ଆଇଏଲଏସର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ଼ଃ ଅଜୟ ପରିଡ଼ାଙ୍କ ଏକାଦଶାହ କ୍ରିୟାରେ ଜନ୍ମମାଟି ଭଗବାନପୁରରେ ଶୋକ ସଭା
ଯାଜପୁରରୋଡ଼, ୦୫/୦୮: ଓଡ଼ିଶାର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର କୋତପୁର ପଂଚାୟତର ଭଗବାନପୁର ଗ୍ରାମରେ ଜନ୍ମିତ ଭାରତର ଖ୍ୟାତନାମା ବୈଜ୍ଞାନିକ ତଥା ଭୁବନେଶ୍ୱର ସ୍ଥିତ ଆଇ.ଏଲ.ଏସ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ)ର ନିର୍ଦ୍ଦେଶକ ଡ଼ଃ. ଅଜୟ କୁମାର ପରିଡ଼ାଙ୍କ ଅକସ୍ମାତ୍ ବିୟୋଗରେ ରାଜ୍ୟ ବ୍ୟାପି ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କର ଜନ୍ମମାଟି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ କୋତପୁର ପଂଚାୟତର ଭଗବାନପୁର ଗ୍ରାମରେ ଏକାଦଶାହ କ୍ରିୟା ଉପଲକ୍ଷେ ପାଳିତ ହୋଇଯାଇଛି ଏକ ସମବେତ ଶୋକସଭା । ବିଭିନ୍ନ ଦଳର ତୁଙ୍ଗ ନେତାଙ୍କ ସହ, ବୈଜ୍ଞାନିକ, ସାମ୍ବାଦିକ, ଓକିଲ, ଅଧ୍ୟାପକ, ଶିକ୍ଷକ, ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ ଆଦି ବହୁ ବ୍ୟକ୍ତିବିଶେଷ ଡ଼ଃ. ପରିଡ଼ାଙ୍କ ଏକାଦଶାହ କ୍ରିୟାରେ ଯୋଗଦେଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କର ବହୁବିଧ ଗୁଣାବଳୀର ସ୍ମୃତିଚାରଣ କରିଥିଲେ । ଏହି ଶୋକ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ତଥା ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥି, ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ସାଂସଦ ରୀତା ତରାଇ, ଭାଜପା ଯାଜପୁର ଜିଲ୍ଲା ସଭାପତି ଗୈାତମ ରାୟ, କାହ୍ନୁଚରଣ ଦାଶ, ଶାରଦା ମହାନ୍ତି, ପ୍ରିୟନାଥ ମହାପାତ୍ର, ଅରବିନ୍ଦ ସାମଲ, ମାମୁଁ ତଥା ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ‘ଉଦୟବଟ’ର ସଂପାଦକ ତଥା ବନ୍ଧୁ ଦୁଷ୍ମନ୍ତ କୁମାର ରାଉତ, ଅଧର ଜେନା, ସତୀଶ ବିଶ୍ୱାଳ, ଅମର ମହାନ୍ତି, ସାମ୍ବାଦିକ ଅଭିମନ୍ୟୁ ଧଳ, ପ୍ରମୁଖ ଯୋଗ ଦେଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ସର୍ବଭାରତୀୟ ସ୍ତରର ସଫଳ ତଥା ଦକ୍ଷ ଉଦ୍ଭିଦ ବିଜ୍ଞାନୀ, ପ୍ରଖାତ ଜିନ୍ ଗବେଷକ, କୃଷି ବୈଜ୍ଞାନିକ ଡ଼ଃ. ପରିଡ଼ାଙ୍କ ସଂର୍ପକରେ ଏକ ସ୍ମରଣିକା ଏହି ଅବସରରେ ଉନ୍ମୋଚିତ ହୋଇଥିଲା । ବଡ଼ଚଣା, ଧର୍ମଶାଳା ଦ୍ୱୀପାଂଚଳ ସହ ଜିଲ୍ଲା ଓ ରାଜ୍ୟ ସ୍ତରର ବହୁ ବ୍ୟକ୍ତିବିଶେଷ ଏହି କାର୍ଯ୍ୟରେ ଯୋଗଦେଇଥିବା ବେଳେ ପତ୍ନୀ ରଶ୍ମି ମହାପାତ୍ର, ପୁଅ ଆଶିଷ କୁମାର ପରିଡ଼ା, ଭାଇ ଅମୀୟ କୁମାର ପରିଡ଼ା (ଟୁଟୁଆ), ଶଢ଼ୁ ମନୋରଂଜନ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।