ଟଙ୍କା ପାଇଁ ବିଜୁ ଆଦର୍ଶକୁ ଧ୍ୱଂସ କରିଦେଲା ବି.ଜେ.ଡି- ସତୀଶ ଧର୍ମଶାଳାର ସ୍ୱାଭିମାନ ପାଇଁ ବି.ଜେ.ଡି ରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥୀ ହେବା ଘୋଷଣା

ଯାଜପୁର,୨୯/୦୩(ଉ. ନ୍ୟୁଜ୍ ବ୍ୟୁରୋ): ବିଜୁ ଜନତା ଦଳ ବିଜୁ ଆଦର୍ଶକୁ ଧ୍ୱଂସ କରିଛି । ଟଙ୍କା ବଳରେ ଟିକେଟ ବଂଟା ଯାଉଛି । ଏ କଥାଟି କହିବା ବେଳକୁ ବାଷ୍ପରୁଦ୍ଧ ହୋଇ ଯାଉଥିଲା କଣ୍ଠସ୍ୱର । ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ ନେଇ ଦୀର୍ଘ ୫୦ ବର୍ଷର ବି.ଜେ.ଡି ସହ ବଂଶାନୁକ୍ରମିକ ସମ୍ପର୍କକୁ ଛିନ୍ନ କଲେ ଧର୍ମଶାଳାର ଯୁବନେତା ସତୀଶ ବିଶ୍ୱାଳ । ଧର୍ମଶାଳାର ବଂଶବାଦ ଭ୍ରଷ୍ଟାଚାର ଶାସନ ମୋ ଧର୍ମଶାଳାର ଅପୂରଣୀୟ କ୍ଷତି କରିଛି । ଶାନ୍ତ, ସମୃଦ୍ଧ ଓ ସ୍ୱାଭିମାନ ଧର୍ମଶାଳା ପାଇଁ ବି.ଜେ.ଡିରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥୀ ହେବାର ଘୋଷଣା କଲେ ସତୀଶ । ଏହି ଅବସରରେ ଧର୍ମଶାଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଯୋଗ ଦେଇଥିବା ପ୍ରତିନିଧି ମାନେ ମଧ୍ୟ ଭାବପ୍ରବଣ ହୋଇ ପଡିଥିଲେ । ସତୀଶ କହିଥିଲେ ଯେ, ରାଜ୍ୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଯେଭଳି ଟିକେଟ ପ୍ରଦାନ କରିଛି, ସେଥିରେ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟଙ୍କ ଟିକେଟ କଟିବାର ପ୍ରଶ୍ନ ଉଠୁନାହିଁ । ଧର୍ମଶାଳାରେ ଦୁଇ ଭାଇ ବିଧାୟକ ଏବଂ ପଂଚାୟତ ସମିତି ଅଧ୍ୟକ୍ଷ ରହିଛନ୍ତି । ଗୋଟିଏ ପରିବାରକୁ ଗୋଟିଏ ପଦବୀ ବି.ଜେ.ଡିର ନିଷ୍ପତି ଧର୍ମଶାଳାରେ କାର୍ଯ୍ୟକାରୀ ହେଲାନାହିଁ । ଅତୀତରେ ଧର୍ମଶାଳାର ଗୋଟିଏ ଜିଲ୍ଲା ପରିଷଦ ଆସନ ନିର୍ବାଚନରେ ଏହି ପରିବାର ବି.ଜେ.ଡି ପ୍ରାର୍ଥୀ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଦେଇ ଦଳର ପ୍ରାର୍ଥୀଙ୍କୁ ହରାଇଲେ । ଏହି ପ୍ରାର୍ଥୀ ପାଇଁ ନବୀନବାବୁ ସଭା କରିବାକୁ ଯାଇଥିବା ବେଳେ ତତ୍କାଳୀନ ଧର୍ମଶାଳା ବିଧାୟକ ନବୀନବାବୁଙ୍କ ସଭାକୁ ଯାଇ ନଥିଲେ । ସାରା ଓଡିଶାରେ ନବୀନବାବୁ ଏଭଳି ଅପମାନିତ କେବେ ବି ହୋଇ ନାହାନ୍ତି । ନବୀନବାବୁ ଯେଉଁ ପରିବାରକୁ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟ ପାଇଁ ଦଳରୁ ସସପେଣ୍ଡ କଲେ, ଇଛାଧୀନ କୋଟା ପ୍ରସଙ୍ଗରେ ଉପମୁଖ୍ୟ ସଚେତକ ପଦବୀରୁ ବିଦାକଲେ, ଘଙ୍ଗପାଟଣା ଜଙ୍ଗଲ ଜମି ପ୍ରସଙ୍ଗରେ ନବୀନ ନିବାସକୁ ପୁରାଇ ଦେଲେ ନାହିଁ, ସେହି ନବୀନାବାବୁ ପୁଣି ସେହି ପରିବାରକୁ ଟିକେଟ ଦେଇ ନିଜର ବ୍ୟକ୍ତିତ୍ୱର କି ପରିଚୟ ଦେଲେ ? ରାଜ୍ୟସଭା ନିର୍ବାଚନରେ କ୍ରସଭୋଟରେ କଳ୍ପତରୁ ଦାସ ସସପେଣ୍ଡ ହେବାବେଳେ ମୁଁ ନବୀନବାବୁଙ୍କ ଏକମାତ୍ର ଅନୁଗତ ଧର୍ମଶାଳାରୁ ନବୀନବାବୁଙ୍କ ସପକ୍ଷରେ ଠିଆ ହୋଇଥିଲି । ନବୀନବାବୁଙ୍କ ବିରୋଧରେ ଧର୍ମଶାଳାରେ ‘କଳ୍ପତରୁ ସେନା’ କରାଯାଇ ଥିବା ବେଳେ ମୁଁ ଏହାର ବିରୋଧ କରିଥିଲି । ବିଜୁ ଜନତା ଦଳ ଡରି ଯାଇଥିବାରୁ ଟିକେଟ ପ୍ରଦାନ ପ୍ରକିୟାରେ ଦଳପ୍ରେମ, ସ୍ୱଚ୍ଛତା ଓ ନିଷ୍ଠାପରତାକୁ ଆଖି ବୁଜିଦେବାକୁ ବାଧ୍ୟ ହେଲେ । ସେଥିପାଇଁ ଧର୍ମଶାଳାରେ ସ୍ୱର୍ଗତ କଳ୍ପତରୁ ଦାସ ଏବଂ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟ ବିଜୁବାବୁ ଏବଂ ନବୀନବାବୁଙ୍କ ନୀତି ଆଦର୍ଶର ‘ସିରିଏଲ କିଲର’ ସାଜିବା ପରେ ବି ଦଳ ତାଙ୍କୁ ଟିକେଟ ଦେଉଛି । ବିଜୁ ଜନତା ଦଳକୁ ଆୟୁଧ କରି ଏକାଧିକ ନେତା ଶହ ଶହ କୋଟିରୁ ଉର୍ଦ୍ଧ୍ୱ ସମ୍ପତିର ମାଲିକ ହେଲେଣି । ଏଭଳି ଦଳରେ କେବଳ ଟଙ୍କା ଛଡା ନୀତି, ନୈତିକତା ଶବ୍ଦ ମୂଲ୍ୟହୀନ ହୋଇ ପଡିଛି । ମୁଁ ଏହା ଯଥେଷ୍ଟ ପୂର୍ବରୁ ଜାଣି ସାରିଥିଲି । ସେଥିପାଇଁ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମୁଁ ଥରୁଟେ ବି ନିଜେ ନବୀନ ନିବାସ ଯାଇ ଟିକେଟ ପାଇଁ ଦରଖାସ୍ତ ଦେଇନାହିଁ । କେବଳ ଡାକରେ ଟିକେଟ ପାଇଁ ଦରଖାସ୍ତ ପଠାଇଥିଲି । ରାଜ୍ୟରେ ବହୁ ବି,ଜେ.ଡି ନେତାଙ୍କ ସହ ମୋର ଦୀର୍ଘ ସମ୍ପର୍କ ଥିଲେ ବି ଜଣଙ୍କୁ ବି ସାକ୍ଷାତ କରି ମୋତେ ଟିକେଟ ପ୍ରଦାନ ପାଇଁ ନିବେଦନ କରିନାହିଁ । ଧର୍ମଶାଳାରେ ବର୍ଷକ ପୂର୍ବରୁ ଗତ ୧୫ ମାର୍ଚ୍ଚ ୨୦୨୩ରେ ଆରମ୍ବ କରିଥିବା ‘ପ୍ରତି ଘରକୁ ଚାଲ’ ଅଭିଯାନରେ ପ୍ରତ୍ୟେକ ଗାଁକୁ ପଦଯାତ୍ରାରେ ଯାଇ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ପଥପ୍ରାନ୍ତ ସଭାରେ ଡାକବାଜି ଯନ୍ତ୍ରରେ ବଡ ପାଟିରେ – ‘ମୋ ମାଟିର ସ୍ୱାଭିମାନ ପାଇଁ ସ୍ୱାଧୀନ ପ୍ରାର୍ଥୀ ହେବି ବୋଲି କହିଛି’ । ଏହି ଅଭିଯାନରେ ଧର୍ମଶାଳାର ପ୍ରତି ପରିବାରକୁ ପ୍ରଦାନ କରିଥିବା ନିବେଦନ ପତ୍ରରେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ହେବି ବୋଲି ସ୍ପଷ୍ଟ କରିଛି । ସାରା ଓଡିଶାରେ ବି.ଜେ.ଡିରେ ଥିବା କୌଣସି ନେତା ଏଭଳି ଦଃୁସାହସ କରି ନାହାନ୍ତି । ମୋ ବାପା ସନ୍ତୋଷ ବିଶ୍ୱାଳ ଦୀର୍ଘ ଅର୍ଦ୍ଧ ଶତାବ୍ଦି ଧରି ଜନତା ଦଳ ଏବଂ ବି.ଜେ.ଡିର ଆଗୁଆ ସଂଗଠକ । ମୋତେ ବିଜୁବାବୁ ଏବଂ ନବୀନବାବୁ ଅତୀତରେ ଦଳର ଆଗୁଆ ସଂଗଠନର ରାଜ୍ୟ ସାଧାରଣ ସଂପାଦକ କରିଛନ୍ତି । ବି.ଜେ.ଡି ଟିକେଟରେ ଜିଲ୍ଲା ପରିଷଦ ସଭ୍ୟ ହୋଇଛି । ମୋତେ ଭ୍ରଷ୍ଟାଚାରୀଙ୍କ ତରଫରୁ ବହୁ ଲୋଭ ଦେଖା ଯାଇଛି । ହେଲେ ମୋ ଜୀବନରେ ମୁଁ ମୋର ନିଷ୍ଠା ଓ ସ୍ୱାଭିମାନକୁ କେବେ ବି ବଳି ପକାଇ ନାହିଁ । ମୋ ମାଟିର ସ୍ୱାର୍ଥ ଓ ସ୍ୱାଭିମାନ ହିଁ ମୋର ସର୍ବସ୍ୱ । ବିଜୁବାବୁ ଓ ନବୀନବାବୁଙ୍କ ଆଗୁଆ ସଂଗଠକ ହୋଇଥିବାରୁ କଂଗ୍ରେସ ସରକାରରେ ମୋ ପରିବାର ସାରା ଓଡିଶାରେ ସର୍ବାଧିକ ଅତ୍ୟାଚାରିତ ହୋଇଛି । ବିଜୁବାବୁ ଏବଂ ତାଙ୍କ ନାମରେ ଗଢା ହୋଇଥିବା ଦଳ ପାଇଁ ମୋ ପରିବାର ବରବାଦ ହୋଇଛି । ହେଲେ କେବେ ବି କୌଣସି ସ୍ୱାର୍ଥ ଚାହିଁନାହୁଁ । କଂଗ୍ରେସ ସରକାରରେ ବିଭିନ୍ନ ସମୟରେ ମୋ ପରିବାର ଉପରେ ହୋଇଥିବା ଅତ୍ୟାଚାର ନେଇ ବିଧାନସଭା ଓ ଗଣମାଧ୍ୟମରେ ବଡ ପ୍ରସଙ୍ଗ ହୋଇଛି । ପରେ ବି.ଜେ.ଡି ସରକାରରେ ‘ଧର୍ମଶାଳାରେ ବଂଶବାଦ ଭ୍ରଷ୍ଟାଚାର ସମାପ୍ତି ମୋର ସଂକଳ୍ପ’ ବୋଲି ମୁଁ ପ୍ରଥମେ ସ୍ୱର ଉଠାଇଛି । ଏଥିନେଇ ମୁଁ ୨୦୦୯ ମସିହାରୁ ନିରନ୍ତର ଲଢେଇ କରୁଛି । ଶାହା କମିଶନରଙ୍କ ହଜାର ହଜାର କୋଟି ଖଣି ଦୁର୍ନିତି ରିପୋର୍ଟ, ବ୍ଲାକରୋଜ, ଚିଟଫଣ୍ଡ ଠାରୁ ଶହ ଶହ କୋଟିର ଆୟ ବହିର୍ଭୁତ ସମ୍ପତି ପ୍ରସଙ୍ଗରେ ଇ.ଡି ଏବଂ ସିବିଆଇ ଚୁପ ଥିବା ନେଇ କେନ୍ଦ୍ର ସରକାର ତଥା ରାଜ୍ୟର ବିରୋଧୀ ଦଳ ଚୁପ ବସିଛନ୍ତି । ବି.ଜେ.ପିକୁ ଲୋକସଭାରେ ଜିତାଇବା ଏବଂ ବି.ଜେ.ଡିକୁ ବିଧାନସଭାରେ ଜିତାଇବା ପାଇଁ ଉଭୟ ଦଳ ମଧ୍ୟରେ ଓଡିଶାରେ ଅଘୋଷିତ ମେଂଟ ହୋଇଗଲା । ପରିସ୍ଥିତିର ଦୁର୍ଯ୍ୟୋଗରେ ସୃଷ୍ଟି ହୋଇଥିବା ସ୍ୱେଚ୍ଛାଚାର ୧୯୭୭ ମସିହାର ଜରୁରୀ କାଳୀନ ଶାଶନ ଠାରୁ ବି ଅଧିକ ବିପଦ ଜନକ ହୋଇଛି । ବିଜୁ ଜନତା ଦଳ ବିଜୁବାବୁଙ୍କ ଆଦର୍ଶକୁ ଧ୍ୱଂସ କରିଦେଲା । ଯେଉଁ ବିଜୁବାବୁ ନିଜ ପୁଅଙ୍କୁ ବି ରାଜନୀତିକୁ ଆଣିବାକୁ ଚାହୁଁ ନଥିଲେ ସେହି ବିଜୁ ଜନତା ଦଳ କେବଳ ‘ବାପା-ପୁଅ ଦଳ’ ରେ ପରିଣତ ହେଲା । ରାଜନେତାଙ୍କ ସମ୍ପତି ଆହରଣ ନିଶା ନରହିବା ନେଇ କହୁଥିବା ବିଜୁବାବୁ ଶେଷକୁ ନିଜ ଦିଲ୍ଲୀ ଘର ଫାଳେ ବିକି ଦେଇଥିଲେ । ହେଲେ ତାଙ୍କ ନାମରେ ଗଢା ହୋଇଥିବା ବିଜୁ ଜନତା ଦଳରେ ‘ଟଙ୍କା’ ହିଁ ସବୁକିଛି ହୋଇଗଲା । କେବଳ ବିରୋଧୀ ଦଳକୁ ନିୟନ୍ତ୍ରଣରେ ରଖି ରାଜନୀତିର ବ୍ୟବସାୟୀ କରଣ କରାଗଲା । ଧର୍ମଶାଳା ବାହାରର ଗୋଟିଏ ପରିବାର ମୋ ଧର୍ମଶାଳାରେ ବାପା ପରେ ପୁଅ ବିଧାୟକ ହେବା ଏବଂ ଭାଇ ଧର୍ମଶାଳାର ପଂଚାୟତ ସମିତି ଅଧ୍ୟକ୍ଷ ହୋଇ ବି.ଜେ.ଡି ବଳରେ ଧର୍ମଶାଳା ଗଣତନ୍ତ୍ର ଓ ସ୍ୱାଭିମାନର ତଂଟି ଚିପି ଦେଲେ । ଧର୍ମଶାଳା ମାଆର କେହି ଯୋଗ୍ୟ ପୁଅ ଧର୍ମଶାଳାର ପ୍ରତିନିଧି ହୋଇ ପାରିବ ନ।।ହିଁ ବୋଲି ପ୍ରମାଶିତ କଲେ । ନବୀନବାବୁଙ୍କ ଆଗୁଆ ସମର୍ଥକ ବୋଲି ଦୀର୍ଘ ୨୦୦୯ ମସିହାରୁ ମୁଁ କଳ୍ପତରୁ ପରିବାରର ଚକ୍ରାନ୍ତରେ କୋଣଠେସା ହୋଇ ରହିଲି । କ୍ଷମତା ଓ ସମ୍ପତି ଲୋଭରେ ମୁଁ ରାଜନୀତିରେ ଥିଲେ କେବେ ଠାରୁ ଦଳ ବଦଳ କରିଥାନ୍ତି କିମ୍ବା ଭ୍ରଷ୍ଟାଚାର ସହ ମିଶି ଯାଇଥାନ୍ତି । ମୋର ଦଳଡିଆଁ ପ୍ରକୃତି ନୁହେଁ ବୋଲି ଦଳ ଛାଡି ନଥିଲି । ହେଲେ ମୋ ଭଳି ଅତ୍ୟାଚାରିତ ହୋଇ କେହି ବି ଦଳରେ ରହିବ ନାହିଁ । ଧର୍ମଶାଳାର ହଜାର ହଜାର ଲୋକଙ୍କ କୋଟି କୋଟି ଟଙ୍କାର ପାହାଡ ପର୍ବତ ସମ୍ପତିକୁ ବିଧାୟକ ଏବଂ ତାଙ୍କରଆଙ୍ଗଠି ଗଣତି କେଇଜଣ ଅନୁଗତ ଲୁଟିନେଲେ । ସମସ୍ତ ଠିକାଦାରୀ ନିଜ ଅନୁଗତଙ୍କ ନାମରେ ନିଜେ ଠିକାଦାରୀ କଲେ । ଧର୍ମଶାଳାର ଯୁବକ , କୃଷକ, ମହିଳା, ଶ୍ରମିକ ମାନଙ୍କ ଦୁରାବସ୍ଥା ଉଦବେଗ ଜନକ । ନିଯୁକ୍ତି ସୁଯୋଗ ନଥିବାରୁ ବେକାରୀ ବଢିଲା । ରାଜନୀତି, ସମାଜସେବା, ସାମ୍ବାଦିକତା ଓ ସାହିତ୍ୟ ପ୍ରତି ମୋର ନିଷ୍ଠା ଏବଂ ଅଙ୍ଗିକାରବଦ୍ଧତା ସମସ୍ତେ ଜାଣନ୍ତି । ଏଭଳି ଅବସ୍ଥାରେ ମୁଁ ଚୁପ ରହିଗଲେ ମୋତେ ଧର୍ମଶାଳାର ଇତିହାସ କ୍ଷମା କରିବ ନାହିଁ । ମୋର ବିରୋଧ ଧର୍ମଶାଳାରେ ଗଣତନ୍ତ୍ର ପାଇଁ ନୂଆ ଆଶାର ସଂଚାର କରିଛି । ଲୋକେ ଜାଣିଛନ୍ତି ବାସ୍ତବରେ ପ୍ରକୃତ ବିଜୁ ଆଦର୍ଶର ମୁଁ ସଚ୍ଚା ଅନୁଗାମୀ । ବି.ଜେ.ଡି ନାମରେ ଯେତେ କଳଙ୍କ କଲେ ବି ଏମାନେ ବିଜୁ ଆଦର୍ଶ ଓ ବିଚାରକୁ ଧ୍ୱଂସ କରି ପାରିବେ ନାହିଁ । ଏହା ବିରୋଧରେ ମୁଁ ବିଜୁ ଜନତା ଦଳ ସହ ମୋର ବଂଶାନୁକ୍ରମିକ ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀର ସମ୍ପର୍କକୁ ଛିନ୍ନ କରୁଛି । ବିଜୁ ଜନତା ଦଳରୁ ମୋ ଇସ୍ତଫା ମାନ୍ୟବର ବି.ଜେ.ଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରୁଛି । ଧର୍ମଶାଳାର ସାଧାରଣ ଜନତାଙ୍କ ଟିକେଟରେ ଧର୍ମଶାଳା ଲୋକଙ୍କ ସ୍ୱର ହୋଇ ମୁଁ ସ୍ୱାଧୀନ ପ୍ରାର୍ଥୀ ହେବା ଘୋଷଣାର ପୁନରାବୃତି କରୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close