କୋରେଇ ରାଜନୀତିରେ ବଡ଼ ହଟଚମଟ, ବିଜେପିର ବହୁ ଛାମୁଆ ନେତା ବିଜେଡିରେ ସାମିଲ, ସନ୍ଧ୍ୟାରାଣୀ ଦାସଙ୍କ ପ୍ରଚାରରେ ଦୁଲୁକିଲା ଧନେଶ୍ୱର ପଡ଼ିଆ

ବ୍ୟାସନଗର, ୦୮ା୦୫(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ଆଜି ବି ଖୋଜି ଚାଲିଛି ୰ ଅଶୋକ ଦାସଙ୍କ ପରିବାରବର୍ଗଙ୍କୁ……! ୨୦୦୪ ନିର୍ବାଚନ ପରଠାରୁ ୰ ଶ୍ରୀଯୁକ୍ତ ଦାସଙ୍କ ପରିବାରରୁ କେହି ପ୍ରତିଦ୍ୱନ୍ଦିତା କରି ନ ଥିବା ସତ୍ୱେ ଏହି ଦୀର୍ଘ ୨୦ ବର୍ଷ ମଧ୍ୟରେ ଯିଏ ତାଙ୍କ ପରିବାରର ସହଯୋଗ ଲୋଡିଛି ସେମାନେ ବିଧାୟକ ଥାଆନ୍ତୁ ବା ନ ଥାନ୍ତୁ ବିନା ଦ୍ୱିଧାରେ ସହଯୋଗ କରିଆସିଛନ୍ତି । ତେଣୁ କୋରେଇ ଲୋକଙ୍କ ପାଇଁ ୰ ଶ୍ରୀଯୁକ୍ତ ଦାସଙ୍କ ପରିବାର ସଦା ଖୋଲା ରହିଥାଏ । ତାଙ୍କ ସୁପୁତ୍ର ପ୍ରଣବ ପ୍ରକାଶ ଦାସ (ବବି) ବିଧାୟକ ହେବା ପରେ କୋରେଇବାସୀଙ୍କ ସହ ସଂର୍ପକ ରଖିଆସିଥିଲେ ଓ କିଛି ବର୍ଷ ହେବ ତାଙ୍କ ଦାଦା ପୁଅ ଭାଇ ଭବପ୍ରକାଶ ଦାସ (ଲଲ) ବେଶ ଭଲ ଭାବରେ କୋରେଇବାସୀଙ୍କ ଦୁଃଖ ସୁଖରେ ଭାଗିଦାରୀ ହେବା ସହ ବହୁ ସମସ୍ୟାର ସମାଧାନ କରୁଥିଲେ । ସେଥିପାଇଁ ତାଙ୍କ ଯାଜପୁର ଟାଉନ ସ୍ଥିତ ବାସଭବନ ଓ ଅଫିସରେ ଯାଜପୁରର ଲୋକେ ଯେତିକି ନ ଯାଆନ୍ତି ତା’ଠୁ ଅଧିକ କୋରେଇର ଲୋକେ ନିଜ ନିଜର କାମ ଦାମ ପାଇଁ ଯାଉଥିବାର ଦେଖାଯାଉଥିଲା । ତେଣୁ ୰ ଶ୍ରୀଯୁକ୍ତ ଦାସଙ୍କ ପରିବାର ଏବଂ କୋରେଇର ଅଧିକାଂଶ ବ୍ୟକ୍ତିଙ୍କ ମଧ୍ୟରେ ମୋହ ତୁଟି ନ ଥିଲା । ତାଙ୍କ ପରିବାରରୁ କେହି ପ୍ରତିଦ୍ୱନ୍ଦିତା ନ କରିବା କାରଣରୁ ବରଂ ତାଙ୍କ ପରିବାରର ବହୁ ଶୁଭେଚ୍ଛୁ ମନ ଉଣା କରିଆସୁଥିଲେ । ଚଳିତ ନିର୍ବାଚନରେ ବହୁ ବିଳମ୍ବରେ ହେଲେ ବି ୰ ଶ୍ରୀଯୁକ୍ତ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ପ୍ରଣବ ପ୍ରକାଶଙ୍କ ମାଆ ସନ୍ଧ୍ୟାରାଣୀ ଦାସ (ସଞ୍ଜୁ ଦେବୀ)ଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ପରେ ଖୁସିର ମାହୋଲ ଦେଖାଦେଇଥିଲା । ସ୍ୱତଃ ପ୍ରବୃତ ଭାବେ ବହୁ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିବାକୁ ଆଗଭର ହେଉଥିବା ବେଳେ କିଛି ବ୍ୟକ୍ତି ଢ଼ୋଲ ଭିତରେ ମୂଷା ପରି କାର୍ଯ୍ୟ କରୁଥିଲେ ବି ତାହାର କିଛି ପ୍ରଭାବ ନ ପଡିବା ଭଳି ମନେ ହୁଏ । ନିର୍ବାଚନ ମଣ୍ଡଳୀର ମଧ୍ୟବର୍ତୀ ସ୍ଥାନ (ବ୍ୟାସନଗର ପୈାର ପରିଷଦ ଓ କୋରେଇ ବ୍ଲକର ମଝି ସ୍ଥାନ) ଧନେଶ୍ୱର ପଡ଼ିଆରେ ଆଜି ସଞ୍ଜୁ ଦେବୀଙ୍କୁ ଅଦ୍ଭୁଦପୂର୍ଣ୍ଣ ସ୍ୱାଗତ ଦିଆଯିବା ସହ ମିଶ୍ରଣ ପର୍ବ ଏବଂ ବଡ଼ ନିର୍ବାଚନ ପ୍ରଚାରରୁ ପ୍ରଚାରର ଶୁଭାରମ୍ଭ ହୋଇଛି । ଏଥିରେ ହଜାର ହଜାର କର୍ମୀ ଓ ନେତା ଯୋଗ ଦେବା ପାଇଁ ଏପରି ବ୍ୟାକୁଳ ଥିଲେ ଯେ ଅସମ୍ଭବ ଭିଡ଼ ଯୋଗୁ ଯିଏ ଯେଉଁଠି ପାରିଲେ ଅଟକି ରହିଥିଲେ, ଆଗକୁ ଯିବାକୁ ବାଟ ନ ଥିଲା । ଏପରିକି ପ୍ରଧାନମନ୍ତ୍ରୀଙ୍କ ସଭାରେ ହେଉଥିବା ଭିଡ ଠାରୁ ଏହା କୈାଣସି ଗୁଣରେ କମ ନ ଥିଲା । କୋରେଇବାସୀଙ୍କ ଅକୁଣ୍ଠ ସମର୍ଥନରେ ସଞ୍ଜୁ ଦେବୀ ନିଜର ଖୁସି ବ୍ୟକ୍ତ କରିବା ସହ ଆଗାମୀ ନିର୍ବାଚନରେ ଏହି ଭଲ ପାଇବାକୁ ଭୋଟରେ ପରିଣତ କରି ଭଲ ବ୍ୟବଧାନରେ ଯିତିବାକୁ ଆଶାବାନ୍ଧିଛନ୍ତି । ଅପରପକ୍ଷରେ ମୁଖ୍ୟ ବିରୋଧି ବିଜେପି ଶିବିରକୁ ବିଭାଜନ କରି ଛାମୁଆ ନେତାମାନଙ୍କୁ ଦଳକୁ ଆଣିବାରେ ବବିଙ୍କ ଗୋଟିଚାଳନା ବେଶ ଫଳପ୍ରଦ ହୋଇଛି । ଆଜି ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ ହୋଇଥିବା (୨୦୧୪ରେ ଜାତୀୟ କଂଗ୍ରେସରୁ ଏବଂ ୨୦୧୯ରେ ବିଜେପିରୁ) ବିଶ୍ୱଜିତ୍ ନାୟକ (ବାବୁ) ତାଙ୍କର ଅସଂଖ୍ୟ ସମର୍ଥକ, କର୍ମୀ ଓ ନେତାଙ୍କ ଗହଣରେ ଆସି ବିଦ୍ଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଯୁବ ନେତା ଆଲେକଜାଣ୍ଡାର ଦାସ ମଧ୍ୟ ବିଜେପି ଦଳ ତ୍ୟାଗ କରି ବିଜେଡ଼ିରେ ମିଶିଛନ୍ତି । ଆଜିର ଏହି ବିଶାଳ ସମାବେଶ ଓ ମିଶ୍ରଣ ପର୍ବରେ ପ୍ରଣବ ପ୍ରକାଶଙ୍କ ସମେତ ବିଧାୟକ ଅଶୋକ ବଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଯେନା, ସାଂସଦ ପ୍ରାର୍ଥନୀ ଶର୍ମିଷ୍ଠା ସେଠୀ, ଭବପ୍ରକାଶ ଦାସ, ପୂର୍ବତନ ପୈାର ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ରାଉତ, ଜିଲ୍ଲା ଯୁବ ସଭାପତି ପ୍ରତାପ ମହାନ୍ତି ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close