ନବ ନିର୍ମିତ ସଂସଦ ଭବନ ଜନ-ଗଣ-ମନର ଏକ ପ୍ରତୀକ

ନୂଆଦିଲ୍ଲୀ: ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର । ସଂସଦ ଭବନ ବା ପାର୍ଲାମେଣ୍ଟ ହାଉସ ଗଣତନ୍ତ୍ରର ମନ୍ଦିର ଯେଉଁଠି ଜନତାଙ୍କ ଆଶା ଆକାଂକ୍ଷା ଉପରେ ବିତର୍କ ହୁଏ । ସେଠାରେ ଦେଶର ଭବିଷ୍ୟତର ଗତିପଥ ନିର୍ଦ୍ଧାରିତ ହୋଇଥାଏ । ବର୍ତ୍ତମାନର ସଂସଦ ଭବନ ୧୦୦ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ପରିବର୍ତ୍ତିତ ସମୟର ଆବଶ୍ୟକତାକୁ ବିଚାରକୁ ନେଇ ବିଗତ ୧୦୦ବର୍ଷ ମଧ୍ୟରେ ଏହି ଭବନକୁ ଏକାଧିକ ଥର ମରାମତି ଓ ଅଦଳବଳଦ କରାଯାଇଛି । ଏସବୁ ସତ୍ତ୍ୱେ ଏହି ପୁରୁଣା ଭବନର ଆସନ ସଂଖ୍ୟା ବଢାଇବା ସମ୍ଭବ ହୋଇନାହିଁ । ଆହୁରି ମଧ୍ୟ ନୂଆ ଭିତ୍ତିଭୂମି ଓ ଟେକ୍‌ନୋଲୋଜି ପ୍ରୟୋଗ କରି ଏହାର ଉନ୍ନତି ବିଧାନ କରିବା ମଧ୍ୟ ଅସମ୍ଭବ ଥିଲା । ସେ ଦୃଷ୍ଟିରୁ ଏକ ନୂଆ ସଂସଦ ଭବନ ନିର୍ମାଣ କରିବା ଅପରିହାର୍ଯ୍ୟ ହୋଇ ପଡିଥିଲା । ଅତଏବ ଏହି ନୂଆ ପାର୍ଲାମେଣ୍ଟ ଭବନ ଏକବିଂଶ ଶତାବ୍ଦୀର ଏକ ନୂତନ, ଆକାଂକ୍ଷା ଓ ଆତ୍ମନିର୍ଭର ଭାରତର ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ । ଏବେ ୨୦୨୩ ମେ ୨୮ ତାରିଖ ଇତିହାସରେ ଏଭଳି ଏକ ଐତିହାସିକ ଦିବସରେ ପରିଣତ ହୋଇଛି । ଏହି ଦିନ ଆତ୍ମନିର୍ଭର ଭାରତ ଉପନିବେଶବାଦୀ ଶାସନ କାଳରେ ନିର୍ମିତ ସଂସଦ ଭବନରୁ ନବ ନିର୍ମିତ ନିଜସ୍ୱ ପାର୍ଲାମେଣ୍ଟ ଭବନରେ ପ୍ରବେଶ କରିଛି । ଏହି ଐତିହାସିକ ମୁହୂର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଆଣେ ।

             ୨୦୨୩ ମେ -୨୮-ଏକ ବିସ୍ମୟକର ଅଭୁଲା…. ଏପ୍ରକାର ….ଆନନ୍ଦମୟ… ସ୍ୱାଧୀନ ଭାରତର ସୁବର୍ଣ୍ଣ ଅକ୍ଷରରେ ଲିଖିତ ହେବ କାରଣ ଏହି ଦେଶ ସୁବର୍ଣ୍ଣ ସଂକଳ୍ପ ଅଭିମୁଖେ ଗତି କରୁଛି । ଆଜି ଭାରତ ଉଚ୍ଛ୍ୱସିତ, ଭବିଷ୍ୟତ ପାଇଁ ଅନୁପ୍ରାଣିତ ଏବଂ ଦେଶର ଗର୍ବ ଓ ଗୌରବ ପ୍ରତୀକ ସଙ୍ଗୀତକୁ ନେଇ ଗର୍ବିତ । ଏହାର କାରଣ ହେଲା ଆମର ନୂଆ ପାର୍ଲାମେଣ୍ଟ ହାଉସର ନିର୍ମାଣ ଅମୃତକାଳ ଶେଷ ହେବା ପୂର୍ବରୁ ଶେଷ ହୋଇଛି । ଏହା ଆତ୍ମନିର୍ଭର ଭାରତର ପ୍ରଚଣ୍ଡ ଉତ୍ସାହକୁ ପ୍ରତିଫଳିତ କରୁଛି । ନୂଆ ପାର୍ଲାମେଣ୍ଟ କେବଳ ଏକ ଅଟ୍ଟାଳିକା ନୁହେଁ, ଏହା ୧୪୦କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା ଓ ସ୍ୱପ୍ନର ଏକ ପ୍ରତିଫଳନ । ବିଶ୍ୱ ପ୍ରତି ଥିବା ଭାରତର ସଂକଳ୍ପର ବାର୍ତ୍ତା ଏହା ପ୍ରଦାନ କରେ । ଭାରତ ଯେତେବେଳେ ଆଗକୁ ବଢେ, ସମଗ୍ର ପୃଥିବୀ ମଧ୍ୟ ଆଗକୁ ଗତି କରେ । ଭାରତ ସହିତ, ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ବିଶ୍ୱର ପ୍ରଗତି ଦିଗରେ ମଧ୍ୟ ଅବଦାନ ଯୋଗାଇବ ।  

                                                                                               –ନରେନ୍ଦ୍ର ମୋଦୀ,ମାନ୍ୟବର ପ୍ରଧାନମନ୍ତ୍ରୀ

       ଭାରତର ନୂଆ ସଂସଦ ଭବନର ଉଦ୍‌ଘାଟନରେ ଉଭୟ ଭାରତୀୟ ଓ ଭାରତୀୟତା ପ୍ରତି ସ୍ୱତନ୍ତ୍ର ବିଚାର ଭାରତୀୟ ଗଣତାନ୍ତ୍ରିକ ପରମ୍ପରାରେ ଏକ ଐତିହାସିକ ଉପଲବ୍ଧି । ଦାସତ୍ୱର ମାନସିକତାରୁ ମୁକ୍ତିର ଏହା ଆଉ ଏକ ଅଧ୍ୟାୟ । ଏହା ଭାରତର ଆତ୍ମନିର୍ଭରଶୀଳତାର ପ୍ରତୀକ । ଭାରତର ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ନୂଆ ସଂସଦ ଭବନର ଉଦ୍‌ଘାଟନ ଉତ୍ସବ ପାଳିତ ହେବା ଏକ ସଂଯୋଗ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦ୍‌ଘାଟନ ଅମୃତ ମହୋତ୍ସବର ପ୍ରକୃତ ପ୍ରେରଣା । ଦେଶର ୧୪୦କୋଟି ଲୋକ ଏହି ଐତିହାସିକ କ୍ଷଣର ସାକ୍ଷୀ ।

           ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଐତିହାସିକ ଘଟଣା । ନୂଆ ସଂସଦ ଭବନର ନିର୍ମାଣ ନୂତନ ଓ ପୁରାତନର ସହବାସ୍ଥାନର ଏକ ଉଦାହରଣ । ସମୟ ଓ ଆବଶ୍ୟକତା ଅନୁସାରେ ନିଜକୁ ପରିବର୍ତ୍ତିତ କରିବାର ଏହା ଏକ ପ୍ରଚେଷ୍ଟା । ନୂଆ ସଂସଦ ଭବନର ମୋଟ ଆକାର ୬୪,୫୦୦ ବର୍ଗ ମିଟର ଏବଂ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ପ୍ରତୀକ । ଖୁବ୍ କମ୍ ସମୟ ମଧ୍ୟରେ ଏହା ନିର୍ମିତ ହୋଇଛି । ଏହାର ତ୍ରିକୋଣୀୟ ନିର୍ମାଣ ଶୈଳୀ ବା ଡିଜାଇନ ଏହାର ବିଶେଷତ୍ୱ । ଭାରତୀୟ ସାଂସ୍କୃତିକ ବିବିଧତା ଦ୍ୱାରା ଏହି ନିର୍ମାଣ ଅନୁପ୍ରାଣିତ ହୋଇଛି । ଏହା ଭୂମିକମ୍ପ ନିରୋଧୀ । ଏହାର ସ୍ଥାନ ପରିଚାଳନା ପାଇଁ ଆବଶ୍ୟକ ସୁବନ୍ଦୋବସ୍ତ ରହିଛି । ଏହି ଭବନରେ ଜେଡ୍ ଓ ଜେଡ+ ନିରାପତ୍ତା ବ୍ୟବସ୍ଥା ଉପଲବ୍ଧ । ଏହା ପରିବେଶ ଅନୁକୂଳ ଓ ସବୁଜ ନିର୍ମାଣ ଶୈଳୀରେ ପ୍ରସ୍ତୁତ । ଏହି ଭବନରେ ପୂର୍ବ ଭବନ ଠାରୁ ବିଜୁଳି ବ୍ୟବହାର ୩୦ ଶତାଂଶ କମ୍ ରହିବ । ସର୍ବୋପରି ଏହି ଭବନ ଆଉ ୧୫୦ବର୍ଷ ପାଇଁ ଭାରତୀୟ ଗଣତନ୍ତ୍ରର ଆବଶ୍ୟକତା ପୂରଣ କରିପାରିବ । ନୂଆ ସଂସଦ ଭବନରେ ପୂର୍ବ ପାର୍ଲାମେଣ୍ଟ ହାଉସଠାରୁ ଆସନ ସଂଖ୍ୟା ୧୫୦ଶତାଂଶ ଅଧିକ । ନୂଆ ଭବନର ଲୋକସଭାରେ ଏବେ ୮୮୮ ଆସନର ବ୍ୟବସ୍ଥା ରହିଥିବାବେଳେ ନୂତନ ରାଜ୍ୟ ସଭାରେ ୩୮୪ ସାଂସଦଙ୍କ ବସିବାର ସୁବିଧା ରହିଛି । ପ୍ରତ୍ୟେକ ସାଂସଦଙ୍କ ଦପ୍ତରରେ ଡିଜିଟାଲ ସୁବିଧା ଓ ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ । ଲୋକସଭା ଓ ରାଜ୍ୟସଭା ହଲ୍‌ରେ ଅତି ଉଚ୍ଚମାନର ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଡେସ୍କରେ ଇଲେକ୍‌ଟ୍ରୋନିକ୍ସ ଉପକରଣମାନ ସ୍ଥାପନ କରାଯାଇଛି । ଏହା ବ୍ୟତୀତ ନୂଆ ପାର୍ଲାମେଣ୍ଟର ସମ୍ବିଧାନ କକ୍ଷ ବା କନଷ୍ଟିଚ୍ୟୁସନ ହଲ୍‌, ଲାଇବ୍ରେରୀ, କମିଟି ରୁମ୍ ଓ ଭୋଜନ(ଡାଇନିଂ) ଅଞ୍ଚଳକୁ ଆଧୁନିକ ରୂପ ପ୍ରଦାନ କରାଯାଇ ସେଥିରେ ଭାରତୀୟ ଐତିହ୍ୟର ଛାପ ଦିଆଯାଇଛି । ନୂଆ ସଂସଦ ଭବନ ଦେଶର ୧୪୦କୋଟି ନାଗରିକଙ୍କ ଆଶା ଏବଂ ଆକାଂକ୍ଷାଙ୍କୁ ନୂଆ ଉଚ୍ଚତାକୁ ଉଠାଇବ । ଏହି ନୂଆ ସଂସଦ ଭବନର ପ୍ରତ୍ୟେକ ରେଣୁ ଆମ ଦେଶର ଦୃଢ ଗଣତନ୍ତ୍ରକୁ ନୂଆ ଦିଶା ଦେଇଛି । ଏହି ଭବନରେ ଆଞ୍ଚଳିକ କଳା, କୌଶଳ, ନିର୍ମାଣ ଶୈଳୀର ଚମତ୍କାର ଛାପ ରହିଛି । ଏହା ଏକ ବିରାଟ ସ୍ଥାନ ଓ କକ୍ଷଠାରୁ ଆହୁରି ଯଥେଷ୍ଟ ବଡ । ଏହା ଆମ ଦେଶର ଗଣତାନ୍ତ୍ରିକ ଲକ୍ଷ୍ୟକୁ ପୂରଣ କରିବ । ଆମେ ଯେମିତି ବ୍ରିଟିଶ ଶାସନ କାଳରେ ପୁରୁଣା ସହିଦ ସ୍ମାରକକୁ ବଦଳାଇ ଏକ ନୂଆ ଜାତୀୟ ଯୁଦ୍ଧ ସ୍ମାରକ ନିର୍ମାଣ କଲୁ, ଠିକ୍ ସେହି ଢଙ୍ଗରେ ଏହି ନୂଆ ସଂସଦ ଭବନକୁ ତିଆରି କରିଛୁ । ଏହା ଆଧୁନିକ ଓ ସ୍ୱାଧୀନ ଭାରତ ପାଇଁ ଉତ୍ସର୍ଗୀକୃତ ହୋଇଛି । ସର୍ବୋପରି ପୁରୁଣା ସଂସଦ ଭବନ ଆଗରେ ଏହି ନୂଆ ସଂସଦ ଭବନକୁ ତିଆରି କରାଯାଇଛି । ନୂଆ ସଂସଦ ଭବନରେ ଅନେକ ନୂଆ ନୂଆ କଥା ରହିଛି । ଏହି ନୂତନ ସୁବିଧା ସୁଯୋଗ ଆମ ସାଂସଦମାନଙ୍କ ଦକ୍ଷତା ବଢାଇବ ଏବଂ ସେମାନଙ୍କ କର୍ମ ସଂସ୍କୃତିରେ ଆଧୁନିକତାର ପ୍ରବେଶ ଘଟିବ । ବିଭିନ୍ନ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ଯେଉଁ ଲୋକମାନେ ସେମାନଙ୍କ ସାଂସଦଙ୍କୁ ଭେଟିବାକୁ ଆସିବେ ସେମାନେ ଏବେ ଅଧିକ ସୁବିଧା ସୁଯୋଗ ପାଇବେ। ସେମାନଙ୍କୁ ପୂର୍ବଭଳି ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ପ୍ରତ୍ୟେକ ସାଂସଦଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଲୋକଙ୍କୁ ଦେଖା ସାକ୍ଷାତ କରିବାର ସୁଯୋଗ ଦେବାକୁ ନୂଆ ସଂସଦ ଭବନରେ କେତେକ ମୌଳିକ ସୁବିଧା ବ୍ୟବସ୍ଥା କରାଯାଇଛି । ସଂସଦ ଭବନର ଶକ୍ତିର ଉତ୍ସ ହେଲା ଗଣତନ୍ତ୍ର । ଏକଦା କେତେକ ଲୋକ ଭାରତର ଗଣତାନ୍ତ୍ରିକ ରାଷ୍ଟ୍ର ମାନ୍ୟତାକୁ ପ୍ରଶ୍ନ କରିଥିଲେ । ଆଉ କେତେକ କହୁଥିଲେ ଯେ ବ୍ୟାପକ ନିରକ୍ଷରତା, ଦ୍ରାରିଦ୍ୟ, ସାମାଜିକ ବିବିଧତା, ଅଭିଜ୍ଞତାର ଅଭାବ ଓ ଭୌଗୋଳିକ ବିବିଧତା ଯୋଗୁଁ ଭାରତରେ ଗଣତନ୍ତ୍ର ବିଫଳ ହେବ । ଯେଉଁ ବେଗରେ ଆମେ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ କଲୁ ତାହା ପ୍ରମାଣ କରିଦେଇଛି ଯେ ଏକବିଂଶ ଶତାବ୍ଦୀରେ ଭାରତ ଏକ ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସଦର୍ପେ ଦଣ୍ଡାୟମାନ ହୋଇଛି ।

ନିର୍ମାଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନିୟମିତ ଭାବେ ତଦାରଖ କରୁଥିଲେ:-

  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହନ୍ତି, “୨୦୧୪ରେ ସଂସଦର ଜଣେ ସଦସ୍ୟ ଭାବେ ମୁଁ ଯେତେବେଳେ ସଂସଦ ଭବନ ପରିଦର୍ଶନ କରିବାକୁ ପ୍ରଥମ ସୁଯୋଗ ପାଇଲି ସେ କ୍ଷଣର ଆନନ୍ଦ ଓ ଅନୁଭୂତି ମୁଁ ଜୀବନରେ କେବେ ଭୁଲି ପାରିବି ନାହିଁ । ସେତେବେଳେ ମୁଁ ସଂସଦ ଭବନରେ ପ୍ରବେଶ କରିବା ପୂର୍ବରୁ ଗଣତନ୍ତ୍ରର ଏହି ମନ୍ଦିର ପ୍ରତି ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ଜଣାଇ ମୁଁ ମଥାପାତି ପ୍ରଣିପାତ କରିଥିଲି।” ଏଭଳି ସ୍ଥିତିରେ ସ୍ୱାଧୀନ ଭାରତ ଯେତେବେଳେ ନିଜେ ତାହାର ଗଣତନ୍ତ୍ରର ମନ୍ଦିର ନିର୍ମାଣ କଲା ସେଥିରେ ନିହିତ ଉତ୍ସାହ ସହଜରେ ବୁଝିହୁଏ । ନୂଆ ସଂସଦ ଭବନର ଶୁଭଦାନ ଠାରୁ ଆରମ୍ଭ କରି ଏହାର ନିର୍ମାଣ ଶେଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ କାମ ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ। ଏହାର ଡିଜାଇନ, ସାଜସଜ୍ଜା, ଏଥିରେ ବିଭିନ୍ନ ଅତ୍ୟାଧୁନିକ ଉପକରଣ ଲଗାଇବା, ଅନ୍ୟାନ୍ୟ ସୁବିଧା ସୁଯୋଗ ଆଦି ସବୁକଥା ସେ ଟିକିନିଖି ବୁଝୁଥିଲେ । ସେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟରୁ ସମୟ ବାହାର କରି ନିର୍ମାଣସ୍ଥଳକୁ ବାରମ୍ବାର ଯାଇ ସେଠାରେ କାମ କରୁଥିବା ଶ୍ରମିକମାନଙ୍କ ମନୋବଳ ବଢାଉଥିଲେ। ସେହି ଶ୍ରମିକମାନଙ୍କ ସମ୍ମାନାର୍ଥେ ନୂଆ ସଂସଦ ଭବନରେ ଏକ ସ୍ଥାୟୀ ଗ୍ୟାଲେରୀ ମଧ୍ୟ ନିର୍ମିତ ହୋଇଛି ।

         ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ସେପ୍ଟେମ୍ବର ୨୬ତାରିଖରେ ଏକ ବିଦେଶ ଗସ୍ତରୁ ଫେରିବା ପରେ ଅପ୍ରତ୍ୟାଶିତ ଭାବେ ପାର୍ଲାମେଣ୍ଟ ହାଉସର ନିର୍ମାଣ ସ୍ଥଳକୁ ଯାଇ ବିଳମ୍ବିତ ରାତିରେ ସେଠାରେ ଚାଲିଥିବା କାମର ସମୀକ୍ଷା କରିଥିଲେ । ସେ ଏକ ଘଣ୍ଟାରୁ ଅଧିକ କାଳ ସେଠାରେ ରହି ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଗୁରୁତ୍ୱ ଦେବା ସହିତ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ସବୁ ନିର୍ମାଣ ଶ୍ରମିକଙ୍କ ନିମେନ୍ତ ନୂଆ ସଂସଦ ଭବନରେ ଏକ ଡିଜିଟାଲ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେଥିରେ ସବୁ ଶ୍ରମିକଙ୍କ ନାମ, ଫଟୋ, ବ୍ୟକ୍ତିଗତ ସୂଚନା ଆଦି ରଖିବାକୁ ପରାମର୍ଶ ଦେଇଥିଲେ । ଏହାର ଉଦ୍ଦେଶ୍ୟ ହେଲା ଏହି ନୂଆ ସଂସଦ ଭବନ ନିର୍ମାଣରେ ଏହି ଶ୍ରମିକମାନଙ୍କର ଅବଦାନକୁ ସୂଚିତ କରିବା । ଏହାଛଡା ନୂଆ ସଂସଦ ଭବନ ନିର୍ମାଣରେ ସମ୍ପୃକ୍ତ କର୍ମଚାରୀଙ୍କ ଅବଦାନକୁ ସ୍ମରଣ କରିବା । ଏହାଛଡା ନୂଆ ସଂସଦ ଭବନ ନିର୍ମାଣରେ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ଓ ଦାୟିତ୍ୱ ଅନୁସାରେ ପ୍ରମାଣପତ୍ର ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୨୦୨୩ ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନିର୍ମାଣଧୀନ ସଂସଦ ଭବନରେ ଶେଷଥର ପରିଦର୍ଶନ କରିଥିଲେ । ସେତେବେଳକୁ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ ଥିଲା । ସେ ସବୁ ନିର୍ମାଣ କାମ ବୁଲି ଦେଖିବା ପରେ ନିର୍ମାଣକାରୀ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସ୍ଥଳେ କିଛି କିଛି ପରାମର୍ଶ ଓ ନିର୍ଦ୍ଦେଶ ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଥିଲେ । ଏହିଭଳି ଭାବେ ପ୍ରଧାନମନ୍ତ୍ରୀ ବାରମ୍ବାର ନିର୍ମାଣ ସ୍ଥଳକୁ ଯାଇ ଶ୍ରମିକମାନଙ୍କୁ ଉତ୍ସାହିତ କରୁଥିଲେ । ନୂଆ ସଂସଦ ଭବନରେ ନିର୍ମାଣ ଅତ୍ୟନ୍ତ କଷ୍ଟକର ଥିଲା। ଆହୁରି ମଧ୍ୟ ପୁରୁଣା ପାର୍ଲାମେଣ୍ଟ ପାଖରେ ନୂଆ ପାର୍ଲାମେଣ୍ଟ ତିଆରି କରିବା ଅଧିକ ଆହ୍ୱାନମୂଳକ କାର୍ଯ୍ୟ ଥିଲା । ଏ କ୍ଷେତ୍ରରେ ପୁରୁଣା ଭବନର ମୌଳିକତା ଓ ପ୍ରାକୃତିକ ପରିବେଶକୁ ଅତୁଟ ରଖିବା ଥିଲା ଅଧିକ କଷ୍ଟସାଧ୍ୟ । ଆଧୁନିକ ଓ ପ୍ରାଚୀନର ସହାବସ୍ଥାନର ଉଦାହରଣ ପୁରୁଣା ସଂସଦ ଭବନ ଦେଶର ମୁକ୍ତି ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସ୍ୱାଧୀନ ଭାରତ ନିର୍ମାଣରେ ମଧ୍ୟ ଏହାର ଭୂମିକା ଥିଲା ଅତୁଳନୀୟ । ସ୍ୱାଧୀନ ଭାରତର ପ୍ରଥମ ସରକାର ମଧ୍ୟ ଏହି ସଂସଦ ଭବନରେ ଗଠିତ ହୋଇ ଦାୟିତ୍ୱ ଗ୍ରହଣ କରିଥିଲା । ଏହି ଭବନରେ ଦେଶର ପ୍ରଥମ ପାର୍ଲାମେଣ୍ଟ ଅଧିବେଶନ ବସିଥିଲା । ଭାରତ, ଗଣତନ୍ତ୍ରର ଜନନୀ ଯେତେବେଳେ ଗଣତନ୍ତ୍ର କଥା କେଉଁଠି ଆଲୋଚନା ହୁଏ ସେତେବେଳେ ନିର୍ବାଚନ, ନିର୍ବାଚନ ପ୍ରକ୍ରିୟ, ନିର୍ବାଚିତ ଲୋକ ପ୍ରତିନିଧି, ନୂଆ ସରକାର, ଶାସନ ଆଦି କଥା ଗୁରୁତ୍ୱ ପାଏ । ଏସବୁ ଗଣତନ୍ତ୍ରର ମୌଳିକ ବୈଶିଷ୍ଟ୍ୟ । ତେବେ ଭାରତରେ ଗଣତନ୍ତ୍ର ଏକ ଧର୍ମବିଧି ଓ ସଂସ୍କାର । ଏହା ଜୀବନର ମୂଲ୍ୟ, ବଂଚିବାର ମାର୍ଗ ଓ ରାଷ୍ଟ୍ର ଜୀବନର ଆତ୍ମା । ଭାରତୀୟ ଗଣତନ୍ତ୍ର ଏକ ବ୍ୟବସ୍ଥା ଯାହାର ଆରମ୍ଭ ଶହ ଶହ ବର୍ଷ ତଳେ ଆରମ୍ଭ ହୋଇଥିଲା । ଭାରତୀୟ ଗଣତନ୍ତ୍ରରେ ଜୀବନ ଏକ ମନ୍ତ୍ର । ଏହା ବ୍ୟବସ୍ଥାର ଉଭୟ ତତ୍ୱ ଓ ପ୍ରକ୍ରିୟା । ଏହି ପ୍ରକ୍ରିୟା ବ୍ୟବସ୍ଥା ବିିଭିନ୍ନ ସମୟରେ ବଦଳିଥିଲେ ମଧ୍ୟ ଏହାର ଆତ୍ମ ଗଣତନ୍ତ୍ରରେ ରହିଛି । ଆମେ ଦୃଢତାର ସହିତ ଆମ ଗଣତନ୍ତ୍ରର ଇତିହାସର ଯଶଗାନ କରିବା ବେଳେ ଭାରତ ଗଣତନ୍ତ୍ରର ଜନନୀ ବୋଲି ଅନୁଭୂତ ହୁଏ । ଭାରତୀୟ ଗଣତନ୍ତ୍ରରେ ଥିବା ଶକ୍ତି ଦେଶର ବିକାଶକୁ ପୁନର୍ଜୀବିତ କରୁଛି ଏବଂ ନାଗରିକଙ୍କ ମଧ୍ୟରେ ନୂତନ ଆଶା ସଂଚାର କରୁଛି । ଭାରତରେ ଦୈନନ୍ଦିନ ଭିତ୍ତିରେ ଗଣତନ୍ତ୍ରର ନବୀକରଣ ହେଉଛି। ଅନ୍ୟ ଦେଶରେ କିନ୍ତୁ ସେ କଥା ହୁଏ ନାହିଁ । ଅନ୍ୟ ଦେଶରେ ଏବେ ଭୋଟରଙ୍କ ମତଦାନ କ୍ରମଶଃ କମୁଥିବାବେଳେ ଭାରତରେ ତାହା ବଢୁଛି । ସୁଶାସନ ସହିତ ଗଣତନ୍ତ୍ର ଭାରତରେ ମତଭେଦ ଦୂରୀକରଣ ଓ ବିବାଦର ସମାଧାନ ପାଇଁ କାମ କରୁଛି । ବିଭିନ୍ନ ବିଚାର, ଆଦର୍ଶ ଓ ଦୃଷ୍ଟିକୋଣ ମିଳିତଭାବେ ସୁସ୍ଥ ଗଣତନ୍ତ୍ର ପାଇଁ ଅବଦାନ ଯୋଗାଉଛିି। ଭାରତୀୟ ଗଣତନ୍ତ୍ର ଯେଉଁ ଲକ୍ଷ୍ୟ ଓ ଆଦର୍ଶ ଦେଇ ଗତି କରୁଛି ସେଥିରେ ଭିନ୍ନତା ଭିନ୍ନମତରେ ପରିଣତ ହେଉନାହିଁ ।

ରାଷ୍ଟ୍ର ପ୍ରଥମ ନୀତିରେ ସବୁ ନିଷ୍ପତ୍ତି ଗ୍ରହଣ:-

    ଗୁରୁ ନାନକ ଦେବ କହିଥିଲେ, “ ଜବ୍ ଲଗୁ ଦୁନିଆ ରହିଏ ନାନକ । କିଛୁ ଶୁନିଏ କିଛୁ କହିଏ । ଏହାର ଅର୍ଥ ଯେତେଦିନ ଯାଏ ସଂସାର ଥିବ ସେତେ ଦିନ ଯାଏ କଥାବାର୍ତ୍ତା ଚାଲିଥିବ । କଥାବାର୍ତ୍ତା ଯୋଗାଯୋଗର ସାରାଂଶ ହେଲା, କିଛି କହିବା ଓ କିଛି ଶୁଣିବା । ଏହା ମଧ୍ୟ ଗଣତନ୍ତ୍ରର ଆତ୍ମା । ନୀତି ଓ ରାଜନୀତିରେ ମତଭେଦ ରହିପାରେ, ମାତ୍ର ଜନତାଙ୍କ ସେବା ପାଇଁ ଆମେ ସମତ୍ତେ ଏକ । ଏ କ୍ଷେତ୍ରରେ ବିବାଦ ବା ମତଭେଦର ଅବକାଶ ନାହିଁ । ପାର୍ଲାମେଣ୍ଟ ଭିତର ଅଥବା ବାହାରେ ବିତର୍କ ଯେଉଁଠି ହେଉଛି ହେଉ, ସେଥିରେ ରାଷ୍ଟ୍ରସେବାର ସଂକଳ୍ପ ବା ରାଷ୍ଟ୍ରୀୟ ସ୍ୱାର୍ଥ ପାଇଁ ଉତ୍ସର୍ଗର ଭାବନା ସର୍ବଦା ପ୍ରାଧାନ୍ୟ ପାଇବା ଆବଶ୍ୟକ । ଆଜି ନୂଆ ସଂସଦ ଭବନ ବାସ୍ତବତାର ରୂପ ନେଇଛି । ତେଣୁ ଗଣତନ୍ତ୍ରର ମର୍ଯ୍ୟାଦା ଯେପରି ଅକ୍ଷୂର୍ଣ୍ଣ ରହେ ସେକଥା ସମସ୍ତେ ମନେ ରଖିବା ଉଚିତ। ଏହା ସମସ୍ତଙ୍କର ଦାୟିତ୍ୱ । ସଂସଦକୁ ନିର୍ବାଚିତ ହେଉଥିବା ପ୍ରତ୍ୟେକ ଲୋକ ପ୍ରତିନିଧି ଜନସାଧାରଣଙ୍କ ସମ୍ବିଧାନ ନିକଟରେ ଉତ୍ତରଦାୟୀ। ତେଣୁ ସଂସଦରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯିବ ସେଥିରେ ପ୍ରଥମେ ରାଷ୍ଟ୍ରର ସ୍ୱାର୍ଥ ଅଗ୍ରାଧିକାର ପାଇବା ଆବଶ୍ୟକ। ଜାତୀୟ ସଂକଳ୍ପର ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ଏକ ସ୍ୱରରେ କହିବା ଉଚିତ ଏବଂ ଏକଥାକୁ ଭୁଲିଗଲେ ଚଳିବ ନାହିଁ ।

ଗଣତନ୍ତ୍ରର ମନ୍ଦିର:-

                       ଆମ ଦେଶରେ ଯେତେବେଳେ ମନ୍ଦିରଟିଏ ନିର୍ମାଣ କରାଯାଏ ସେତେବେଳେ କେଇଖଣ୍ଡ ଇଟା ଓ ପଥର ରଖି ପ୍ରଥମେ ଏହାର ଶୁଭ ଦିଆଯାଏ । କାରିଗରମାନଙ୍କ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୁଏ । ତେବେ ମନ୍ଦିର ନିର୍ମାଣ ହୋଇ ଏହାର ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ପ୍ରକୃତ ମନ୍ଦିରର ମର୍ଯ୍ୟାଦା ପାଇ ନ ଥାଏ । ସେ ଯାଏ ଏହା କେବଳ ଏକ ଢାଂଞ୍ଚା ବା ସୌଧ ଅବା ଅଟ୍ଟାଳିକା ହୋଇ ରହିଥାଏ । ତେବେ ନୂଆ ପାର୍ଲାମେଣ୍ଟରେ କୌଣସି ପ୍ରତିମାକୁ ସ୍ଥାପନ କରାଯାଇନାହିଁ । ଗଣତନ୍ତ୍ରର ଏହି ମନ୍ଦିର ର ପ୍ରତିଷ୍ଠା ବାସ୍ତବରେ ନାହିଁ । ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିମାନେ ଗଣତନ୍ତ୍ରର ଏହି ମନ୍ଦିରକୁ ହିଁ ପ୍ରତିଷ୍ଠା କରିବେ। ସେମାନଙ୍କର ତ୍ୟାଗ ଓ ସେବା ମନୋଭାବ ଏହି ମନ୍ଦିରକୁ ଜୀବନ ଓ ମର୍ଯ୍ୟାଦା ପ୍ରଦାନ କରିବ । ଲୋକ ପ୍ରତିନିଧିମାନଙ୍କର କାର୍ଯ୍ୟ, ବିଚାର ଓ ମନୋଭାବ ଗଣତନ୍ତ୍ରର ଏହି ମନ୍ଦିରକୁ ଜୀବନ ଓ ମର୍ଯ୍ୟାଦା ପ୍ରଦାନ କରିବ । ଭାରତର ଏକତା ଓ ସଂହତି ରକ୍ଷା ପାଇଁ ସେମାନଙ୍କର ଉଦ୍ୟମ ଏହି ମନ୍ଦିରର ମର୍ଯ୍ୟାଦା ଓ ଶକ୍ତି ହେବ। ଯେତେବେଳେ ପ୍ରତ୍ୟେକ ଲୋକ ପ୍ରତିନିଧି ନିଜର ସମ୍ପୂର୍ଣ୍ଣ ଜ୍ଞାନ, କୌଶଳ, ଦକ୍ଷତା, ପ୍ରଜ୍ଞା, ଶିକ୍ଷା ଓ ଅଭିଜ୍ଞତାକୁ ଏହି ନୂଆ ସଂସଦ ଭବନକୁ ଆଣିବେ ଏବଂ ନିଜକୁ ଅଭିଷିକ୍ତ କରିବେ ସେତେବେଳେ ଏହାର ଆନୁଷ୍ଠାନିକ ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, “ଆମେ ଆଜି ଯେତେବେଳେ ଏକ ସଂକଳ୍ପ ନେଇ ଦେଶର ସ୍ୱାର୍ଥ ପାଇଁ କାମ ଆରମ୍ଭ କରୁଛୁ, ତତଦ୍ୱାରା ଦେଶର ବର୍ତ୍ତମାନ ଓ ଭବିଷ୍ୟତ ଉପକୃତ ହେବ । ଏକ ଆତ୍ମନିର୍ଭର ଓ ସମୃଦ୍ଧ ଭାରତର ଯାତ୍ରା ଏବେ ବନ୍ଦ ହେବ ନାହିଁ କିମ୍ବା ଏହାକୁ କେହି ବନ୍ଦ କରିପାରିବେ ନାହିଁ ।” ନିଶ୍ଚିତଭାବେ ଏହି ନୂଆ ସଂସଦ ଭବନର ଶିଳାନ୍ୟାସ ଠାରୁ ଏହି ଉଦ୍‌ଘାଟନ ପର୍ଯ୍ୟନ୍ତ ଉଭୟରେ- ଦେଶର ବିଚାର ଓ ଆଚାରରରେ ଭାରତ ଦାସତ୍ୱର ମାନସିକତାରୁ ମୁକ୍ତ ହୋଇଛି । ଏହି ମୁକ୍ତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଲକ୍ଷ୍ୟସ୍ଥଳରେ ପହଂଚାଇବ । ନୂଆ ଭାରତ ଏହାର ୧୪୦କୋଟି ନାଗରିକଙ୍କ ସହିତ ବିବିଧତାରେ ଏକତାର ଏହି ଐତିହାସିକ କ୍ଷଣର ସାକ୍ଷୀ । ଏଭଳି ପରିସ୍ଥିତିରେ ଦେଶ ପାଇଁ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ ଅଗ୍ରାଧିକାର ଲୋଡେ, ଏକଥା ସବୁ ଭାରତୀୟ ଭାବିବା ଉଚିତ । ଏହା ସେମାନଙ୍କର ଏକ ପ୍ରମୁଖ ଦାୟିତ୍ୱ ମଧ୍ୟ । ଭାରତର ପ୍ରଗତି ଓ ବିକାଶ କେବଳ ଶ୍ରମ ଓ ତ୍ୟାଗର ପୂଜା ଦ୍ୱାରା ହାସଲ କରାଯାଇପାରିବ । ସ୍ୱାଧୀନ ଭାରତ ଏବେ ତାହାର ନିଜସ୍ୱ ସଂସଦ ଭବନ ପାଇଛି । ଏକ ନୂଆ ଆଦର୍ଶ ଉପସ୍ଥାପନ କରି, ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକୁ ମଜବୁତ୍ କରାଇ ଦେଶ ବିକାଶ ପଥରେ ଆଗେଇ ଚାଲିଛି ।                                           (ସୈାଜନ୍ୟ:- ନ୍ୟୁ ଇଣ୍ଡିଆ ସମାଚାର)
(ବି.ଦ୍ର‌୍ୟ:- ମାନ୍ୟବର ଶ୍ରୀଯୁକ୍ତ ମନୀଶ ଦେଶାଇ, ପ୍ରିନ୍ସପାଲ ଡି.ଜି, ସେଂଟ୍ରାଲ ବ୍ୟୁରୋ ଅଫ୍ କମୁନିକେସନ, ନୂଆଦିଲ୍ଲୀ ମହୋଦୟଙ୍କ ଦ୍ୱାରା ‘ଉଦୟବଟ’କୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ପାଠକ/ପାଠିକାମାନଙ୍କ ସକାଶେ ପ୍ରକାଶିତ) 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close