ରାଜ୍ୟରେ ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍
ଭୁବନେଶ୍ୱର;୦୧/୦୭(ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ): ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପୂର୍ବପରି ଏଥର ମଧ୍ଯ ସମସ୍ତ ଜିଲ୍ଲାକୁ କାଟାଗୋରୀ ‘ଏ’ ଓ କାଟାଗୋରୀ ‘ବି’ରେ ବିଭକ୍ତ କରାଯାଇଛି । କାଟାଗୋରୀ ‘ଏ’-ରେ ୨୦ଟି ଜିଲ୍ଲା ରହିଥିବା ବେଳେ କାଟାଗୋରୀ ‘ବି’ରେ ୧୦ଟି ଜଲ୍ଲା ରହିଛି ବୋଲି ପ୍ରେସମିଟରେ ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କାଟାଗୋରୀ ‘ଏ’ରେ ଥିବା ୨୦ଟି ଜିଲ୍ଲା ଗୁଡିକ ହେଲା। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା , ଅଗୁଗୁଳ, କେନ୍ଦୁଝର ଏବଂ ଢ଼େଙ୍କାନାଳ । କାଟାଗୋରୀ ‘ବି’ ରେ ୧୦ଟି ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର । ଏହା ସହିତ ୨୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମିଳିବ । ସାରା ରାଜ୍ୟରେ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ସେହିପରି କାଟେଗୋରୀ ବି’ରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡି ସବୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ସବୁ ଦୋକାନ ସକାଳ ୬ଟାରୁ ୨ଟା ଯାଏ ଖୋଲିବାକୁ ଅନୁମତି ମିଳିଛି । କୋଭିଡ ଗାଇଡଲାଇନ୍ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଠାରେ ଗାଇଡଲାଇନର ଉଲ୍ଲଂଘନ ହେବ, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ମିଳିଛି । ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାର ଅନୁମତି ଦେଇଛନ୍ତି । ଉଠା ଦୋକାନୀ ଦୋକାନ ଖୋଲିପାରିବେ, କିନ୍ତୁ ଜିନିଷ ପାର୍ସଲ ଦେବେ । କାଟେଗୋରୀ ବି’ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । କାଟେଗୋରୀ ବି’ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଏବେ ଅନୁମତି ନାହିଁ । ମଲ୍, ସିନେମା ହଲ୍ ଖୋଲିବ ନାହିଁ ଓ ଯାତ୍ରା ଚାଲିପାରିବ ନାହିଁ । ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ବଳବତ୍ତର ରହିବ । ବାହାଘର, ଶୁଦ୍ଧିକାର୍ଯ୍ୟରେ ଭୋଜି ଦିଆଯିବନି, ଖାଦ୍ୟ ପାସର୍ଲ ଦେବେ ବୋଲି ପଦକ୍ଷେପ ନିଆଯାଇଛି।