ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି ପାଇଁ ୧୫ ଦିନିଆ କଣ୍ଟ ଦେଲେ ରାଠୋର: ଚରମ ଦୂରାବସ୍ଥା ନେଇ ବିଷଦଗାର କଲେ ସତୀଶ

ଯାଜପୁର;୨୮/୦୮(ବସନ୍ତ କୁମାର ପାତ୍ରଙ୍କ ଠାରୁ: ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ଆଉ ପାଦରେ ଚାଲି ଚାଲି ଯିବା ଭଳି ରାସ୍ତା ଅବସ୍ଥାରେ ବି ନାହିଁ । ଏଥିପାଇଁ ରାସ୍ତା ଏକ ପ୍ରକାର ମରଣଯନ୍ତାରେ ପରିଣତ ହୋଇଛି । ଏଥିନେଇ ସଡକ ସୁରକ୍ଷା ବୈଠକରେ ସତୀଶ ବିଶ୍ୱାଳ ବିଷଦଗାର କରିଥିବା ବେଳେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ଅଧିକ କଠୋର ହୋଇଛନ୍ତି । ୧୫ ଦିନ ଭିତରେ ରାସ୍ତା ମରାମତି ନହେଲେ ସି.ଆର.ପି.ସି ର ୧୩୩ ଧାରାରେ ଠିକାଦାରଙ୍କ ବିରୋଧରେ କେସ ରୁଜୁ କରିବା ପାଇଁ ଚରମ ଚେତାବନୀ ଦେଇଛନ୍ତି । ଚଣ୍ଡୀଖୋଲରୁ ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ଜାତୀୟ ତଥା ରାଜ୍ୟସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା । ହେଲେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ସାଧାରଣ ଜୀବନଯାତ୍ରା ପାଇଁ ରାସ୍ତାଟିକୁ ଗମନା ଗମନ ଉପଯୋଗୀ ରଖିବା କଥା । ଠିକା ସଂସ୍ଥା ଏ ଦିଗକୁ ଆଦୌ ଦୃଷ୍ଟି ଦେଉନଥିବାରୁ ରାସ୍ତା ଦିନକୁ ଦିନ ଅତି ଶୋଚନୀୟ ହୋଇ ପଡିଛି । ରାସ୍ତାରେ ଦୁର୍ଘଟଣାରେ ବହୁ ଧନ ଜୀବନ ଯାଉଛି । ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ରୋକଠୋକ ଚରମ ବାଣୀ ଶୁଣାଇଥିଲେ ଜିଲ୍ଲାପାଳ ରାଠୋର । ଏଥିପାଇଁ ଜାତୀୟ ରାଜପଥର ବିଭାଗୀୟ ଅଧିକାରୀ ମାନଙ୍କୁ ୧୫ ଦିନିଆ କଣ୍ଟ ଦେଇଛନ୍ତି ଜିଲ୍ଲାପାଳ । ଏହା ଭିତରେ କମିଟିର ସଭ୍ୟ ମାନଙ୍କୁ ନେଇ ରାସ୍ତା ପରିଦର୍ଶନ ସହ କମିଟିର ପରାମର୍ଶ ଅନୁସାରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ କହିଥିଲେ ଯେ, ଯେଉଁଠି ଜାତୀୟ ରାଜପଥ ଅବସ୍ଥା ଅଧିକ ଶୋଚନୀୟ ସେହିଠାରୁ ହିଁ ଯାଜପୁର ଜିଲ୍ଲା ଆରମ୍ଭ ବୋଲି ସାଧାରଣରେ ଧାରଣା ସୃଷ୍ଟି ହେଉଛି । ଏହାକୁ ବରଦାସ୍ତ କରାଯିବ ନାହିଁ । ଚଣ୍ଡୀଖୋଲ ଏବଂ ପାଣିକୋଇଲିଠାରେ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ତରଫରୁ ପୋଲିସ ନିୟନ୍ତ୍ରଣରେ ଦୁଇଟି ଆମ୍ବୁଲାନ୍ସ ସହ ଆବଶ୍ୟକ କର୍ମଚାରୀ ରହିବେ । ପୋଲିସ ତରଫରୁ ଦୁର୍ଘଟଣା ସ୍ଥଳକୁ ଏହି ଆମ୍ବୁଲାନ୍ସ ପଠାଯାଇ ଦୁର୍ଘଟଣା ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯିବ । ଏହି ଆଲୋଚନାରେ ସତୀଶ ବିଶ୍ୱାଳ କହିଥିଲେ ଯେ, ଖଣିଜ ଏବଂ ଲଘୁ ଖଣିଜ ଦ୍ରବ୍ୟ ପରିବହନରୁ ସରକାର ବହୁକୋଟି ଟଙ୍କାର ଲାଭବାନ ହେଉଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦୈନିକ ଏହି ରାସ୍ତାରେ ଯାତାୟତ କରୁଛନ୍ତି । ହେଲେ ଠିକା ସଂସ୍ଥା ରାସ୍ତାକୁ ଯେଭଳି ମରଣଯନ୍ତା କରିଛି, ସେଥିରୁ ଏହି ରାସ୍ତା ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ଥିବା ପରି ମନେ ହେଉନାହିଁ । ବଡ ବଡ ହମ୍ପସ ତଳେ ବଡ ବଡ ଖାଲ ହୋଇଥିବାରୁ ଛୋଟ ଛୋଟ କାର ଏବଂ ଦୁଇ ଚକିଆ ଯାନରେ ଯାଉଥିବା ଲୋକେ ଗାଡିରୁ ଓହ୍ଲାଇବାକୁ ପଡୁଛି । ଜାତୀୟ ରାଜପଥରେ ଖାଲ ହୋଇ ଶହ ଶହ ପୋଖରୀ ଗଡିଆ ଥିବା ପରି ମନେ ହେଉଛି । ଏହି ରାସ୍ତାରେ ସରକାରଙ୍କ ତରଫରୁ ୩୦ କିଲୋମିଟରରେ ବେଗରେ ଗାଡି ଚଳାଚଳ ପାଇଁ ନିର୍ଦ୍ଦେଶ ହିଁ ରାସ୍ତାର ଦୁରାବସ୍ଥାକୁ ପ୍ରମାଣିତ କରୁଛି । ଖୋସାଲିପୁର ରେଲୱେ ଓଭରବ୍ରିଜ ରାସ୍ତା ମରାମତି କରା ନଯାଇ ବାରମ୍ବାର ପୋଲର ନିମ୍ନମାନର ବାଡା ମରାମତି କରାଯାଉଛି । ଫଳରେ ଉକ୍ତ ବାଡା ଭାଙ୍ଗି ଯାଉଛି । ସେହିପରି ଚଣ୍ଡିଖୋଲ କଲେଜ ଛକ ଏରିଆ, ଆରୁହା, ପାଖର, ବରଡା, ଚଢେଇଧରା, କବାଟବନ୍ଧ ଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ବିପଦ ଜନକ । କବାଟବନ୍ଧ ବ୍ରିଜ ନେଇ ବାରମ୍ବାର ଆନ୍ଦୋଳନକୁ ବି ଖାତିର କରାଯାଉ ନାହିଁ । ସଡକ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ସୁପ୍ରୀମକୋର୍ଟ ଠାରୁ ସରକାରଙ୍କ ପର୍ଯ୍ୟନ୍ତ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ଏଥିପ୍ରତି ଖାତିର ନାହିଁ । ଜାତୀୟ ରାଜପଥ କର୍ତ୍ତୁପକ୍ଷ ଏ କ୍ଷେତ୍ରରେ ରକ୍ଷକ ହୋଇ ଭକ୍ଷକ ସାଜି ଠିକାଦାରଙ୍କୁ ସୁରକ୍ଷା ଦେଉଛି । ଏହି ରାସ୍ତାରେ ଆବଶ୍ୟକରୁ ଅଧିକ ବିଷାକ୍ତ ପାଉଁସ ବ୍ୟବହାର ହେଉଥିବା ବେଳେ ଏହାର ପ୍ରଦୂଷଣର ବିଷ ବଳୟରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବୈଠକରେ ଯାଜପୁର ଏସ.ପି ରାହୁଲ ପି.ଆର ଯୋଗଦେଇ ଜାତୀୟ ରାଜପଥରେ ମୋଟର ଯାନର ବେଗ ନେଇ ସମୀକ୍ଷା କରିଥିଲେ । ଏହି ଆଲୋଚନାରେ ଯାଜପୁର ଜିଲ୍ଲାଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ, ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ, ଯନ୍ତ୍ରୀବୃନ୍ଦ, ଜିଲ୍ଲାର ପ୍ରମୁଖ ବସ ଓ ଟ୍ରକ ମାଲିକ ସଂଘର ପ୍ରତିନିଧି, ଯାଜପୁର ଏବଂ ଚଣ୍ଡୀଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଏବଂ ଏମ.ଭି.ଆଇ ବୃନ୍ଦ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close