ମହାରାଷ୍ଟ୍ରର ‘ରାଜୁରି ଷ୍ଟିଲ’ ଫର୍ନେସ ବିଷ୍ଫୋରଣରେ କୋରାରର ୨ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତୁରନ୍ତ ହସ୍ତକ୍ଷେପ କଲା ଶ୍ରମ ବିଭାଗ
ବ୍ୟାସନଗର,୨୨ା୬(ଉ.ନ୍ୟୁଜ୍ ବ୍ୟୁରୋ): ମହାରାଷ୍ଟ୍ରର ଜଳାନ ଜିଲାର ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ ତରଳ ଷ୍ଟିଲ ଫର୍ନେସରେ ହଠାତ୍ ବିଷ୍ଫୋରଣ ଘଟିବାରୁ ସେଠାରେ କାମ କରୁଥିବା ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ବଡବିରୁଆଁ ଗ୍ରାମର ୦୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ମୃତ ଯୁବକ ଦ୍ୱୟ ହେଲେ ପାଣିକୋଇଲି ଥାନା ଅର୍ନ୍ତଗତ ବଡବିରୁଆଁ ଗ୍ରାମର ବେଣୁଧର କବିିଙ୍କ ସାନପୁଅ ସରୋଜ(୨୨) ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ(୨୪) ହୋଇଥିଲା ବେଳେ ତାଙ୍କ ମଝିଆ ପୁଅ ପ୍ରସନ୍ନ(୨୬) ମଧ୍ୟ ଏହି ବିଷ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧିନ ଥିଲା । ଗତ କାଲି ହେମନ୍ତଙ୍କ ଓ ଆଜି ସରୋଜଙ୍କ ମୃତ ଦେହ ଆସି ସେମାନଙ୍କ ଗ୍ରାମରେ ପହଚିଂବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସେମାନଙ୍କ ଶବ ସତ୍କାର କରାଯାଇଛି । ୰ ହେମନ୍ତ ପଲାଇଙ୍କୁ କମ୍ପାନୀ କର୍ତୃପକ୍ଷ ୦୨ ଲକ୍ଷ ଟଙ୍କା ଦେଇଥିବା ବେଳେ ସରୋଜ କବିଙ୍କୁ ୫୦ ହଜାର ଟଙ୍କା ଦେଇଛନ୍ତି ବୋଲି ସମିତି ସଭ୍ୟ ସୁଶାନ୍ତ ମହାପାତ୍ର କହିଛନ୍ତି । ସରୋଜ ଜଣେ ଅତ୍ୟନ୍ତ ଗରୀବ ଶ୍ରେଣୀର ଯୁବକ । ଘଟଣା ସଂର୍ପକରେ ଯାଜପୁର ଯୁ୍ଗ୍ମ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାପାତ୍ରଙ୍କୁ ଶ୍ରମିକ ନେତା ତଥା ସମାଜସେବୀ ଦୁଷ୍ମନ୍ତ କୁମାର ରାଉତ ଜଣାଇବା ପରେ ଶ୍ରୀ ମହାପାତ୍ର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଚିତ ରଂଜନ ରାଉତ ତଦନ୍ତ ଦାୟିତ୍ୱ ନେଇଥିବା ବେଳେ ଆଜି ସମାଜସେବୀ ଶ୍ରୀ ରାଉତ ତାଙ୍କୁ ଭେଟି ଘଟଣା ବାବଦରେ ଅବଗତ କରିଛନ୍ତି । ଆସନ୍ତା କାଲି ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଚିତ ରଂଜନ ରାଉତ ମୃତ ଶ୍ରମିକମାନଙ୍କ ଘରକୁ ଯାଇ ସରଜମିନ ତଦନ୍ତ କରିବେ ବୋଲି ଆଶ୍ୱସନା ଦେଇଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଗତ କାଲି ରାତ୍ରୀରେ ଘଟଣାର ତତ୍କାଳ ତଦନ୍ତ ପାଇଁ ଆବଶ୍ୟକୀୟ କାଗଜାଦି ଯଥା- ‘ଫର୍ମ-ଜି’ ଓ ‘ଫର୍ମ-ଏଫ’ ଆଦି ପ୍ରସ୍ତୁତ କରିଛନ୍ତି । ଫଳରେ ଉଭୟ ମୃତ ଶ୍ରମିକ ଓ ଗୁରୁତର ଆହତ ଶ୍ରମିକଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ଆଶା କରାଯାଉଛି । ଘଟଣାର ତୁରନ୍ତ ହସ୍ତକ୍ଷେପ ପାଇଁ ଜେ.ଏଲ.ସି ଶ୍ରୀଯୁକ୍ତ ମହାପାତ୍ର ଏବଂ ଡି.ଏଲ.ଓ ଶ୍ରୀ ମହାନ୍ତିଙ୍କୁ ସମାଜସେବୀ ଶ୍ରୀ ରାଉତ ସାଧୂବାଦ ଜଣାଇଛନ୍ତି ।