ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ
ପାରାଦୀପ, (ଚକ୍ରଧର ଦାଶଙ୍କ ଠାରୁ), ୦୨/୦୫: ଜଗତସିଂହପୁର ଜିଲ୍ଲାର ପାରାଦୀପ ଅଞ୍ଚଳରେ ଥିବା ଅଭୟଚାନ୍ଦପୁର ଥାନାରେ ଏପ୍ରିଲ ୩୦ ତାରିଖ ଶନିବାର ରାତିରେ ଜଣେ ଯୁବକର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଯୁବକ ଜଣକ ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ସବଷ୍ଟେସନ ନିକଟରେ ଥିବା ଲୋକନାଥ କଲୋନୀର ପ୍ରହଲ୍ଲାଦ ଗେଡ଼ିଙ୍କ ପୁଅ ମନୋରଞ୍ଜନ ଗେଡି ବୋଲି ଜଣା ଯାଉଛି ।
ଶନିବାର ରାତିରେ ଅଭୟଚାନ୍ଦପୁର ଥାନା ପୋଲିସ ତାଙ୍କୁ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଥାନାକୁ ନେଇ ଯାଇଥିଲେ। ଥାନାରେ ଅଟକ ରଖି ପଚରାଉଚରା କରିଥିଲେ । କିନ୍ତୁ ବିଳମ୍ବିତ ରାତିରେ ମୃତକର ବାପା ପାଖକୁ ଫୋନ ଆସିଥିଲା ଯେ ତାଙ୍କ ପୁଅ ଗାଡି ଧକ୍କାରେ ଆହତ ହୋଇଛି, ତୁମେ ଥାନାକୁ ଆସ। ସେ ଥାନାରେ ପହଞ୍ଚିବା ପରେ ତାଙ୍କ ପୁଅକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ନିଆ ଯାଇଛି । ସେ ଜଗତସିଂହପୁର ପହଞ୍ଚି ଖବର ପାଇଲେ ଯେ ତାଙ୍କ ପୁଅର ମୃତ୍ୟୁ ହୋଇ ଯାଇଛି ଏବଂ ବିଳମ୍ବିତ ରାତିରେ ତାର ଶବ ବ୍ୟବଚ୍ଛେଦ ହୋଇଯାଇଛି । ମୃତକର ପିତା ଶ୍ରୀ ପ୍ରହଲ୍ଲାଦ ଗେଡ଼ିଙ୍କ ଅଭିଯୋଗ ଯେ ତାଙ୍କ ପୁଅକୁ ପୋଲିସ ମାଡ଼ ମାରି ମାରି ଦେଇଛନ୍ତି । ଯଦି ସେ ଦୁର୍ଘଟଣା ଘଟିଥିଲା ତେବେ ପାରାଦୀପ, କୁଜଙ୍ଗ ମେଡ଼ିକାଲ ନ ନେଇ ଜଗତସିଂହପୁର ନେଲେ କାହିଁକି। କୁଜଙ୍ଗରେ ଶବ ବ୍ୟବଚ୍ଛେଦ ଗୃହ ଥିଲେ ମଧ୍ୟ ଜଗତସିଂହପୁର କାହିଁକି ଆଣିଲେ । ତେଣୁ ପୋଲିସ ହାଜତରେ ପ୍ରବଳ ମାଡ଼ ମାରି ମୋ ପୁଅକୁ ମାରି ଦେଇଛି ବୋଲି ଅଭିଯୋଗ କରିଛନ୍ତି । ଅପରପକ୍ଷରେ ପୋଲିସ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଏବଂ ମୃତ୍ୟୁ ଦୁର୍ଘଟଣାରେ ହୋଇଛି । ପୋଲିସ ଚିକିତ୍ସା କରିବା ପାଇଁ ଜଗତସିଂହପୁର ଆଣିଥିଲେ ଏବଂ ସେଠାରେ ତାର ମୃତ୍ୟୁ ହୋଇଥିଲା । ତେଣୁ ସଂଗେ ସଂଗେ ପୋଷ୍ଟମର୍ତ୍ତମ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷ ତଳେ ପୁରୀ ଜିଲ୍ଲାର କୁମ୍ଭାରପଡା ଥାନାରେ ହାଜତ ମୃତ୍ୟୁ ହୋଇଥିଲା ଏବଂ ସେତେବେଳେ ଜିଲ୍ଲାର ଏସ ପି ଥିଲେ ଅଖିଲେଶ ସିଂହ ଯାଦବ ଏବଂ ଥାନା ଅଧିକାରୀ ଥିଲେ ଜୀବନାନନ୍ଦ ଜେନା ଏବଂ ଏପ୍ରିଲ ୩୦ ତାରିଖରେ ଅଭୟଚାନ୍ଦପୁର ଥାନା ଆଇ ଆଇ ସି ଅଛନ୍ତି ଜୀବନାନନ୍ଦ ଜେନା ଏବଂ ଏସ ପି ଅଛନ୍ତି ସେହି ଅଖିଲେଶ ସିଂହ । ତେଣୁ ଏହି ଅଭିଯୋଗ ପୋଲିସ କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Live Share Market