ଆରପାରିରେ ଓଡ଼ିଶା ଭିଜିଲାନ୍ସ ମହାନିର୍ଦ୍ଦେଶକ ଡ଼ଃ. ଦେବାଶିଷ ପାଣିଗ୍ରାହୀ; ରାଜ୍ୟବ୍ୟାପି ଶୋକ

ବ୍ୟାସନଗର/ବାଲେଶ୍ୱର/କଟକ,୧୯/୬(ଉ.ନ୍ୟୁଜ୍ ବ୍ୟୁରୋ): ବରିଷ୍ଠ ଆଇ.ପି.ଏସ ଅଧିକାରୀ, ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ମହାନିର୍ଦ୍ଦେଶକ, ସୁସାହିତ୍ୟିକ, ନାଟ୍ୟକାର ତଥା ଓ ଜଣେ ସର୍ବ ଗୁଣ ସଂପନ୍ନ ତଥା ଅମାୟିକ ବ୍ୟକ୍ତି ଭାବେ ସାରା ରାଜ୍ୟ ଓ ଦେଶରେ ସୁନାମ ଅର୍ଜ୍ଜନ କରିଥିବା ଡ଼ଃ. ଦେବାଶିଷ ପାଣିଗ୍ରାହୀ ଆଉ ଆମ ଗହଣରେ ନାହାନ୍ତି । କରୋନାର କରାଳ ଦାଉରେ ଗତ ମେ ୨୨ ତାରିଖରୁ ସଂକ୍ରମିତ ହୋଇ ସେ କଲିକତାର ଘରୋଇ ସୁପର ସ୍ପେଶାଲିଟି ହସ୍‌ପିଟାଲ ‘ମେଡିକା’ରେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ଗତ କାଲି ଶୁକ୍ରବାର ରାତ୍ର ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା । ଏହି ଖବର ଜଣାପଡିବା ପରେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟ ସମେତ ସମଗ୍ର ରାଜ୍ୟ ଏହି ଦୁଃଖଦ ଘଟଣାରେ ସ୍ତବ୍ଧ ହୋଇଯାଇଛି ।
     ସୁଚନାଯୋଗ୍ୟ, ଡ଼ଃ. ପାଣିଗ୍ରାହୀ ଗତ ମେ ୨୨ ତାରିଖରେ କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା । ସେ ଏହାର ୦୭ ଦିନ ପରେ ଅର୍ଥାତ୍ ତା. ୨୯/୦୬ରେ ସେ ଜଟିଳତା ଅନୁଭବ କରିବାରୁ କଟକର ଘରୋଇ ମେଡିକାଲ ‘ଅଶ୍ୱିନୀ’ରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଟିଂଲେଟରରେ ରଖାଯାଇଥିଲା । ୧୧ ଦିନର ଚିକିତ୍ସା ପରେ ଏଠାରେ ତାଙ୍କ ସ୍ୱାସ୍ଥାବସ୍ଥାରେ କୈାଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ‘ଇକ୍‌ମୋ’ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାର ଆବଶ୍ୟକତା ଉପରେ ମେଡିକାଲ କର୍ତୃପକ୍ଷ କହିଥିଲେ । ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ବୋଲି କୁହାଯାଉଛି । ଫଳରେ କଲିକତାର ‘ମେଡିକା’ ଘରୋଇ ମେଡିକାଲ ୪ଜଣ ଅଭିଜ୍ଞ ଡାକ୍ତରୀ ଦଳ କଟକକୁ ଆସି ଡ଼ଃ. ପାଣିଗ୍ରାହୀଙ୍କୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରସ୍ତୁତି କରି ତା. ୦୮/୦୬ରେ ଏୟାର ଆମ୍ବୁଲାନ୍ସ ଯୋଗେ ସେଠାକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ । ଡ଼ାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ସେ ଗତ କାଲି ରାତ୍ରୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ମଧ୍ୟ ୧ମ ଡୋଜ୍ ‘କରୋନା’ ଟୀକା ନେଇଥିଲେ ବୋଲି ଜଣାଯାଇଛି ।
        ସୁଚନାଥାଉକି, ଡ଼ଃ. ପାଣିଗ୍ରାହୀଙ୍କ ସହଧର୍ମୀଣି ଚୁମ୍‌କି ରଥ କଟକର ଶୈଳବାଳା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଅଛନ୍ତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୁଅ ବଡ଼ ଓ ଝିଅ ସାନ ଅଟନ୍ତି । ପୁଅ ଉଚ୍ଚ ଶିକ୍ଷା ସହ ୫ ବର୍ଷିଆ ଇଂଟିଗ୍ରେଟଡ୍ ଲ’ କରି ନୂଆଦିଲ୍ଲୀର ଏକ ଫାର୍ମରେ ଉଚ୍ଚ ପଦବୀରେ କାର୍ଯ୍ୟରତ ଥିବା ବେଳେ ଝିଅ ଜଣେ ସପ୍ଟୱେୟାର ଇଂଜିନିୟର । ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ଜନ୍ମିତ ଡ଼ଃ. ପାଣିଗ୍ରାହୀ ଜଣେ ଉଚ୍ଚ ଶିକ୍ଷିତ ଜ୍ଞାନୀ, ଗୁଣୀ, କର୍ତବ୍ୟନ୍ଖ୍ର, ମିଷ୍ଟଭାଷୀ, ସାହିତ୍ୟାନୁରାଗୀ ବ୍ୟକ୍ତିଥିଲେ । ସେ ନୀଳଗିରିର କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ, କଟକର ରେଭାନ୍ସା କଲେଜରୁ ବି.ଏ ଓ କଟକର ରେଭାନ୍ସା କଲେଜରୁ ବି.ଏ ଓ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱରରୁ ରାଜନୀତି ବିଜ୍ଞାନରେ ଏମ.ଏ ପାସ କରି ଦିଲ୍ଲୀର ଜେ.ଏନ.ୟୁରୁ ଏମଫିଲ୍ଡ କରିଥିଲେ । ଏହାପରେ ସେ ପୁନଶ୍ଚ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ବି ସହ ରାଜନୀତିକ ଅର୍ଥନୀତିରେ ପି.ଏଚ.ଡି ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ତାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତି ପାଇଁ ୨୦୦୨ ମସିହାରେ ସମ୍ମାଜଜନକ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ପୁରସ୍କାର ପ୍ରଦାନ କରାଯାଇଥିଲେ । ତାଙ୍କର ୦୬ଟି ଉପନ୍ୟାସ ଓ ୦୯ଟି କ୍ଷୁଦ୍ର ଗଳ୍ପ ଓଡ଼ିଆ ଭାଷାରେ ଲେଖି ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛନ୍ତି । ତାଙ୍କର ଇଂରାଜୀ ଉପନ୍ୟାସ ‘ଦିଙ୍ଗସ୍ ଲେପ୍ଟ ଅନଉସେଡ’ ବହୁ ଆଦୃତ ହୋଇଛି । ତାଙ୍କର କେତେକ ପୁସ୍ତକ ଇଂରାଜୀ, ବଂଙ୍ଗଳା, ତେଲ୍‌ଗୁ, କନ୍ନଡ ଆଦି ଭାଷାରେ ଅନୁବାଦିତ ହୋଇଛି । ତାଙ୍କର ବହୁ ଗୀତ ଓ ନାଟକ ‘ଅଡିଓ’ ଓ ‘ଭିଡିଓ’ ଆଲବମ ପ୍ରସ୍ତୁତ ହେବା ସହ ଅନେକ ନାଟକ ମଧ୍ୟ ଟେଲିଭିଜନ ଓ ସିନେମା ଜରିଆରେ ପ୍ରସାରିତ ହୋଇ ଲୋକାଦୃତ ହୋଇଥିଲା । ସେ ୧୯୯୧ରେ ଆଇ.ପି.ଏସ ପାଇ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା-କେଉଁଝର, ପୁରୀ, ଗଂଜାମ, ଭୁବନେଶ୍ୱର, କଟକ ଇତ୍ୟାଦି ସ୍ଥାନରେ ଏସ.ପି ଭାବେ ସଫଳତା ଓ ଦକ୍ଷତାର ସହ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଥିଲେ । ସେ ଡି.ଆଇ.ଜି (ଆଡମିନ୍‌ଷ୍ଟ୍ରେସନ), ଆଇ.ଜି ପୋଲିସ (କାର୍ମିକ), ଆଇ.ଜି ପୋଲିସ (ଆଧୂନିକରଣ), ଆଡିସନାଲ ଡି.ଜି (କାର୍ମିକ), କଟକ ମୁଖ୍ୟାଳୟ ସମେତ ଗୃହ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅତ୍ୟନ୍ତ ଦକ୍ଷତା ଓ ସଫଳତାର ତୁଲାଇ ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଂଶସିତ ହୋଇଥିବାର ଜଣାଯାଇଛି । ଜଣେ ଅତ୍ୟନ୍ତ ଷ୍ଠାଫ୍ ବତ୍ସଳ ଓ ବିଭାଗ ଅନୁରାଗୀ ଅଧିକାରୀ ଭାବେ ବେଶ ଜଣାଶୁଣା । ତାଙ୍କ ଅଧସ୍ତନ ବହୁ କର୍ମଚାରୀ ତାଙ୍କର ଏପରି ବିୟୋଗ ଖବର ପାଇଁ ଭାଙ୍ଗି ପଡ଼ିଛନ୍ତି ଓ ପ୍ରାୟ ସମସ୍ତଙ୍କ ମୁହଁରେ କହିବାକୁ କିଛି ଭାଷା ନାହିଁ ।

              ଡ଼ଃ. ପାଣିଗ୍ରାହୀଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଦେଶ ଜଣେ ଉତମ ପୋଲିସ ଅଧିକାରୀ ଓ ସାହିତ୍ୟିକଙ୍କୁ ହରାଇଲା ବୋଲି ଉଲ୍ଲେଖ କରିଛନ୍ତି । ଇଶ୍ୱର ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହ ପରିବାରକୁ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ସେ କହିଛନ୍ତି । ତାଙ୍କ ବିୟୋଗରେ ‘ଉଦୟବଟ’ ପରିବାର ଗଭୀର ଭାବେ ମର୍ମାହତ ହୋଇଛି । ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ରାଜ୍ୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ‘ଉଦୟବଟ’ର ଅଭିଷେକ ମଲ୍ଲ, ସୁମିତ୍ରା ମିଶ୍ର, ପ୍ରଫୁଲ୍ଲ ବାରିକ, ଗୈାରୀଶଂକର ପତି, ‘ଉଦୟବଟ’ର ରସୁଲପୁର ପ୍ରତିନିଧି ପଦ୍ମଲୋଚନ ନାୟକ, ‘ଉଦୟବଟ’ର ବାଲେଶ୍ୱର ଜିଲ୍ଲା ପ୍ରତିନିଧ ବ୍ରଜଗୋପାଳ ସେନ, ‘ଉଦୟବଟ’ର ବାଲେଶ୍ୱର ସହଯୋଗୀ ସଂପାଦକ ଆଡ୍‌ଭୋକେଟ ଅଖିଳ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ଷ୍ଟାଫ୍ ନର୍ସ ତଥା ସମାଜସେବିକା ଉର୍ମିଳା ନାୟକ, ସମାଜସେବୀ ରୋଟାରିଆନ ସୁଦୀପ୍ କୁମାର ମିଶ୍ର, ଯୁବ ସମାଜସେବୀ ଚକ୍ରଧର ମଲ୍ଲିକ, ସମାଜସେବୀ ତଥା କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଭଗବାନଙ୍କ ଠାରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ପ୍ରଭୂ ଜଗନ୍ନାଥ ଧୈଯ୍ୟ ଓ ସାହାସ ପ୍ରଦାନ କରିବାକୁ ସେମାନେ ପ୍ରାର୍ଥନା କରିଛନ୍ତି ।

        ଉଲ୍ଲେଖଥାଉକି, ଡ଼ଃ. ପାଣିଗ୍ରାହୀ କଲିକତା ‘ମେଡିକା’ ଡାକ୍ତରଖାନାର ଅଧ୍ୟକ୍ଷ ଡ଼ା. ଆଲୋକ ରୟ, ଯକୃତ ବିଭାଗ ମୁଖ୍ୟ ପ୍ରଦୀପ କୁମାର ସେଠୀ, ‘ଏକ୍‌ମୋ’ ବ୍ୟବସ୍ଥାର ମୁଖ୍ୟ ଡ଼ା. ଦୀପାଞ୍ଜନ, ଡ଼ା. ଅର୍ପଣ ଚକ୍ରବର୍ତୀ, ଡ଼ା. ତନ୍ମୟ ବାନାର୍ଜୀଙ୍କ ତତ୍ୱାବଧାନରେ ଚିକିତ୍ସିତ ହେଉଥିଲେ । ଆଜ୍‌ମା, ଯକୃତ ସମସ୍ୟା, ଫୁସ୍‌ଫୁସ ସଂକ୍ରମଣ, ଡାଇବେଟିସ, ନିମୋନିଆ ଆଦି ଯାବତୀୟରେ ରୋଗର ଉପଶମ ପାଇଁ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଅମ୍ଳଜାନ ସ୍ତର ଅଧିକାଂଶ ବେଳେ ନିମ୍ନରେ ରହୁଥିଲା । ସେ କୋଭିଡ଼ ସଂକ୍ରମିତ ଥିଲେ ସୁଦ୍ଧା ସେଠାରେ ତାଙ୍କୁ ‘ନନ୍ କୋଭିଡ଼’ ଭାବେ ଚିକିତ୍ସା କରାଯାଉଥିଲା । ତେଣୁ ତାଙ୍କର ଦେହାନ୍ତ ପରେ ତାଙ୍କୁ ଜଣେ ଅଣ-କୋଭିଡ଼ ରୋଗୀ ଭାବେ ବିବେଚନା କରାଯାଇ ସାଧାରଣ ମୃତଦେହ ଭାବେ ଆଜି ସକାଳୁ ତାଙ୍କ ମର ଶରୀରକୁ ଓଡ଼ିଶା ପଠାଯିବାର ବ୍ୟବସ୍ଥା ହୋଇଥିଲା । ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ୪୫ମି. ସମୟରେ ତାଙ୍କ ପାର୍ଥିବ ଶରୀର ଆସି କଟକର କ୍ୟାଂଟନମେଂଟ ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଚିଂଥିଲା । ସେଠାକୁ ରାଜ୍ୟ ସରକାରଙ୍କ କେତେକ ବରିଷ୍ଠ ପ୍ରଶାସକ, ଦୁର୍ନୀତି ନିବାରଣ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କୁ ତାଙ୍କ ଶେଷ ଦର୍ଶନ ପାଇଁ ଅନୁମତି ମିଳିଥିଲା । ଏହା ପରେ କଟକର ଖାନନଗର ସ୍ଥିତ ଶଶ୍ମାନକୁ ତାଙ୍କ ଶବ ସତ୍କାର ପାଇଁ ନିଆଯାଇଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close