ଯାଜପୁରରେ ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
ଯାଜପୁର,୧୧ା୧୦: ପ୍ରତ୍ୟେକ ପିଲା ବିଶେଷ କରି ଝିଅମାନଙ୍କ ପ୍ରତିଭା ବିକାଶ ବା ସଫଳତା ପାଇଁ ମା’ମାନଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ତେଣୁ ପିଲାମାନେ ଯେତେବେଳେ ସଫଳତା ପାଇଁ ସମ୍ବର୍ଦ୍ଧିତ ହେଉଛନ୍ତି ମା’ମାନଙ୍କୁ ଏଥିରେ ସାମିଲ କରିବାକୁ ଜିଲାପାଳ ଚକ୍ରୱର୍ତି ସିଂ ରାଠୋର ଆହ୍ୱାନ ଦେଇଛନ୍ତି । ଆଜି ସୋମବାର ଅପରାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ଶ୍ରୀ ରାଠୋର ଶିଶୁମାନଙ୍କ ମଧ୍ୟରେ ବିବିଧ ପ୍ରତିଭା ରହିଛି । ଏହାର ଉନ୍ମେଶ ଓ ବିକାଶ ପ୍ରତ୍ୟେକ ରାଷ୍ଟ୍ରକୁ ସମ୍ୃଦ୍ଧ କରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଯୋଗ ଦେଇ ଶିଶୁ କନ୍ୟାମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜାତିସଂଘ ପକ୍ଷରୁ ଏହି ଦିବସକୁ ପାଳନ କରାଯିବା ସହ ଲିଙ୍ଗ ଗତ ପାର୍ଥକ୍ୟକୁ ପ୍ରତିହତ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସୂଚାଇଥିଲେ । ଏଥିରେ ପ୍ରତ୍ୟେକ ପିତାମାତା ଓ ଅଭିଭାବକଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଶିଶୁ କନ୍ୟାମାନଙ୍କର ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅନୁକୂଳ ପରିବେଶ ପାଇଁ ସାମାଜିକ ଉତରଦାୟୀ ଭାବେ ପ୍ରତ୍ୟେକ କାର୍ଯ୍ୟ କଲେ ପ୍ରତିଟି ଶିଶୁ ମୁହଁରେ ହସ ଫୁଟାଇବାରେ ସହାୟକ ହେବ ବୋଲି କହିଥିଲେ । ଜିଲା ସମାଜ କଲ୍ୟାଣ ଅଧିକାରୀ ଇନ୍ଦୁପ୍ରଭା ନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ ଶିଶୁ କନ୍ୟାମାନଙ୍କର ସାମାଜିକ ଓ ପାରିବାରିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିବା ସହ ସାମୁହିକ ଉଦ୍ୟମ ଦ୍ୱାରା ପ୍ରତ୍ୟେକ କନ୍ୟା ସୁରକ୍ଷିତ ରହି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉତ୍କର୍ଷତାଲାଭ କରିଥିବା ଓ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀମାନଙ୍କୁ ଜିଲାପାଳ ଓ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ବିଭିନ୍ନ ବ୍ଲକର ସିଡ଼ିପିଓ, ସୁପରଭାଇଜର, ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ ।