା ରାଜସାହେବ ଗୁରୁ ଚରଣ ଟୀକାୟତ । ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀ ସୁଦ୍ଧାର୍ଥ କୁମାର ଜେନାଙ୍କ ଚାକିରୀରୁ ଅବସର ଉପଲକ୍ଷେ ତାଙ୍କର ନିଜ ଗ୍ରାମ ଧର୍ମଶାଳାର କୋତପୁରରେ ଏକ ବଡ ଧରଣର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଜୁବାବୁଙ୍କ ରାଜନୈତିକ ଜୀବନର ଦୀର୍ଘ ୩୦ ବର୍ଷର ରାଜନୈତିକ ସହଯୋଗୀ ଭାବେ କାର୍ଯ୍ୟ କରିଥିବା ଟୀକାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଜୁବାବୁ ନିଜେ ଡାକୋଟା ବିମାନ ଚଲାଉଥିଲେ । ମୁଁ ମଧ୍ୟ ଜଣେ ପାଇଲଟ ଭାବେ ଏହି ଡାକୋଟା ବିମାନ ଚଲାଇଛି । ସେଥିପାଇଁ ମୋର ସେ କ୍ଷେତ୍ରରେ ଅଭଜ୍ଞତା ରହିଛି । ବାୟୁସେନାରେ କାର୍ଯ୍ୟ କରିବାରେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ଏ କ୍ଷେତ୍ରରେ ମୋ ଧର୍ମଶାଳାର ପୁଅ ସିଦ୍ଧାର୍ଥ ଦେଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ସଫଳତା ପାଇଛନ୍ତି । ସେ ସୁନାମଧନ୍ୟ ଶିକ୍ଷକ ବିନୋଦ ଜେନାଙ୍କ ସୁଯୋଗ୍ୟ ଦାୟାଦ ଭାବେ ନିଜ ଅଞ୍ଚଳର ଗୌରବ ଏବଂ ଗରିମା ବଢାଇଛନ୍ତି । ଅତୀତରେ କୋତପୁର ବନ୍ୟା ପ୍ରବଣ ଅଞ୍ଚଳ ଥିଲା । ମୁଁ ବିଧାୟକ ଥିବା ସମୟରେ ୧୯୯୨ ମସିହାରେ ଏଭଳି ଅବସ୍ଥା ହୋଇଥିଲା ଯେ, ମୋତେ ଏଠାରେ ହେଲିକାପ୍ଟରରେ ଆସି ଓହ୍ଲାଇବାକୁ ପଡିଥିଲା । ଏହାପରେ ଏଠାରେ ଆଉ ବନ୍ୟା କ୍ଷତି କରିନାହିଁ । ହେଲେ ଗତବର୍ଷ ଘାଇ ଭଙ୍ଗାଯାଇ ଶାନ୍ତ ସରଳ ଲୋକଙ୍କ ଘରେ ପାଣି ପୁରାଇ ଅନେକଙ୍କୁ ସର୍ବସ୍ୱାନ୍ତ କରାଯିବାର ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ, ଅମାନବୀୟ । ବିଜୁବାବୁ ଓଡିଆ ଜାତିକୁ ସ୍ୱାଭିମାନୀ କରିବାକୁ ଉଦ୍ୟମ କରିଥିଲେ । କୋତପୁର ପରି ସୁନାମଧନ୍ୟ ଗାଁରେ ଜନ୍ମ ହୋଇଥିବା ସିଦ୍ଧାର୍ଥବାବୁ ମଧ୍ୟ ନିଜ ଅଞ୍ଚଳର ସ୍ୱାଭିମାନ ବୃଦ୍ଧି ସହ ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂଗ୍ରାମୀ ଯୁବନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳ କହିଥିଲେ ଯେ, ୧୯୫୦ ମସିହାରେ କବି ବୀରକିଶୋର ପାଢୀଙ୍କ ଦ୍ୱାରା ‘ଗାଁ ଭୂଇଁ’ ପତିକାକୁ ଜନ୍ମ ଦେଇଥିବା କୋତପୁର ଅତୀତରେ ମଧ୍ୟ ଦେଶର ମୁକ୍ତି ସଂଗ୍ରାମରେ ଇଂରେଜ ବିରୋଧରେ ବୀରତ୍ୱର ସହ ଲଢେଇ କରିଛି । ଏହି ସଂଗ୍ରାମୀଙ୍କ ଭୂମିରେ ଓଡିଆ ସାହିତ୍ୟ ରୁଦ୍ଧିମନ୍ତ ଓ ସମୃଦ୍ଧ ହୋଇଛି । ନିକଟରେ ଥିବା ବଜ୍ରଗିରୀ ପାହାଡ ଶହ ଶହ ବର୍ଷ ପୂର୍ବରୁ ବୌଦ୍ଧଧର୍ମର ବଜ୍ରଯାନ ସନ୍ୟାସୀ ମାନଙ୍କ ସାଧନାର ପୀଠ ଥିଲା । ଏଠାରୁ ସିଦ୍ଧାର୍ଥବାବୁଙ୍କ ପରି ଭାରତୀୟ ବାୟୁସେନାର ଜଣେ ଅଧିକାରୀ ଦେଶ ପାଇଁ ଲଢେଇ କରିବା ଏହି ମାଟିକୁ ଅଧିକ ଗୌରବାନ୍ମିତ କରିଛି । ଏହି ସଂଗ୍ରାମୀ ମାଟିରୁ ମଧ୍ୟ ଅନ୍ୟାୟ, ଭ୍ରଷ୍ଟାଚାର ବିରୋଧରେ ଲଢେଇର ସ୍ୱର ଅଧିକ ଶାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଅବିଭକ୍ତ କଟକ ଜିଲ୍ଲାର ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ଆଡଭୋକେଟ ମନ୍ଦାକିନୀ ଜେମା, ଲେଖିକା ତଥା ଅଧ୍ୟାପିକା ଡ଼ ଚନ୍ଦ୍ରକଳା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଆଡଭୋକେଟ ପବିତ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସମାଜସେବୀ ଅଶୋକ କୁମାର ବଳ ସ୍ୱାଗତ ଭାଷଣ ଏବଂ ସୌଭାଗ୍ୟ ମଂଜରୀ ବଳ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରମାଣିକ ଚଳଚିତ୍ର ନିର୍ମାତା ପ୍ରଶନଜିତ ହରିଚନ୍ଦନ, ସନ୍ତୋଷ ଜେନା, ଇଶ୍ୱର ବେହେରାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନାରେ ଭାଗ ନେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close