ସୁମନ ପାଇଲେ ଅଶୋକ ବିଶ୍ୱାଳ ସ୍ମୃତି ସମ୍ମାନ
ବରୀ,୧୭ା୯: ଯାଜପୁର ଜିଲ୍ଲା ଛତିଶଦେବିଲ ଏନ୍ଏମ୍ ହାଇସ୍କୁଲର ଛାତ୍ର ସୁମନ କୁମାର ବିଶ୍ୱାଳ ଚଳିତବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରଥମ ଅଶୋକ ବିଶ୍ୱାଳ ସ୍ମୃତି ସମ୍ମାନ-୨୦୨୦ ଲାଭ କରିଛନ୍ତି । ଏନ୍ସିଆନ୍ ୧୯୮୨-୮୬ ଗ୍ରୁପ୍ ଦ୍ୱାରା ସ୍ୱର୍ଗତ ଅଶୋକ ବିଶ୍ୱାଳଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ ଉତ୍ସବ କୋଭିଡ୍-୧୯ ଗାଇଡ୍ ଲାଇନ୍ ଅନୁଯାୟୀ ଆୟୋଜିତ ହୋଇଥିଲା । ଏଥିରେ ଏନ୍ସିଆନ୍ ଗ୍ରୁପ୍ର ସଦସ୍ୟ ତଥା ସାଧୁଗୌଡେଶ୍ୱର ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଦେବୀପ୍ରସାଦ ସାହୁ, ଯାଜପୁର ସ୍ୱସ୍ତିକ ଡାଇଗ୍ନୋଷ୍ଟିକ୍ସର ପ୍ରତିଷ୍ଠାତା ଅରୁଣ କୁମାର ନାଥଶର୍ମା, ସୁଜନପୁର ଆଂଚଳିକ ପଂଚାୟତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁକାନ୍ତ କୁମାର ବିଶ୍ୱାଳ ଓ ଏନ୍ଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ମୋହନ ଚରଣ ଜେନା ଅତିଥିଭାବେ ଯୋଗ ଦେଇ ସୁମନଙ୍କୁ ସମ୍ମାନିତ କରିଥିଲେ । ପୁରସ୍କାର ବାବଦରେ ଏକ ସ୍ମୃତିଫଳକ, ମାନପତ୍ର, ଟ୍ରଫି ଓ ନଗଦ ୪,୦୦୦ ଟଙ୍କା ଅତିଥିମାନେ ସୁମନଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରାଯାଇଥିଲା । ଏନ୍ସିଆନ୍ ୧୯୮୨-୮୬ ଗ୍ରୁପ୍ର ସଭାପତି ବିଷ୍ଣୁଚରଣ ପତି, ସମ୍ପାଦକ ଦେବଦୁର୍ଲ୍ଲଭ ସାମଲ ଓ କୋଷାଧ୍ୟକ୍ଷ ଅଭିମନ୍ୟୁ ସାହୁ ପୁରସ୍କାର ବିଜେତା ଶ୍ରୀମାନ ସୁମନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ କାର୍ଯ୍ୟକ୍ରମର ସଫଳତା ଲାଗି ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଶେଷରେ ଗ୍ରୁପ୍ର ଅନ୍ୟତମ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଞ୍ଜୀବ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।