ଯାଜପୁର-କେଉଁଝର ରୋଡ ରେଳ ଧାରଣାରୁ ମନଇଚ୍ଛା ମୋହରମ ଚୋରୀ; ଲୁଟେରା ମାଲେମାଲ

ବ୍ୟାସନଗର,୩୦/୩: ଯାଜପୁର ଜିଲ୍ଲାର ଯାଜପୁରରୋଡ ଠାରେ ଅବସ୍ଥିତ ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍ ଲିମିଟେଡ କାରଖାନା (ଇଫ୍‌କାଲ)ର ବହୁ ସଂପତି ଉଚିତ ପଦକ୍ଷେପର ଅଭାବରୁ ପାଣିରେ ମିଳାଇ ଯାଉଥିବା ଭଳି ଘଟି ଚାଲିଥିଲେ ହେଁ ଏହା ପ୍ରତି ଖବର ରଖିବାକୁ କେହି ନ ଥିବା ଭଳି ମନେ ହୁଏ । କିଛି ମାସ ତଳେ କାରଖାନାରୁ ଆବଶ୍ୟକୀୟ ଜମି ନେଇ ଏଲ ଆଣ୍ଡ ଟି କର୍ତୃପକ୍ଷ ତାଙ୍କର ଫେବ୍ରିକେସନ ୟାର୍ଡ କରିଥିଲେ । କଳିଙ୍ଗନଗର ଶିଳ୍ପାଂଚଳର ଟାଟା ଷ୍ଟିଲ କାରଖାନାରୁ ଏଠାରୁ ଫେବ୍ରିକେସନ ସାମଗ୍ରୀ ଯାଇ ଖଂଜା ଯାଉଥିଲା । ପରେ ଏହି ୟାର୍ଡରୁ କାମ ବନ୍ଦ ହେବା ପରେ ପୁଣି ଏହା ଇଫ୍‌କାଲ ହାତକୁ ଆସିଥିଲା । ଇଫ୍‌କାଲର ତତ୍‌କାଳୀନ ସିକୁରିଟି ମ୍ୟାନେଜର ବିଦ୍ୟାଧର ଆଇଚଙ୍କ ଅପରଗତା ପାଇଁ ଏହି ୟାର୍ଡରୁ ରୀତିମତ ଚୋରୀ ହୋଇ ଚାଲିଲା । କିଛି ଦିନ ପରେ ଏହି ଜମିକୁ ଶାଗମାଛ ଦରରେ କନକର୍ଡ କର୍ପୋରେସନକୁ ଦିଆଯାଇଥିଲା । ଏହି ଜମି ହସ୍ତାନ୍ତର ବେଳେ ସଚିବାଳୟରେ ଫିକ୍ସିଂ ହୋଇଥିବାର ସେତେବେଳେ ଶୁଣାଯାଇଥିଲା । ପରେ ଏହି ଜମିରେ କାର୍ଯ୍ୟ ଆଗେଇ ଚାଲିଲା । କିଛି ସ୍ଥାନୀୟ ବ୍ୟକ୍ତି ଯେଉଁମାନେ କି ନିଜ ଫାଇଦା ପାଇଁ ସବୁ ଅନର୍ଥ ଭିଆଇବାରେ ପାରଙ୍ଗମ ସେମାନଙ୍କୁ ଠିକା କାର୍ଯ୍ୟ ନେଇଥିବା ଠିକାଦାର ଯେନତେନ ପ୍ରକାରରେ ସନ୍ତୁଷ୍ଟ କରି କାମ ଚଳାଇ ନେଲେ । ନିର୍ମାଣର ମାନ କଥାକୁ ପଛରେ ପକାଇ ଠିକାଦାର ଲାଭ ପାଇଁ ବ୍ୟଗ୍ର ଥିବା ବେଳେ କିଛି ହାତଗଣତି ସୁବିଧାବାଦୀ ବ୍ୟକ୍ତି ଚାନ୍ଦା ଭେଦା ଠାରୁ ଆରମ୍ଭ କରି ପାଇଦା ପଛରେ ହିଁ ଧାଇଁଛନ୍ତି । ସବ୍‌ଲେଟରେ କାମ ନେଇଥିବା କିଛି ବ୍ୟକ୍ତିଙ୍କୁ ସନ୍ତୁଷ୍ଟିକରଣ ନୀତିରେ କାମ ଦିଆଯାଇଥିବାର ଦେଖାଯାଏ । ଏହାଛଡା ଦୀର୍ଘବର୍ଷ ଧରି ଫେରୋକ୍ରୋମ କାରଖାନାକୁ ଯାଇଥିବା ରେଳଧାରଣା ଯାହାକୁକି ରାଜ୍ୟ ସରକାର କୋଟି କୋଟି ଟଙ୍କାରେ ନିର୍ମାଣ କରିଥିଲେ ତାହାକୁ ବିନା ମୂଲ୍ୟରେ ଏହି ପ୍ରକଳ୍ପ ପାଇଁ ଟେକି ଦିଆଗଲା । କୋଟି କୋଟି ଖର୍ଚ୍ଚ କରିଥିବା ଫେରୋକ୍ରୋମ କାରଖାନାକୁ ଏ ବାବଦରେ କେତେ ଟଙ୍କା ମିଳିଲା ତାହା ଏବେ ସନ୍ଦେହ ଘେରରେ । ବରଂ କାମ ନେଇଥିବା ‘ମୋନାଲିସା କନଷ୍ଟ୍ରକ୍ସନ’କୁ ଫାଇଦା ପରେ ଫାଇଦା ଅଜାଡି ଦିଆଯିବା ଭଳି ବ୍ୟବସ୍ଥା କରିଦିଆଗଲା । ଫେରୋକ୍ରୋମ କାରଖାନାର ପୁରୁଣା ରେଳ ଲାଇନ ବନ୍ଧକୁ ଭାଙ୍ଗି ସମତଲ କରିବା ବାବଦରେ ଅର୍ଥ ଦିଆଯାଉଥିବା ବେଳେ ବନ୍ଧରୁ ମିଳୁଥିବା ଅଜସ୍ର ପରିମାଣର ମୋହରମ ଓ ମୋହରମ ମିଶା ମାଟିକୁ ବାହାରେ ଏହି ସଂସ୍ଥାର ମାଲିକ ପଣ୍ଡା ବାକୁ ବିକ୍ରିବଟା କରି ମାଲେମାଲ ହେଉଥିବାର ଦେଖାଯାଉଛି । ରାତ୍ରୀରେ ଏହି କାରବାର ବେଶି ହେଉଥିବାର ଖବର ମିଳୁଛି । କୁହାଯାଉଛି ଜନୈକ ନେତା ଏହି କାରବାରର ମୁଖ୍ୟ କାର୍ପଟଦାର ସାଜିଛନ୍ତି । ସେ ଯାହାକୁ ଯେତିକି ଟ୍ରିପ୍ ଦେବାକୁ ଚିଠା ଦେଉଛନ୍ତି ସେହି ଅନୁପାତରେ ଠିକାଦାର ମୋହରମ ବାହାରକୁ ଛାଡୁଛନ୍ତି । ହାତଗଣତି କେତେକ ବ୍ୟକ୍ତି ଓ ଯୁବକ ବନ୍ଧ ସମାନ ହେଲା ପରେ ବ୍ୟାସ ସରୋବର ପଟରୁ ଚୋର ସାହିକୁ ପଶିବାର ଆରୋପ କରି ଠିକାଦାରଙ୍କ ଠାରୁ ଚନ୍ଦାଉଥିବା ବେଳେ ଆହୁରି କେତେକ ଏଟା ହେବ ସେଟା ହେବ ବୋଲି ଆଳ କରି ମଧ୍ୟ ଚନ୍ଦାଉଛନ୍ତି । ଯଦିବା ଏହା ଏବେ ରେଳବାଇ ଅଧିନକୁ ଚାଲିଯାଇଛି ତେବେ ଏଠାରୁ ଶହ ଶହ ଟ୍ରିପ୍ ମୋହରମ ବାହାରକୁ ଯାଉଛି କିପରି ? ? ରେଳବାଇର ଆର.ପି.ଏଫ୍‌, ଜି.ଆର.ପି ସମେତ ସ୍ଥାନୀୟ ପୋଲିସ ଏହି କାରବାରକୁ ଧରୁନାହାନ୍ତି କାହିଁକି ? ବିଶେଷକରି ଟ୍ରାକ୍ଟରରେ ବୋହି ନିଆଯାଉଥିବା ମୋହରମ ଏବେବି ସ୍ଥାନୀୟ ଇଲାକା ଓ ଯାଜପୁରରୋଡର ବହୁ ବ୍ୟକ୍ତିବିଶେଷଙ୍କ ଘର, ବାଡି, ଅଗଣା, ରାସ୍ତା ଆଦିରେ ଅନାୟସରେ ପଡୁଥିବା ବେଳେ ରାତ୍ରୀରେ କେତେକ ମାଫିଆମାନେ ବାହାରକୁ ଏହାକୁ ଚାଲାଣ କରୁଛନ୍ତି । ଟ୍ରାକ୍ଟର ପିଛା ୦୧ ହଜାରରୁ ୧୨ଶହ ଟଙ୍କା ଏହା ସ୍ଥାନୀୟ ଅଂଚଳରେ ବିକ୍ରି ହେଉଥିବାର ଶୁଣାଯାଏ । ରେଳଧାରଣାକୁ ମୋଫତ ଇଫକାଲ କର୍ତୃପକ୍ଷ କେଉଁ ପରିସ୍ଥିତିରେ ଛାଡିଦେଲେ ଓ ଏହା ରେଳବାଇ ଅଧିନକୁ ଗଲା ପରେ କାମ ପାଇଥିବା ଠିକାଦାର ବିଶ୍ୱାସ ନ ରଖି କାହିଁକି ଚୋରୀକୁ ଉସୁକାଉଛନ୍ତି ଏ ବାବଦରେ ବିଧିବଦ୍ଧ ତଦନ୍ତ ଦାବୀ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ସମାଜସେବୀ, ଶ୍ରମିକ ନେତା ତଥା ଯାଜପୁରରୋଡ ରେଳ ଡିଭିଜନ ଦାବୀ ଆନ୍ଦୋଳନର ପୁରୋଧା ଦୁଷ୍ମନ୍ତ କୁମାର ରାଉତ । ଆଗାମି ଦିନରେ ଏ ବିଷୟରେ ଉପରିସ୍ଥ କର୍ତୃପକ୍ଷ, ସି.ବି.ଆଇ, ରାଜନେତା ଆଦିଙ୍କ ସେ ଧ୍ୟାନ ଆକର୍ଷଣ କରିବେ ବୋଲି କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close