
ଧର୍ମଶାଳାରେ ଭ୍ରଷ୍ଟାଚାର ବିରୋଧରେ ଲଢେଇ ପାଇଁ ସତୀଶଙ୍କ ଆହ୍ୱାନ
ଧର୍ମଶାଳା,୨୬/୦୯(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଧର୍ମଶାଳାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆଗୁଆ ସମର୍ଥକ ତଥା ସଂଗଠକ ଭାବେ ପରିଚିତ ଯୁବନେତା ସତୀଶ ବିଶ୍ୱାଳ ଗତ କାଲି ଧର୍ମଶାଳାର ଭ୍ରଷ୍ଟାଚାର ବିରୋଧରେ ସାଲିସ ବିହୀନ ଲଢେଇ ପାଇଁ ଏକ ବଡ ଧରଣର ସଭାରେ ଆହ୍ୱାନ ଦେବା ରାଜନୈତିକ ମହଲରେ ବେଶ ଆଲୋଡନ ସୃଷ୍ଟି କରିଛି ।
ପ୍ରସଙ୍ଗ ଭିତିକ ରାଜନୀତିରେ ବିଶ୍ୱାସ ରଖୁଥିବା ସତୀଶ ସର୍ବଦା ଜନସ୍ୱାର୍ଥ ରକ୍ଷା ଏବଂ ଭ୍ରଷ୍ଟାଚାର ବିରୋଧରେ ସାଲିସ ବିହୀନ ଲଢେଇ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲା ସୀମାରେ ଥିବା ଧର୍ମଶାଳାର ଏଣ୍ଡଳବା ପଂଚାୟତରେ ସତୀଶ ଶନିବାର ଏକ ବଡ ଧରଣର ସଭାରେ ଉଦ୍ବୋଦନ ଦେଇ କହିଥିଲେ ଯେ, ଧର୍ମଶାଳାରେ କ୍ଷମତା କେନ୍ଦ୍ର ରାଜନୀତିର ବ୍ୟବସାୟୀକରଣ କରୁଥିବାରୁ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ପ୍ରତିଶୃତିକୁ ପାଦରେ ଦଳି ଦିଆଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ କାର୍ଯ୍ୟକ୍ରମ ଜୀବିକା ମିଶନରେ ବି ମହିଳାମାନଙ୍କୁ ଶୋଷଣ କରାଯାଉଛି । ବ୍ୟାଙ୍କ ଜମା କ୍ଷେତ୍ରରେ ମହିଳାମାନଙ୍କୁ ଆଦୌ ସଚେତନ କରାଯାଉ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ହଡପ ହେଉଥିବା ବେଳେ ଶାସକ ଦଳ ନାମରେ କ୍ଷମତାରେ ଥିବା ତଥାକଥିତ ନେତାମାନେ ଏଭଳି ଭ୍ରଷ୍ଟାଚାରକୁ ସୁରକ୍ଷା ଦେଉଛନ୍ତି । ମହିଳାମାନଙ୍କୁ ସଚେତନ କରିବା ପାଇଁ ସଚେତନତା ପାଇଁ ଆସୁଥିବା ଟଙ୍କା ହଡପ କରାଯାଉଛି । ତେଣୁ ମହିଳାମାନେ ଏ କ୍ଷେତ୍ରରେ ସଚେତନ ହୋଇପାରୁ ନାହାନ୍ତି । ଏହି ଲୁଟକୁ ନେଇ ଜନପ୍ରତିନିଧିଙ୍କ ନୀରବତା ହିଁ ସେମାନଙ୍କ ଭୂମିକାକୁ ଅଧିକ ସ୍ପଷ୍ଟ କରୁଛି । ଧର୍ମଶାଳାରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବାରୁ ଯୁବ ସମାଜ ସମସ୍ୟାରେ ଜର୍ଜରିତ ହୋଇଛନ୍ତି । ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଶୋଣଣ କରାଯାଉଛି । ଏଥିନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଥିଲେ ମଧ୍ୟ ଘଟଣାକୁ ଚପାଇ ଦିଆଯାଇଛି । ଏଠାରେ ଜଣେ ଏମ.ବି.କେ ଏକକାଳୀନ ଦୁଇଟି କାର୍ଯ୍ୟରେ ଥିବା ବେଳେ ଅଦ୍ୟାବଧି ତାଙ୍କୁ ଚାକିରୀରୁ ସସପେଣ୍ଡ କରାଯାଇ ନାହିଁ । ଏହି ଲୁଟରେ ଅନ୍ୟତମ ଅଭିଯୁକ୍ତ ସି.ଆର.ପିଙ୍କୁ ସୁରକ୍ଷା ଦେଉଥିବା ବ୍ଲକ ପ୍ରଶାସନ ମଧ୍ୟ ଆଗାମୀ ଦିନରେ ବିବାଦୀୟ ହେବାକୁ ଯାଉଛନ୍ତି । ପୂର୍ବରୁ ଏ କ୍ଷେତ୍ରରେ କାର୍ଯ୍ୟରତ ଧର୍ମଶାଳା ବ୍ଲକ ସ୍ତରର ଅଧିକାରୀମାନେ ମହିଳାମାନଙ୍କୁ ଯେଭଳି ଶୋଷଣ କରିଛନ୍ତି ତାହା ଅବର୍ଣ୍ଣନୀୟ । ଦୀର୍ଘଦିନ ଧରି ସମାନ ଦାୟୀତ୍ୱରେ ରହି ଏଠାରେ ଦୌରାତ୍ମ୍ୟ ଚଲାଇଛନ୍ତି ।
ତଥାକଥିତ କ୍ଷମତାଶାଳୀ ନେତା ଏଠାରେ ପାହାଡ ପର୍ବତ, ନଦୀ ବାଲି ହରିଲୁଟ କରିବା ଠାରୁ ଆରମ୍ଭ କରି ରାସ୍ତା ଘାଟ କାର୍ଯ୍ୟରେ ଆଖିବୁଜା ଦୁର୍ନିତି ଘଟାଇ ଚାଲିଛନ୍ତି । ଧର୍ମଶାଳାରେ ବଂଶବାଦ ଏବଂ ଭ୍ରଷ୍ଟାଚାର ବନ୍ଧନରୁ ମୁକ୍ତ ହେବା ପାଇଁ ବିଜୁ ଲିଗାସୀର ଲୋକେ ଏକାଠି ହେବାକୁ ସତୀଶ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ଦେଉଥିବାରୁ ନେତାମାନେ ମହିଳାଙ୍କ ଦଃୁଖ ସହ ରହିବା ଆବଶ୍ୟକ । ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ତଦନ୍ତରେ ସାମାନ୍ୟ ଅବହେଳା କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ସତୀଶ କହିଥିଲେ ଯେ, କେବଳ ନବୀନବାବୁଙ୍କ ଜନପ୍ରିୟତାକୁ ଆୟୁଧ କରି ଭୋଟ ପାଇଗଲା ପରେ ଧର୍ମଶାଳାର ପ୍ରକୃତ ଉନ୍ନତି ଓ ଜନସାଧାରଣଙ୍କ ଆବେଗ ପ୍ରତି ପ୍ରକୃତ ଧ୍ୟାନ ନ ଦେଇ ପରିବାରବାଦ ରାଜନୀତି ଚଳାଇବା ଦୁର୍ଭାଗ୍ୟଜନକ! ଫଳତଃ ଧର୍ମଶାଳାରେ ଜନବିରୋଧୀ କାର୍ଯ୍ୟ ଦିନକୁ ଦିନ ସୀମା ପାର ହେବାରେ ଲାଗିଛି । ସଭାସ୍ଥଳରେ ଉପସ୍ଥିତ ଶହ ଶହ ସଂଖ୍ୟାରେ ମହିଳା ଏବଂ ଜନସାଧାରଣ ତାଙ୍କୁ ସମର୍ଥନ ଜଣାଇ ଆଗକୁ ଯୋରଦାର ଲଢ଼େଇ ପାଇଁ ଅଂଟା ଭିଡ଼ି ଥିଲେ । ଏହାପରେ ସତୀଶ ପଦଯାତ୍ରାରେ ଗାଁ ପରିକ୍ରମା କରି ମା’ ଚଣ୍ଡୀଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।