ବ୍ୟାସନଗରରେ ୩ ଦିନିଆ ସ୍ୱଚ୍ଛତା ସର୍ବେକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ, ଆଉ ୧୫ଟି ବ୍ୟାଟେରୀ ଚାଳିତ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଅଟୋ ଗାଡି ସଫେଇ କାର୍ଯ୍ୟରେ ସାମିଲ
ବ୍ୟାସନଗର, ୨୦/୧୧ (ବିଶ୍ୱରଂଜନ ପଟ୍ଟନାୟକ/ସନ୍ତୋଷ ରଥଙ୍କ ଠାରୁ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦରେ ୨ୟ ପର୍ଯ୍ୟାୟରେ ଆଉ ୧୫ ଗୋଟି ନୂଆ ବ୍ୟାଟେରୀ ଚାଳିତ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଅଟୋ ଗାଡି ଚାଳନାର ଶୁଭାରମ୍ବ ପୈାର ପରିଷଦର ପ୍ରଶାସନିକ ଅଧିକାରୀ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ କରକମଳରେ ଆଜି ଅନୁଷ୍ଠିତ ହୋଇଯାଇଛି । ପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉକ୍ତ ଗାଡିଗୁଡିକୁ ଚାଳନା କରାଯାଇ ସହର ପରିକ୍ରମା କରାଯିବା ସହ ସ୍ୱଚ୍ଛତାର ବାର୍ତା ଦିଆଯାଇ ସଚେତନତା ସୃଷ୍ଟି କରାଯାଇଥିଲା । ସୂଚନାଯୋଗ୍ୟ, ୨-୩ ମାସ ପୂର୍ବରୁ ପୈାର ପରିଷଦ ପକ୍ଷରୁ ଏଭଳି ୦୬ଟି ଗାଡିକୁ ବର୍ଜବସ୍ତୁ ପରିଚାଳନାରେ ନିୟୋଜିତ କରି ସଫଳତା ମିଳିବା ପରେ ପୁଣି ୧୫ଗୋଟି ଗାଡିକୁ ଅଣାଯାଇଛି । ଆସନ୍ତା କାଲି ଠାରୁ ମୋଟ ୨୧ଟି ଅଟୋ ଗାଡି ଦ୍ୱାରା ସହରର ୨୬ଟି ୱାର୍ଡ଼ରେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯିବା ସହ ଏହି ଅଳିଆକୁ ଆଉ ବାହାରେ ଫୋପଡା ନ ଯାଇ ସବୁ ଅଳିଆ ତକକୁ ସହରର ଚାନ୍ଦମା ଓ ବ୍ୟାସ ସରୋବର (ଯୋଡାବର)ରେ ଥିବା ୦୨ଟି ମାଇକ୍ରୋ କମ୍ପୋଷ୍ଟ ସେଟଂରକୁ ନିଆଯାଇ ତାହାକୁ ରି-ସାଇକ୍ଲିଂ ଜରିଆରେ ଖତ ପ୍ରସ୍ତୁତ କରାଯାଇ ପୁନଃ ବ୍ୟବହାର ଉପଯୋଗୀ କରାଯିବ । ସ୍ୱଚ୍ଛତାରେ ବ୍ୟାସନଗର ସହରକୁ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପୈାର ପ୍ରଶାସକ ଶ୍ରୀ ମିଶ୍ର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ସ୍ୱୟଂ ସହାୟକା ଗୋଷ୍ଠୀର ସମସ୍ତ ସଭ୍ୟା ଓ ପୈାର କର୍ମଚାରୀମାନେ ଉଦ୍ୟମରତ ଅଛନ୍ତି । ଶ୍ରୀ ମିଶ୍ର ଓ ଶ୍ରୀ ଜେନା ସ୍ୱୟଂ ସହାୟକା ଗୋଷ୍ଠୀର କାର୍ଯ୍ୟରତ ସମସ୍ତ ସଭ୍ୟା, ସଫେଇ କର୍ମଚାରୀ, ପୈାର କର୍ମଚାରୀ ଓ ସର୍ବୋପରି ବ୍ୟସନଗରବାସୀମାନଙ୍କୁ ଏହା ହାସଲ ପାଇଁ ଆହ୍ୱାନ ଦେଇଥିଲେ । ଆଜି ଦିବା ୧୧ଟା ୪୦ମି. ସମୟରେ ସଫେଇ କର୍ମଚାରୀମାନଙ୍କୁ ନେଇ ଏକ ସ୍ୱଚ୍ଚତା ପ୍ରଶିକ୍ଷଣ ଶିବିର ସ୍ଥାନୀୟ କଳିଙ୍ଗନଗର ଉନ୍ନୟନ କର୍ତୃପକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଶିକ୍ଷଣ ନେଇଥିବା ୫୦ଜଣ ସଫେଇ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ୦୨ ଜଣ ସ୍ୱଚ୍ଛ ସାଥି: ବିଦ୍ୟୁତ୍ପ୍ରଭା ରାୟ ଓ ସ୍ମୃତିରେଖା ପଣ୍ଡା, ସ୍ୱଚ୍ଛ ସୁପରଭାଇଜର ରଶ୍ମିତା ବିଶ୍ୱାଳ, ୦୨ଜଣ ଅଟୋ ଚାଳକ ଲକ୍ଷ୍ମିପ୍ରୀୟା ଓ ସସ୍ମିତା ରାଉତଙ୍କୁ ପୈାର ପ୍ରଶାସକ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରିଥିଲେ । ନିର୍ବାହୀ ଅଧିକାରୀ ଶ୍ରୀ ଜେନା ଏ ସମସ୍ତ କାର୍ଯ୍ୟକୁ ସୁଚାରୂ ରୂପେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପୈାର କର୍ମଚାରୀ ସହୟତା କରିଥିଲେ ।