ଯାଜପୁର ପୂର୍ତ ବିଭାଗର ଖାମଖିଆଲି ନୀତି, ବହୁ ସ୍ଥାନରେ ନିମ୍ନମାନର କାମ; ଲୋକେ ଅତିଷ୍ଠ

ବ୍ୟାସନଗର,(ଉଦୟବଟ ନ୍ୟୁଜ ବ୍ୟୁରୋ), ୩୦/୦୪: ବର୍ତମାନ ବିଭିନ୍ନ ଇଂଜିନିୟରିଂ ବିଭାଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆମ ରାଜ୍ୟରେ ବିକାଶର ଧାରା ବଜାୟ ରହିଛି ବୋଲି କୁହାଯାଉଥିଲେ ହେଁ ଅଧିକାଂଶସ୍ଥଳେ କାର୍ଯ୍ୟକ୍ଷେତ୍ରରେ ବହୁ ଅନିୟମିତତା ପରିଲକ୍ଷିତ ହେଉଛି । ବିଶେଷକରି, ଯାଜପୁର ଜିଲ୍ଲା ପୂର୍ତ ବିଭାଗର ବିଭିନ୍ନ ଦୁର୍ନିତି ଓ ଅନିୟମିତତା, ଗୁମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଅଧିକାଂଶ ସ୍ଥାନରେ ଲୋକେ ଅତିଷ୍ଠ ହେବାରେ ଲାଗିଛନ୍ତି । ବହୁ ଯନ୍ତ୍ରୀ ରାସ୍ତାର ସ୍ଥାୟିତ୍ୱ, ନିର୍ମିତ କୋଠାବାଡ଼ି ଆଦିର ଉନ୍ନତମାନର କାର୍ଯ୍ୟ ତନଖି କରିବା ପରିବର୍ତେ ଠିକାଦାରମାନଙ୍କ ସହ ମଧୁଚନ୍ଦ୍ରିକା କରି ସେମାନଙ୍କୁ ଅଯାଚିତ ମୁନାଫା ଦେଇ ପରୋକ୍ଷରେ ପି.ସି. ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିବାରେ ଲାଗିଛନ୍ତି । ଯନ୍ତ୍ରୀମାନେ ଏକ ନିର୍ଦ୍ଦିଷ୍ଟ କାମକୁ ଯୋଜନାବଦ୍ଧ ଭାବେ ସ୍ପ୍ଲିଟିଂ (ଛୋଟ ଛୋଟ)ରେ ବିଭକ୍ତ କରି ତଥାକଥିତ ଠିକାଦାରମାନଙ୍କୁ ଅଯାଚିତ ଅନୁକମ୍ପା ଦେଇ ପରେ ମୋଟା ପରିମାଣର ପି.ସି ଖାଉଥିବାର କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । କେଉଁଠି ପିଚୁ ଉପରେ ପିଚୁ କରାଯାଉଛି ତ ଆଉ କେଉଁଠି ନିର୍ମିତ ରାସ୍ତା ପନ୍ଦର ଦିନ ପରେ ଖରାପ ହୋଇ ଜନସାଧାରଣଙ୍କ ଆକ୍ରୋଶର ଶରବ୍ୟ ହେଉଛି । ବହୁସ୍ଥାନରେ ନିର୍ମିତ କୋଠାବାଡ଼ି କମ ମାସ ମଧ୍ୟରେ ଭୁଷୁଡ଼ି ପଡ଼ୁଛି ତ କେଉଁଠି ନବ ନିର୍ମିତ କୋଠା ଫାଟି କରି ଆଁ କରିଛି । ଆଉ କେଉଁଠି ମିଥ୍ୟା ବିଲ୍ କରାଯାଇ ମୋଟା ଅଙ୍କର ସରାକାରୀ ଅର୍ଥକୁ ହରିଲୁଟ୍ କରାଯାଉଛି । ଏହିପରି ବହୁ ଉଦାହରଣ ରହିଛି । ଯନ୍ତ୍ରୀମାନେ ଏଥିପ୍ରତି ଖାତିର ନ କରି ମାଲ କମାଇବାରେ ବ୍ୟସ୍ତ ଥିବାର ପରିଲକ୍ଷିତ ହେଉଛି । 
      ଉଦାହରଣସ୍ୱରୂପ, ବ୍ୟାସନଗର ୱେୟାରହାଉସ୍ ନିକଟରୁ ଷ୍ଟାଡ଼ିୟମ, ସାପଗାଡ଼ିଆ ଛକ ଦେଇ ସହରସାହି ପର୍ଯ୍ୟନ୍ତ ଯାଇଥିବା ରାସ୍ତା । କିଛି ବର୍ଷ ତଳେ ଏହି ରାସ୍ତାର କିଛି ଅଂଶକୁ କଂକ୍ରିଟ୍ ଓ ଆଉ କିଛି ଅଂଶକୁ ପିଚୁ କରାଯାଇଥିଲା । ହେଲେ ଏହି କାମକୁ ତତ୍‌କାଳୀନ ବିଧାୟକଙ୍କ ପାଖ ଲୋକ ବୋଲାଉଥିବା କିଛି ମୁନାଫଖୋର ବ୍ୟକ୍ତି ମୂଳ ଠିକାଦାରଙ୍କ ଠାରୁ କାମ ଆଣି ରାସ୍ତା ନିର୍ମାଣକୁ ଅତ୍ୟନ୍ତ ନିମ୍ନମାନର କରିଥିଲେ । ବଙ୍ଗାଳି ସାହି ନିକଟସ୍ଥ କଲର୍ଭଟ ନିର୍ମାଣକୁ ଅଧାପାନ୍ତରିଆ ଭାବେ ଛାଡ଼ି ଦେଇଥିଲେ ମଧ୍ୟ ବିଭାଗ ସେମାନଙ୍କୁ ବିଲ୍ ପୈଠ କରିବା ଆଶ୍ଚର୍ଯ୍ୟକର ବିଷୟ ଥିଲା । ଏହି କଲର୍ଭଟଟି ଦୀର୍ଘ ସମୟ ପରେ ମଧ୍ୟ ଆଜି ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇ ନାହିଁ । ଏହି ରାସ୍ତା ନିର୍ମାଣର ଅଳ୍ପ ସମୟ ମଧ୍ୟରେ ଠାଏଁ ଠାଏଁ କଂକ୍ରିଟ୍ ଉଠିଯାଇ ରାସ୍ତାରେ ଛୋଟ ବଡ଼ ଗର୍ତ ସୃଷ୍ଟି ହୋଇଥିଲା । ଫରେଷ୍ଟ ଅଫିସ୍ ନିକଟ, ପାଣି ଟାଙ୍କି ନିକଟ, ବଙ୍ଗାଳି ସାହି ନିକଟରେ ବହୁ ଗର୍ତ ସୃଷ୍ଟି ହୋଇ ଯାତାୟତରେ ବାଧା ସୃଷ୍ଟି କରିଆସୁଛି । ବିଭାଗ ପକ୍ଷରୁ ଅଳ୍ପ ଦିନ ତଳେ ସାପଗାଡ଼ିଆ ଛକରୁ ବ୍ୟାଙ୍କ କଲୋନୀ ପର୍ଯ୍ୟନ୍ତ ଭଲ ରାସ୍ତା ଉପରେ ପିଚୁ ପକା ଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ମୂଳ ରାସ୍ତା ଠାରୁ ନୂଆ ରାସ୍ତାର ପିଚୁ ଦିନେ ଦୁଇ ଦିନ ପରେ ଉଠି ଯାଇଥିଲା । ଗଣମାଧ୍ୟମରେ ବ୍ୟାପକ ହଇଚଇ ଓ ଜନସାଧାରଣଙ୍କ ବିରୋଧ ପରେ ଉଠି ଯାଇଥିବା ପିଚୁକୁ ଶ୍ରମିକ ଲଗାଇ ଖରକା ଯାଇ ପୁଣି ପିଚୁ କରାଯାଇଥିଲା; ଯାହାକି ଜଗତେ କେବଳ ଜନେ ହସିବେ ଏହି ତାହା ଫଳ ଭଳି ହୋଇଥିଲା । ପୁନଶ୍ଚ ଏହି ଅଳ୍ପ କେତେ ଦିନ ତଳେ ଫରେଷ୍ଟ ଅଫିସ୍ ଓ ରାମ ମନ୍ଦିର ନିକଟ ବଙ୍କାଣି ରାସ୍ତାକୁ ମରାମତି ନିମନ୍ତେ ଉଭୟପଟୁ ବାଉଁଶ ବନ୍ଧାଯାଇ ଆଠ ରୁ ଦଶ ଦିନ ଧରି ରାସ୍ତା ଅବରୋଧ କରାଯାଇ ରାସ୍ତା କାମ ଚାଲିଥିଲା ହେଲେ ବାଉଁଶ ଖୋଲାଗଲା ପରେ ଆଉ ୮ -୧୦ଦିନ ମଧ୍ୟ ସେହି ରାସ୍ତା ତିଷ୍ଠି ନଥିଲା । ରାସ୍ତା ପୂର୍ବଠାରୁ ଆହୁରି ଖରାପ ହୋଇଛି । ଏବେ ଏହି ରାସ୍ତାରେ ବଜୁରୀ ଓ ପିଚୁ ବାହାରି ବିପଦସଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି । ଏହି ରାସ୍ତାଟି ମହାବାତ୍ୟା ୧୯୯୯ରେ ଧ୍ୱସ୍ତବିଧ୍ୱସ୍ତ ହେଲାପରେ ତତ୍‌କାଳୀନ କୋରାଇ ବିଧାୟକ ସ୍ୱର୍ଗତ ଅଶୋକ ଦାସଙ୍କ ପ୍ରଚେଷ୍ଟାରେ ନିିର୍ମିତ ହୋଇଥିଲା । ସ୍ଥାନୀୟ ଠିକାଦାର ପ୍ରଫୁଲ୍ଲ କୁମାର ବୋଇତାଇ ଏହି ରାସ୍ତା ନିର୍ମାଣ କରିଥିଲେ । ୧୯୯୯ ରୁ ନିର୍ମିତ ଏହି ରାସ୍ତା ଦୀର୍ଘ ପ୍ରାୟ ୧୫-୧୬ ବର୍ଷ ଧରି ଭଲ ଅବସ୍ଥାରେ ଥିଲା । ମାତ୍ର ଏହି ୫-୬ ବର୍ଷ ମଧ୍ୟରେ ରାସ୍ତାଟି ଦୁଇ ଥର ନିର୍ମିତ ହୋଇଥିଲେ ମଧ୍ୟ ନିମ୍ନମାନର କାମ ପାଇଁ ରାସ୍ତାର ଦୂରାବସ୍ଥା ବଢ଼ି ବଢ଼ି ଚାଲିଛି । ବ୍ୟାସନଗର ଭଳି ଏକ ସଚେତନ ଅଂଚଳରେ ପୂର୍ତ ବିଭାଗର ଏଭଳି ଖାମଖିଆଲି ଓ ଦୁର୍ନିତିଖୋର ମନୋବୃତି ହାଟରେ ପଡ଼ି ଏବେ ଦାଣ୍ଡରେ ଗଡ଼ୁଛି । ଧବଳଗିରିରେ ରହୁଥିବା ଯନ୍ତ୍ରୀମାନେ ରାତି ଅଧରେ ପି.ସି. ଟଙ୍କା ଆଦାୟ କରି ଭିଜିଲାନ୍ସ ବିଭାଗକୁ ଚକମା ଦେଇ କଟକ ଭୁବନେଶ୍ୱରକୁ ଟଙ୍କା ଚାଲାଣ କରିବାରେ ବେଶ ପାରଙ୍ଗମତା ଦେଖାଉଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଠିକାଦାର ଆମକୁ ଭୁବନେଶ୍ୱରେ ଲାଂଚ ଦେଇ ଆସିବେ ଓ ବାଟରେ ଭିଜିଲାନ୍ସ ବିଭାଗ ଆମକୁ ତନଖି କରି କିଛି ପାଇବ ନାହିଁ ବୋଲି ଜନୈକ ଯନ୍ତ୍ରୀ କୁହନ୍ତି । ଏଭଳି ଦୁର୍ନିତଖୋର ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ରାଜ୍ୟ ଭିଜିଲାନ୍ସ ବିଭାଗର ଦକ୍ଷ ଡ଼ି.ଜି. ଯଶୱନ୍ତ ଜେଠ୍‌ୱା ମହୋଦୟ ହସ୍ତକ୍ଷେପ ନ କଲେ ଏମାନଙ୍କର ଦୁର୍ନିତିଖୋର ମନୋଭାବ ଦିନକୁ ଦିନ ବଢ଼ି ବଢ଼ି ଚାଲିବା ସହ ଏହି ଧାରାର ପରିବର୍ତନ ଆସିବା ମନେ କରାଯାଏ ନାହିଁ । ଅଧିକାଂଶକୁ ପକେଟ୍‌ରେ ପୁରାଇଛନ୍ତି ବୋଲି ସେମାନେ କହି ହେଉଛନ୍ତି । କେବଳ ଭିଜିଲାନ୍ସ ବିଭାଗ ହିଁ ଏମାନଙ୍କୁ ସାଇଜ୍ କରିବ ବୋଲି ଆଲୋଚନା ହେଉଛି । ଶ୍ରୀଯୁକ୍ତ ଜେଠ୍‌ୱାଙ୍କ ସମୟରେ ରାଜ୍ୟର ବହୁ ତଥାକଥିତ ଦୁର୍ନିତିଖୋର ଯନ୍ତ୍ରୀମାନେ ପ୍ରମାଦ ଗଣୁଥିବା ବେଳେ ଯାଜପୁର ଜିଲ୍ଲାରେ ଏହି ଧାରା ନଗଣ୍ୟ ବୋଲି ଜଣାଯାଇଛି । ରାଜ୍ୟର ବିଭିନ୍ନ ଆର ଆଣ୍ଡ ବି ବିଭାଗ ଠାରୁ ତୁଳନାତ୍ମକ ଭାବେ ପାଣିକୋଇଲି ଆର ଆଣ୍ଡ ବି ବିଭାଗରେ ସରକାର ମୋଟା ଅଙ୍କର ବ୍ୟୟବରାଦ କରିଆସୁଥିଲେ ହେଁ ଅନ୍ୟାନ ଜିଲ୍ଲା ଠାରୁ ଏହି ବିଭାଗ ଅଧିନରେ ଥିବା ଏଠାକାର ଅଧିକାଂଶ ରାସ୍ତାଘାଟର ଅବସ୍ଥା କଥା ନ କହିବା ଭଲ! ତେଣୁ ଏହି ବ୍ୟୟବରାଦର ସିଂହ ଭାଗ ତଥାକଥିତ ଯନ୍ତ୍ରୀ, ଠିକାଦାର, ନେତା ଆଦିଙ୍କ ମିଲିଭଗତରେ ଲୁଟ ହେଉଥିବାର ଚର୍ଚ୍ଚା ହେଉଛି । ତେଣୁ ଶ୍ରୀଯୁକ୍ତ ଜେଠ୍‌ୱାଙ୍କ ସ୍କାନରରେ ଏଭଳି ଯନ୍ତ୍ରୀଙ୍କ ଦୁର୍ନିତିପରାୟଣତା ଓ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲା ଆଦି ତୁରନ୍ତ ତଦନ୍ତ ପରିସରଭୁକ୍ତ ହେବା ସହ ସମୟୋଚିତ ତଦନ୍ତ ହେବା ଉଚିତ ବୋଲି ବୁଦ୍ଧିଜିବି ମହଲରେ ମତପ୍ରକାଶ ପାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close