ଉପକୂଳ ଓଡିଶାର ପ୍ରଥମ ସେରୋ ସର୍ଭେ: କୃତଜ୍ଞତା ଜଣାଇଲେ ସତୀଶ ବିଶ୍ୱାଳ
ଯାଜପୁର,୧୯/୦୬(ଉ.ନ୍ୟୁଜ୍ ବ୍ୟୁରୋ): ଦିନକୁ ଦିନ ଯାଜପୁର ଜିଲ୍ଲାରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବିଭିନ୍ନ କାରଣରୁ ଲୋକେ ଗ୍ରାମାଂଚଳରେ କରୋନା ପରୀକ୍ଷା କରୁ ନାହାନ୍ତି । ଫଳରେ ରୋଗ ଶେଷ ଅବସ୍ଥାରେ ପହଂଚିବା ପରେ ପରିସ୍ଥିତି ଅଣାୟତ ହେଉଛି । କରୋନା ରୋଗୀ ରୋଗ ଚିହ୍ନଟ କରି ହୋମ କ୍ୱାରେଂଟାଇନରେ ରହୁ ନ ଥିବାରୁ ସେମାନେ ମଧ୍ୟ ସୁପର ସ୍ପ୍ରେଡର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଅନୁରୋଧ କ୍ରମେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁର ଗାଁରେ ଉପକୂଳ ଓଡିଶାର ପ୍ରଥମ ସେରୋସର୍ଭେ ଗତ କାଲି ଶୁକ୍ରବାର କରାଯାଇଥିଲା । ଏଥିପାଇଁ ସତୀଶ ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଭୁବନପୁର ଏବଂ କୁକୁଡାଖାଳେଇ ଗାଁରେ ବହୁ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଭୁବନପୁରରେ ପ୍ରାୟ ୭ ଜଣ କରୋନା ରୋଗୀ ପୂର୍ବରୁ ଚିହ୍ନଟ ହୋଇଛନ୍ତି । ହେଲେ ଅନେକ ରୋଗୀ ପରୀକ୍ଷା କରୁ ନ ଥିବାରୁ ସେମାନଙ୍କ ରୋଗ ଚିହ୍ନଟ ହୋଇ ପାରୁନାହିଁ । ସେହିପରି କୁକୁଡାଖାଳିରେ ଦୁଇଜଣଙ୍କ ମୃତ୍ୟ ହୋଇଥିଲେ ମଧ୍ୟ ସେମାନେ ପରୀକ୍ଷା କରି ନଥିଲେ । ଧର୍ମଶାଳାର ଅନେକ ଗାଁରେ ଏଭଳି ଦୁରାବସ୍ଥା ନେଇ ସତୀଶ ବିଶ୍ୱାଳ ଗୁରୁବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସହ ବିଭିନ୍ନ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରିଥିଲେ । ଏଥିନେଇ ତତକ୍ଷଣାତ ସରକାରଙ୍କ ତରଫରୁ ସେରୋ ସର୍ଭେ ପାଇଁ ନିଷ୍ପତି ନିଆଯାଇ ଗତ କାଲି ସର୍ଭେ ସହ ଗାଁରେ କରୋନା ପରୀକ୍ଷା ପାଇଁ କ୍ୟାମ୍ପ ପକା ଯାଇଥିଲା । ଏହି ସର୍ଭେ ଏବଂ କ୍ୟାମ୍ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ସୁଧୀର କୁମାର ସାହୁ, ହରିଦାସପୁର ଡାକ୍ତର ଅଜିତ କୁମାର ନାୟକ, ଆୟୁସ ମେଡିକାଲ ଅଫିସର ବିସ୍ମିତା ମହାରଣା, ଆୟୁସ ଡାକ୍ତର ସଂଜୟ କୁମାର ଓଝା, ବ୍ଲକ ପ୍ରୋଗାମିଂ ଅଧିକାରୀ ବିଜୟ ବେହେରା, ଏ.ଏନ.ଏମ ମଧୁସ୍ମିତା ମଙ୍ଗରାଜ, କୋଭିଡ ଫର୍ମାସିଷ୍ଟ ମନୀଷା ସ୍ୱାଇଁଙ୍କ ସହ ପରୀକ୍ଷା ବିଷେଷଜ୍ଞ ଏବଂ ଅଙ୍ଗନବାଡିର କର୍ମଚାରୀମାନେ ଯୋଗ ଦେଇଥିଲେ । ବିଭାଗୀୟ କର୍ମଚାରୀମାନେ ଗାଁରେ ଘର ଘର ବୁଲି ସର୍ଭେ କରିଥିଲେ । ତେବେ ଏହାପରେ ବି ଜ୍ୱର ହୋଇଥିବା ଅନେକ ଲୋକ ପରୀକ୍ଷା ପାଇଁ ଆସି ନ ଥିଲେ । ଏହି ପରୀକ୍ଷାରେ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିନେଇ ସତୀଶ କହିଛନ୍ତି ଯେ, ଲୋକଙ୍କ ନିକଟରେ ସରକାରୀ ସେବା, ସୁବିଧା ଏବଂ ପ୍ରଶାସନ ପହଂଚିବା ନବୀନ ପଟ୍ଟନାୟକଙ୍କ ସରକାରଙ୍କ ମୂଳ ଲକ୍ଷ୍ୟ । ଏହି ଲକ୍ଷ୍ୟର ସଫଳ ରୂପାୟନ ସଫଳ ଉଦ୍ୟମ ଚାଲିଛି । ଧର୍ମଶାଳାରେ ଥିବା ଏଭଳି ଅନେକ ଗାଁରେ ତୁରନ୍ତ ଏଭଳି ସଚେତନତା କରାଯିବା ସହ ସାନିଟାଇଜ କରାଯିବାକୁ ସେ ଅନୁରୋଧ କରିଛନ୍ତି ।