ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର; ୨୪/୧୨(ଜ୍ୟୋତି ରଞ୍ଜନଙ୍କ ଠାରୁ): ଜଣାଶୁଣା ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ଘଟିଛି। ଆଜି ସକାଳ ସାଢ଼େ ୯ଟାରେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି। ଜନ୍ମମାଟି କୋଦଳାକୁ ତାଙ୍କ ମୃତଦେହକୁ ନିଆଯିବା ପରେ ଲୋକେ ଶେଷ ଦର୍ଶନ କରିବା ପରେ ପୁରୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି। ଗଞ୍ଜାମ ଜିଲ୍ଲାର ରାମକୃଷ୍ଣ ପଟ୍ଟନାୟକ ରାଜ୍ୟର ଜଣେ ଟାଣୁଆ ନେତା ଥିଲେ। ବିଜୁ ପଟ୍ଟନାୟକଙ୍କ ଅମଳରୁ ସେ ରାଜନୀତିରେ ସକ୍ରିୟ ଥିଲେ। ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ସେ ୬ – ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଭିନ୍ନ ଭିନ୍ନ ସମୟରେ ସେ ଯଥାକ୍ରମେ ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧, ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ସେ ନିର୍ବାଚନ ଜିତିଥିଲେ। ସେ ଅର୍ଥ, କୃଷି ଓ ଗ୍ରାମ୍ୟ ଉନ୍ନୟନ ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ୧୯୭୧ରେ ପ୍ରଥମ ଥର ବିଧାୟକ ହୋଇ ସେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ। କ୍ୟାରିଅରର ଶେଷ ଭାଗରେ ସେ ବିଜେପିରେ ଯୋଗ ଦେଇଥିଲେ।୧୯୯୮ ମସିହାରେ ଜାନକୀ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ରାମକୃଷ୍ଣ ପଟ୍ଟନାୟକ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ନବୀନ ପଟ୍ଟନାୟକଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଅର୍ଥ ମନ୍ତ୍ରୀ ହୋଇଥିଲେ। ରାମକୃଷ୍ଣ ପଟ୍ଟନାୟକଙ୍କ ମୃତ୍ୟୁ ଯୋଗୁ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ରାଜନେତା ଓ ବ୍ୟକ୍ତିବିଶେଷ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିକ୍ରମ କେଶରୀ ଆରୁଖ ପ୍ରମୁଖ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପିର ବରିଷ୍ଠ ବିଜୟ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରି କହିଛନ୍ତି ଯେ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ଓଡ଼ିଶା ରାଜନୀତିରେ ତାଙ୍କ ପରି ରାଜନେତା ସୃଷ୍ଟି ହେବା ଅସମ୍ଭବ । ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା ବୋଲି କୁହାଯାଉଛି।