ଯୁବ ବାସ୍ତୁବିଦ୍ ଦେବାଶିଷ ରାୟଙ୍କ ‘କରୋନା’ରେ ଦେହାନ୍ତ, ବିଭିନ୍ନ ମହଲରେ ଶୋକ
କଟକ,୧୯/୬(ଉ.ନ୍ୟୁଜ୍ ବ୍ୟୁରୋ): ଯୁବ ତଥା ନାମକରା ବାସ୍ତୁବିଦ୍ ଡଃ. ଦେବାଶିଷ ରାୟ ‘କରୋନା’ରେ ସଂକ୍ରମିତ ହୋଇ କଟକ ମଂଗଳାବାଗ ସ୍ଥିତ ଘରୋଇ ହସପିଟାଲ ‘ସାଇ ଆନେକ୍ସ ହସପିଟାଲ’ରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର କିଛି ଦିନ ତଳେ ଦେହାନ୍ତ ହୋଇଯାଇଛି । ଏହି ଯୁବ ବାସ୍ତୁବିଦ୍ ଜଣକ ବିବାହିତ ଥିଲେ ଓ ତାଙ୍କର ଛୋଟ ଛୋଟ ୦୨ ଜଣ ଝିଅ ଅଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଗୋଟିଏ ପୁଅ ହୋଇଥିବାରୁ ବାପ ମାଆ ତାଙ୍କୁ ଚାକିରୀ କରିବାକୁ ବାହାରକୁ ଛାଡି ନ ଥିଲେ । ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । କଟକ, ଯାଜପୁରରୋଡ, ଭୁବନେଶ୍ୱର ଆଦି ସ୍ଥାନରେ ଜଣେ ସଫଳ ବାସ୍ତୁବିଦ୍ ଭାବରେ ସେ ବେଶ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ କଳିଙ୍ଗନଗର ସ୍ଥିତ ‘ନୀଳାଚଳ ଇସ୍ପାତ’ର ଅଧିକାରୀ ଭବାନୀ ଶଙ୍କର ମହାନ୍ତି, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଭଗବାନ ଶୋକ ସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ କାମନା କରିଛନ୍ତି । କରୋନାରେ ଏବେ ଘରୋଇ ମେଡିକାଲରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ବି ମୃତ୍ୟୁ ବେଶିମାତ୍ରାରେ ପରିଲକ୍ଷିତ ହେଉଛି ।