ବ୍ୟାସନଗରରେ ପୁଣି ୫-ଟି ସଚିବ ଭି କେ ପାଣ୍ଡିଆନ, କୋରେଇ ଓ ବ୍ୟାସନଗରର ବିକାଶ ପାଇଁ ବିଭିନ୍ନ ଯୋଜନାର କଲେ ଘୋଷଣା
ବ୍ୟାସନଗର, ୦୧/୦୯(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଚାନ୍ଦମା ସ୍ଥିତ ‘ମା’ କାଳୀ’ଙ୍କ ପଡ଼ିଆରେ ଆଜି ପୂର୍ବାହ୍ନରେ ପୁଣି ରାଜ୍ୟର ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଏକ ବିଶାଳ ଜନଶୁଣାଣୀ ସଭାରେ ଉଦ୍ବୋଧନ ଦେଇ କେରାଇ ଓ ବ୍ୟାସନଗରର ବିକାଶ ପାଇଁ ସରକାର ଧ୍ୟାନ ଦେଉଛନ୍ତି ବୋଲି ସୂଚନା ଦେଇଥିଲେ । ଆଜକୁ ୦୩ ଦିନ ତଳେ ତା. ୨୯/୦୮/୨୦୨୩ରେ ସେ ଏହି ପଡ଼ିଆରେ ମିଶନ ଶକ୍ତି ମା’ମାନଙ୍କୁ ଭେଟିଥିଲେ । ଆଜିର ଏହି ସମାବେଶରେ ମଧ୍ୟ ମହିଳାମାନଙ୍କ ଯୋଗଦାନ ସର୍ବାଧିକ ଥିଲା । ୭୦ ହଜାରରୁ ଉର୍ଦ୍ଧ ମହିଳା ଏହି ସମାବେଶରେ ଯୋଗ ଦେଇଥିବା ବେଳେ କୋରେଇ, ବ୍ୟାସନଗର ସହ ପଡ଼ୋଶୀ କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର, ଆନନ୍ଦପୁର ଅଂଚଳ ଆଦି ବହୁ ସ୍ଥାନରୁ ବହୁ ବିଜେଡ଼ି ନେତା, କର୍ମୀ ଓ ସାଧାରଣ ଜନତା ଏଥିରେ ଯୋଗ ଦେଇଥିଲେ । ସେ ‘ଜୟ ଜଗନ୍ନାଥ, ଜୟ ମା’ ବିରଜା’ କହି ବକ୍ତବ୍ୟ ଆରମ୍ଭ କରି କହିଥିଲେ ଏହି ଅଂଚଳ ଏକ ସଚେତନ ଓ ଶିକ୍ଷିତ ଅଂଚଳ । ଏହି ଅଂଚଳର ବିକାଶ ପାଇଁ ଆପଣମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଯତ୍ନଶୀଳ ଅଛନ୍ତି । ମିଶନ ଶକ୍ତି ମା’ମାନଙ୍କର ଉନ୍ନତି ହେଲେ ସମାଜର ପ୍ରକୃତ ଉନ୍ନତି ହେବ । ସେଥିଲାଗି ରାଜ୍ୟ ସରକାର ମା’ମାନଙ୍କ ପାଇଁ ବିଭିନ୍ନ ମଂଗଳକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଓ ଯାହାର ସୁଫଳ ମଧ୍ୟ ମା’ମାନେ ପାଉଛନ୍ତି । ଷ୍ଟେଜ୍ ତଳକୁ ଆସି ଜନସାଧାରଣଙ୍କୁ ଭେଟୁଥିବା ବେଳେ ଉପସ୍ଥିତ ବହୁ ମହିଳା ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ । ସେ କହିଥିଲେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇଥିବା ଦେଖାଦେଇଛିି । ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମା’ ଓ ଭଉଣୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ରାଜ୍ୟ ସରକାର ବିଭିନ୍ନ ମହିଳା ସଶକ୍ତୀକରଣ ଯୋଜନା ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଜନାମାନ କରିଆସୁଛନ୍ତି । ବିଭିନ୍ନ ବ୍ୟାଙ୍କ ଜରିଆରେ ଋଣ ମଧ୍ୟ ଯୋଗାଇଦେଉଛନ୍ତି । ମିଶନ ଶକ୍ତିର ଅର୍ନ୍ତଭୁକ୍ତ ଯୋଜନାଗୁଡିକ ମହିଳାମାନଙ୍କ ଆଦୃତ ହେବା ସହିତ ଏହା ଭାରତର ଅନ୍ୟ ରାଜ୍ୟମାନଙ୍କ ନିକଟରେ ଏକ ‘ମଡେଲ’ ଯୋଜନା ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି । ତାଙ୍କ ସଭାକୁ ଲକ୍ଷାଧିକ ମହିଳା ଓ ଜନସାଧାରଣ ଆସିଥିଲେ ଅଳ୍ପ କେତେକ କଂଗ୍ରେସ ଓ ବିଜେପି କର୍ମୀ ତାଙ୍କ ଗ୍ରସ୍ତକୁ ନେଇ ବିରୋଧ କରିଥିଲେ । କଂଗ୍ରେସ ନେତା ଓ କର୍ମୀମାନେ କଳା ପୋଷାକ ପରିଧାନ କରି ସ୍ଥାନୀୟ ଚୋରଦା କାଳୀ ମେଲଣ ପଡିଆ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ହାତଗଣତି କେଇ ଜଣ ବିଜେପି ନେତା ପତାକା ଦେଖାଇ ବିରୋଧ କରିଥିଲେ । ହେଲେ ପୋଲିସ ସେମାନଙ୍କୁ ସେଠାରେ ହିଁ ଅଟକାଇ ରଖିଥିଲେ । ଲକ୍ଷାଧିକ ଲୋକଙ୍କ ସୁଅ ଶ୍ରୀଯୁକ୍ତ ପାଣ୍ଡିଆନଙ୍କ ସଭାକୁ ଛୁଟୁଥିବା ବେଳେ ବିରୋଧିଙ୍କ ତରଫରୁ ଏଭଳି ଛୋଟମୋଟ ବିରୋଧ କୈାଣସି ପ୍ରଭାବ ପକାଇବ ନାହିଁ ବୋଲି କେତେକ ବିଜେଡି ନେତା କହିଛନ୍ତି । ଶ୍ରୀ ପାଣ୍ଡିଆନ ବହୁଗୁଡିଏ ରାସ୍ତାର ନିର୍ମାଣ ଓ ମରାମତି, ଅନ୍ୟାନ ପ୍ରକଳ୍ପ ବାବଦରେ ଏଠାରେ ଘୋଷଣା କରିବା ସହ ଏହି ଜନଶୁଣାଣୀ ଜରିଆରେ କେତେଗୁଡିଏ ଦରଖାସ୍ତ ଜନସାଧାରଣଙ୍କ ଠାରୁ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନାଙ୍କ ସମେତ କେତେକ ସ୍ଥାନୀୟ ନେତା ଉପସ୍ଥିତ ଥିବା ବେଳେ ଜିଲ୍ଲାର କୈାଣସି ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ଦେଖା ମିଳି ନ ଥିଲା । ହେଲେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ସଂପନ୍ନ ହୋଇଥିବା ବେଳେ ଗତ ତା ୨୯/୦୮/୨୦୨୩ରୁ ଆଜି ପର୍ଯ୍ୟନ୍ତ ଲାଗି ରହିଥିବା ୫-ଟି ସଚିବଙ୍କ ଯାଜପୁର ଜିଲ୍ଲାଗ୍ରସ୍ତ ଶେଷ ହୋଇଛି ।