
ବ୍ୟାସନଗର ସହରରେ ଲକ୍ଡାଉନ କଟକଣାର ସମୀକ୍ଷା କଲେ ଏସ.ପି, ପୋଲିସ ପକ୍ଷରୁ ଯାଂଚ ଜାରୀ
ବ୍ୟାସନଗର,୦୬/୫(ଟିକାୟତ ପାଲ/ ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଚଳିତ ମାସ ୦୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନିଆ ଲକ୍ଡାଉନ ପାଇଁ ଚଳଚଂଚଳ କ୍ରୋମନଗରୀ ବ୍ୟାସନଗର ଏବେ ଖାଁ ଖାଁ । ଦିନ ୧୨ଟା ପରେ ଚାରିଆଡେ ଜନ୍ୟଶୂନ୍ୟ ରାସ୍ତାଘାଟ । ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ପୋଲିସ ଅଧିକାରୀ ପବିତ୍ର କୁମାର ମହାରଣା ପ୍ରମୁଖଙ୍କ ଉଦ୍ୟମରେ ଲକ୍ଡାଉନ ନିୟମକୁ ସହରରେ କଡ଼ାକଡି କରାଯାଉଥିବା ବେଳେ ଅମାନିଆଙ୍କୁ କୈଫତ୍ ମଗାଯିବା ସହ ଅକାରଣରେ ବଜାରରେ ବୁଲୁଥିବା ମୋଟର ସାଇକେଲ ଆରାହୀ ଆଦିଙ୍କ ଠାରୁ ପୋଲିସ ଫାଇନ ଆଦାୟ କରୁଥିବାର ଦେଖାଯାଉଛି । ଆଜି ଗୁରୁବାର ଚଳିତ ଲକ୍ଡ଼ାଉନର ୨ୟ ଦିନରେ ସହରରେ ଶାନ୍ତି ବଜାୟ ରହିଥିବା ବେଳେ ପୋଲିସ ଯାଂଚରେ ସ୍ଥାନୀୟ ଡାକବଂଗଳା ଛକରେ କିଛି ଅମାନିଆ ଫସିଯାଇ ଫାଇନ ଦେଇଥିବାର ଜଣାଯାଇଛି । ସହରର ବିଭିନ୍ନ ପ୍ରମୁଖ ଛକମାନଙ୍କରେ ପୋଲିସ ପଇଁତରା ମାରୁଥିବା ବେଳେ ପି.ସି.ଆର ଭ୍ୟାନ ସହରର ରାସ୍ତାଘାଟରେ ଘୁରି ବୁଲୁଛି । ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଦିନରାତି ଏକାକାର କରି କାର୍ଯ୍ୟରେ ଲାଗିପଡିଛନ୍ତି । ବ୍ୟାସନଗର ପୈାର ପରିଷଦ ଅଂଚଳରେ ଲକ୍ଡାଉନ କିକରି ଚାଲିଛି ସ୍ଥିତି ପରଖିବାକୁ ଯାଜପୁର ଏସ.ପି ରାହୁଲ ପି.ଆର ଗତକାଲି କ୍ଷେତ୍ର ପରିଦର୍ଶନ କରି ଫେରିଯାଇଥିଲେ ।