ପଦ୍ମଶ୍ରୀ ନନ୍ଦ ସାରଙ୍କ ଫିଲ୍ମ ପୋଷ୍ଟର ରିଲିଜ

ବ୍ୟାସନଗର: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଚାଟଶାଳୀ ଶିକ୍ଷକ ୧୦୪ ବର୍ଷୀୟ ନନ୍ଦ ପୃଷ୍ଟିଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମର ପ୍ରଥମ ପୋଷ୍ଟର ଆଜି ଏକ ପ୍ରେସମିଟ ମାଧ୍ୟମରେ ଉନ୍ମୋଚିତ ହୋଇଛି ।
ଗଣମାଧ୍ୟମରେ ନନ୍ଦ ସାର ଚାଟଶାଳୀ ମାଧ୍ୟମରେ ଦୀର୍ଘ ୮୨ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରୁଥିବା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ସୁପାରିଶ କରିଥିଲେ ଏବଂ ଏହା ଉପରେ ବିଚାର କରି ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲେ, ଯାହାକି ଆସନ୍ତା ନଭେମ୍ବର ୦୯ ତାରିଖରେ ଦିଲ୍ଲୀ ଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।
ତେବେ ନନ୍ଦ ସାରଙ୍କ ଜୀବନିକୁ ନେଇ ଅଭିସ୍ମିତା ଫିଲ୍ମ ପ୍ରାୟୋଜିତ, ଦେବପ୍ରଭା ପଡକ୍ସନ ଏବଂ ଷ୍ଟୁଡ଼ିଓୱାଲା ପ୍ରଡକ୍ସନ ନିବେଦିତରେ “”ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ“” ନାମରେ ଏକ ଫିଲ୍ମ ନିର୍ମାଣ କରାଯାଇଛି। ଓଟିଟି ଫର୍ମାଟରେ କରାଯାଇଥିବା ଏହି ଫିଲ୍ମ, ଯାହାର ନିର୍ଦେଶନା ଦାୟିତ୍ୱରେ ଅନ୍ତର୍ଜାତୀୟ ନିର୍ଦେଶକ ପ୍ରଣବ ଆଇଚ, ପ୍ରଡୁସର ଭାବେ ବରିଷ୍ଠ ସାମ୍ବାଦିକ ଅଭୟ ପତି ଏବଂ ଅଭିନେତ୍ରୀ ନୈନା ଦାଶ ରହିଛନ୍ତି। ଏହାର କାହାଣୀ ଅସ୍ମିତା ପତି ଲେଖିଥିବା ବେଳେ ଯାଜପୁର ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଛି ।
ଶେଷପର୍ଯ୍ୟାୟ ସୁଟିଂ ପଦ୍ମଶ୍ରୀ ସମ୍ମାନ ଆଣିବାପାଇଁ ଦିଲ୍ଲୀ ଯିବାବେଳେ କରାଯିବ ବୋଲି ସୂଚନା ମିଳିଥିବାବେଳେ ଆସନ୍ତା ମାର୍ଚ୍ଚ ମାସରେ ଏହାର ରିଲିଜ କରାଯିବ ବୋଲି ସୂଚନା ଦେଇଛନ୍ତି ଏହାର ପ୍ରଡୁସର ।
ତେବେ ଏହି ଫିଲ୍ମ ମାଧ୍ୟମରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି ।



Live Share Market