
ବ୍ୟାସନଗରେ ଗଡିଲା ‘ଶିଶୁ ଶ୍ରମିକ ନିରାକରଣ ସଚେତନତା’ ରଥ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ରଥ
ବ୍ୟାସନଗର,୦୪/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡ ସ୍ଥିତ ଯାଜପୁର ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଶନିବାର ସକାଳ ୦୯ଟାରୁ ଏକ ‘ଶିଶୁ ଶ୍ରମିକ ନିରାକରଣ ସଚେତନତା’ ରଥ କଳିଙ୍ଗନଗର ଅତିରିକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗୋପବନ୍ଧୁ ଛକ ଷ୍ଟେସନ ବଜାର ଦେଇ ମୁଖ୍ୟ ରାସ୍ତାରେ ଦେଇ କଲେଜ ଛକ ନିକଟସ୍ଥ ଶ୍ରମ ଦପ୍ତରରେ ପହଚିଂଛି । କଳିଙ୍ଗନଗର ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ କୁମାର ମିଶ୍ର ଏହି ସଚେତନତା ରଥକୁ ତାଙ୍କ କାର୍ଯ୍ୟାଳୟରେ ସ୍ୱାଗତ କରିବା ପରେ ଏହା ସହର ପରିକ୍ରମାରେ ଯାଇଥିଲା । ଏହି ପରିକ୍ରମାରେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଅତିରିକ୍ତ ଶ୍ରମ ଅଧିକାରୀ ଚିତରଂଜନ ରାଉତ, ଗ୍ରାମୀଣ ଶ୍ରମ ନିରୀକ୍ଷକ ସଂଜିତ୍ କୁମାର ଦେଓ, ଆଇ.ଏନ.ଟି.ୟୁ.ସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ସିଟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଶ୍ରମିକ ନେତା ପ୍ରଦୀପ ନାୟକ, ଦୁଷ୍ମନ୍ତ କୁମାର ରାଉତ, ଅରୁଣ ଦାସ ପ୍ରମୁଖ ସାମିଲ ହୋଇଛନ୍ତି । ଏଥିରେ ବହୁ ଶ୍ରମିକ ନେତା, ଶ୍ରମିକ, ମହିଳା ଆଦି ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ଶିଶୁ ଶ୍ରମିକ ବିରୋଧି ନାରା ଦେଇ ହୋଟେଲ, ବ୍ୟବସାୟ ପ୍ରତିଷ୍ଠାନ, ଘରୋଇ ଆଦି କ୍ଷେତ୍ରରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ତୁରନ୍ତ ଅପସାରଣ ପାଇଁ ଦୃଢ଼ ଦାବୀ କରାଯାଇଛି । ଶିଶୁ ଶ୍ରମିକ ଆଇନ କଠୋର ହୋଇଛି । ଏହି ସଚେତନତାକୁ ତୃଣମୂଳ ସ୍ତରରେ ପହଂଚାଇବାର ଲକ୍ଷ୍ୟରେ ଜିଲ୍ଲା ଶ୍ରମ ଦପ୍ତର ଆନୁକୂଲ୍ୟରେ ଏହି ରଥ ବାହାରିଥିବାର ଜଣାଯାଇଛି । ଗତ କାଲି ଜିଲ୍ଲା ସଦରମହକୁମା ଯାଜପୁରରେ ପ୍ରଥମେ ଏହି ରଥ ଗଡ଼ିଥିଲା । ଆଜି ୨ୟ ଦିବସରେ ଶିଳ୍ପ ଭିତିକ ଓ ଶ୍ରମବହୂଳ ବ୍ୟାସନଗର ସହରରେ ଏହି ରଥ ଗଡ଼ିଛି । “ଶିଶୁ ଶ୍ରମ ମୁକ୍ତ ବ୍ୟାସନଗର ଓ କଳିଙ୍ଗନଗର ଶିଳ୍ପାଂଚଳା” ଆମର ସଂକଳ୍ପ ବୋଲି ନାରା ଦିଆଯାଉଛି । ସମଗ୍ର ଜିଲ୍ଲାକୁ କିପରି ଶିଶୁ ଶ୍ରମିକମୁକ୍ତ କରାଯାଇପାରିବ ଏହି ଲକ୍ଷ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡିଶା ସରକାର ଏବଂ ଶ୍ରମ ବିଭାଗ, ଯାଜପୁର ମିଳିତ ଆନୁକୁଲ୍ୟରେ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ” ତା’ର ବାର୍ତା ବାଂଟି ଚାଲିଚ୍ଥି ।