ଭୁବନେଶ୍ୱର ଅତିରିକ୍ତ ଶ୍ରମ ଆୟୁକ୍ତଙ୍କ ଆରୋଗ୍ୟ କାମନା କରି ଯାଜପୁରରୋଡ ଫରେଷ୍ଟ ଅଫିସ ପାଖ ହନୁମାନ ମନ୍ଦିରରେ ସମୂହ ଦୀପଦାନ ଓ ପ୍ରାର୍ଥନା
ବ୍ୟାସନଗର,୨୯/୪: ସ୍ଥାନୀୟ ଫରେଷ୍ଟ ଅଫିସ ନିକଟରେ ଥିବା ପବନ ନନ୍ଦନ ପ୍ରଭୁ ହନୁମାନଙ୍କ ମନ୍ଦିରରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଅତିରିକ୍ତ ଶ୍ରମ ଆୟୁକ୍ତ ସୁନୀଲ କୁମାର ସାହୁଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଏକ ସମୂହ ଦୀପଦାନ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାପାତ୍ରଙ୍କ ପରାମର୍ଶ କ୍ରମେ ଓ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ସାହୁ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସାହୁ ଗତ କାଲି କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର ସ୍ଥିତ ‘କିମ୍ସ’ ମେଡିକାଲରେ ଚିକିତ୍ସିତ ଅଛନ୍ତି । ତାଙ୍କ ଚିକିତ୍ସା ପାଇଁ ଜେ.ଏଲ.ସି ଶ୍ରୀଯୁକ୍ତ ମହାପାତ୍ର ତଦାରଖ ମଧ୍ୟ କରୁଛନ୍ତି । ଉଲ୍ଲେଖଥାଉକି, ଶ୍ରୀଯୁକ୍ତ ସାହୁ ଯାଜପୁରର ଯୁଗ୍ମ ଶ୍ରମ କମିଶନର ଭାବେ ଏଠାରେ ପ୍ରାୟ ୫ ବର୍ଷ ସଫଳତାର ସହ କାର୍ଯ୍ୟ କରିଯାଇଛନ୍ତି । ସେ ଜଣେ ଭଦ୍ର, ଅମାୟିକ ବ୍ୟକ୍ତିବିଶେଷ ଓ ମୁରବି ଶ୍ରେଣୀର ଅଧିକାରୀ ଭାବେ ଏଠାରେ ଦୀର୍ଘ ଦିନ କାର୍ଯ୍ୟ କରି ନିଜ କାର୍ଯ୍ୟାଳୟ ସମେତ ପ୍ରାୟ ସବୁବର୍ଗର ବ୍ୟକ୍ତିବିଶେଷଙ୍କ ସହ ଉତମ ସଂର୍ପକ ସ୍ଥାପନ କରିଯାଇଛନ୍ତି । ଏଠାରେ ଅନୁଷ୍ଠିତ ଦୀପଦାନ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ଚିତରଂଜନ ରାଉତ, ଗ୍ରାମୀଣ ଶ୍ରମ ନିରୀକ୍ଷକ ସଂଜିତ୍ କୁମାର ଦେଓ, ଇନ୍ଷ୍ଟ୍ରକ୍ଟର ରବିନାରାୟଣ ସାମଲ, କୋର୍ଡିନେଟର ସ୍ୱର୍ୱପ କାନୁନଗୋ, ସୁରେନ୍ଦ୍ର ବିକ୍ରମ ଜେନା (ମନୋଜ), ମହେଶ କୁମାର ସୁନାନୀ, ଦେବଶ୍ରୀ ପଣ୍ଡା, ଶ୍ରମିକ ନେତା କାର୍ତିକେଶ୍ୱର ପଲାଇ, ପ୍ରକାଶ ଚନ୍ଦ୍ର ଜେନା, ‘ଉଦୟବଟ’ର ସଂପାଦକ ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇ ପ୍ରଭୁ ହନୁମାନଙ୍କ ନିକଟରେ ଉଭୟ ଶ୍ରୀ ସାହୁ ଓ ଶ୍ରୀମତୀ ସାହୁଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବା ସହ ସମୂହ ଦୀପଦାନ କରିଥିଲେ । ଏଥିସହିତ ସମାଜରୁ କରୋନା ସଂକ୍ରମଣ ହ୍ରାସ ପାଇବା ପାଇଁ, ଶ୍ରମଜୀବୀଙ୍କ ସହ ସମସ୍ତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପ୍ରଭୂଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।