ଜାତୀୟ ରାଜପଥ ନେଇ ଜୀବନ ସହ ଖେଳ: ୨୪ ଘଂଟାରେ ବଦଳିଗଲା ନିଷ୍ପତି

ଯାଜପୁର,୧୫/୦୯(ଉ.ନ୍ୟୁଜ୍ ବ୍ୟୁରୋ): ଚଣ୍ଡୀଖୋଲ-ଡୁବୁରୀ ୫୭ ନଂବର ଜାତୀୟ ରାଜପଥରେ ଲୋକେ ଯାତାୟତ କଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥାନ୍ତି । ହେଲେ ଏବେ ଏହିି ରାସ୍ତା ମରଣ ଯନ୍ତା ପାଲଟିଛି । ଏହି ରାସ୍ତାର ଦୂରାବସ୍ଥା ନେଇ ଅନୁଧ୍ୟାନ କରିବାକୁ ଏକ କମିଟି ଗଠନ ହୋଇଥିଲା । ଅନୁଧ୍ୟାନର ତାରିଖ ନିର୍ଣ୍ଣୟର ମାତ୍ର ୨୪ ଘଂଟା ଭିତରେ ପୁଣି ଅନୁଧ୍ୟାନକୁ ବାତିଲ କରାଗଲା । ଠିକାଦାରଙ୍କ ଚାପରେ ପ୍ରଶାସନ ଚେପା ହୋଇ ଜୀବନ ସହ ଖେଳ ଖେଳା ଯାଉଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇବା ସହ ଘୋର ଉଦ୍‌ବେଗ ମଧ୍ୟ ପ୍ରକାଶ ପାଉଛି ।
    ସୂଚନାଯୋଗ୍ୟ, ଖାମଖିଆଲି ଓ ତ୍ରୃଟିପୂର୍ଣ୍ଣ ନିର୍ମାଣ ପାଇଁ ୫୭ ନଂବର ଜାତୀୟ ରାଜପଥରେ ଲୋକେ ଏବେ ଚାଲି ଚାଲି ଯିବା ବି କାଠିକର ପାଠ ହେଉଛି । ରାସ୍ତା ଯାକ ବଡ ବଡ ଖାଲ ଖମାରେ ପରିଣତ ହୋଇଛି । କୌଣସି ମୋଟର ଯାନ ଏଥିରେ ୩୦ କିଲୋମିଟର ବେଗରେ ଯିବା ସମ୍ବବ ହେଉନାହିଁ । ରାସ୍ତାରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ଜୀବନ ରାସ୍ତାରେ ହିଁ ଚାଲି ଯାଉଥିବାର ଦେଖାଯାଉଛି । ରାତି ପାହିଲେ ଲୋକେ ଏହି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ବଡ ବଡ ଟ୍ରକ ଗୁଡିକ ରାସ୍ତାରେ ଥିବା ଖାଲଖମାଗୁଡିକୁ ଅତିକ୍ରମ କରିବା ବେଳେ ମନୋମୁଖୀ ଭାବେ ଅଧିକାଂଶ ବେଳେ ଗାଡିକୁ ଏଣେତେଣେ କାଟି ଦେଉଥିବାରୁ କଡରେ ଥିବା ଅନ୍ୟ ଗାଡି ଉପରେ ଚଢି ଯାଉଛି ବା ପଡିଥିବା ଗେଟି ଆଦି ଶକ୍ତ ଭାବରେ ଅନ୍ୟଠାରେ ବାଜି ଜଖମ କରିଦେଉଛି । ଏଥିନେଇ ବାରମ୍ବାର ସଡକ ସୁରକ୍ଷା ବୈଠକରେ ଠିକା ସଂସ୍ଥାକୁ ତାଗିଦ୍ କରାଯାଉ ଥିବା ବେଳେ ଏହାକୁ ଠିକା ସଂସ୍ଥା ଖାତିର କରୁନାହିଁ । ବାରମ୍ବାର ଅଭିଯୋଗ କଲା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆବଶ୍ୟକ ପଦକ୍ଷେପ ପାଇଁ ଆସିଥିବା ନିର୍ଦ୍ଦେଶକୁ ବି ଠିକା ସଂସ୍ଥାକୁ ସୁରକ୍ଷା ଦେବା ପାଇଁ ଜାତୀୟ ରାଜପଥ କର୍ତୁପକ୍ଷ ମାଡି ବସିଛନ୍ତି । ତେବେ ଏଥିନେଇ ସଡକ ସୁରକ୍ଷା କମିଟି ବୈଠକରେ ସଭ୍ୟ ସତୀଶ ବିଶ୍ୱାଳ ବାରମ୍ବାର ଘୋର ଉଦବେଗ ପ୍ରକାଶ କରୁଥିବା ବେଳେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ସଡକର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଥିଲା । ତଦନୁଯାୟୀ ଆସନ୍ତା ତା୧୬.୦୯.୨୧ ରିଖରେ କମିଟି ଏହି ରାସ୍ତା ଅନୁଧ୍ୟାନ କରିବ ବୋଲି ଚଣ୍ଡୀଖୋଲ ଆର.ଟି.ଓଙ୍କ ପତ୍ର ନଂ-୨୦୮୭; ତା୧୪.୦୯.୨୧ ପ୍ରଦାନ କରିଥିଲେ । ହେଲେ ଏହି ପତ୍ର ଦିଆଯିବାର ମାତ୍ର ୨୪ ଘଂଟା ଭିତରେ ପ୍ରଶାସନ ପୁଣି ପଟ୍ଟ ପରିବର୍ତନ କରି ଏହି ଅନୁଧ୍ୟାନକୁ ବାତିଲ କରିଛନ୍ତି । ଏଥିନେଇ ପତ୍ର ନଂ-୨୧୦୬; ତା୧୫.୦୯.୨୧ ପ୍ରଦାନ କରାଯାଇ ଏହି ଅନୁଧ୍ୟାନକୁ ବାତିଲ କରାଯାଇଛି । ଯଦିଓ ଏହି ବାତିଲ ନେଇ କୌଣସି କାରଣ ଦର୍ଶା ଯାଇନାହିଁ ତଥାପି ବିଶ୍ୱସ୍ଥ ସୁତ୍ରରୁ ମିଳିଥିବା ଖବରରୁ ପ୍ରକାଶ, ଏବେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ବେଳେ ମନୋମୁଖୀ ଭାବେ ନିର୍ମାଣ କରାଯାଇ ଥିବାରୁ ଠାଏ ଠାଏ ରାସ୍ତା ଉପରେ ନଦୀ ପରି ପାଣି ବହି ଚାଲିଛି । ଲୋକେ ଜାତୀୟ ରାଜପଥରେ ଯାତାୟତ କରି ନ ପାରି ଜାତୀୟ ରାଜପଥ କଡରେ ଥିବା ଅନ୍ୟ ସଂଯୋଗୀ ଗ୍ରାମ୍ୟ ରାସ୍ତାରେ ଯାତାୟତ କରୁଛନ୍ତି । ରାସ୍ତାର ଏଭଳି ଦୟନୀୟ ଅବସ୍ଥାକୁ ଘଂଟ ଘୋଡାଇବା ପାଇଁ ଏହି ଅନୁଧ୍ୟାନକୁ ବାତିଲ କରାଯାଇଛି ବୋଲି ଅଭିଯୋଗ ଉଠିଛି । ଏଥିନେଇ ଏହି ଅନୁଧ୍ୟାନକାରୀ ଟିମରେ ଥିବା ସତୀଶ ବିଶ୍ୱାଳ ଘୋର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଏହି ଅନୁଧ୍ୟାନକୁ ବାତିଲ କରାଯିବା ଦ୍ୱାରା ଠିକାଦାରଙ୍କୁ ସୁରକ୍ଷା ଦିଆଯାଇ ପାରେ ହେଲେ ଏହା ଲୋକଙ୍କ ଜୀବନ ସହ ଏକ ଖେଳ । ଜାତୀୟ ରାଜପଥ ନିର୍ମାଣ ଆଳରେ ଚାଲିଥିବା ମନୋମୁଖୀ କାର୍ଯ୍ୟ ଏବଂ ଦୁର୍ନିତି ସତେ ଯେମିତି ରାବଣରାଜର ସଂକେତ ପରି ଲାଗୁଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଅନ୍ତତପକ୍ଷେ ଜିଲ୍ଲାପାଳ ଏ କ୍ଷେତ୍ରରେ ଠିକଣା ପଦକ୍ଷେପ ଗ୍ରହଣ କରିବେ ବୋଲି ସମସ୍ତଙ୍କ ଆଶା ଓ ଭରସା ରହିଛି । ନୋଚେତ୍ ଏଥିନେଇ କୋର୍ଟର ଆଶ୍ରୟ ନିଆଯିବ । ଠିକାଦାରଙ୍କ ଚାପରେ ପ୍ରଶାସନ ଚେପା ହୋଇଗଲା ବୋଲି ସାଧାରଣରେ ସୃଷ୍ଟି ହୋଇଥିବା ଧାରଣା ଆମ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନରେ ଗ୍ରହଣୀୟ ନୁହେଁ ବୋଲି ସତୀଶ କ୍ଷୋଭର ସହ କହିଛନ୍ତି । ଏଥିନେଇ ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close