ଟୀକାକରଣ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହେଉଛି

ବ୍ୟାସନଗର, ୨୭/୪/୨୦୨୨(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): କରୋନା ମହାମାରୀ ସମଗ୍ର ବିଶ୍ୱରେ ଦୀର୍ଘ ପ୍ରାୟ ଅଢ଼େଇ ବର୍ଷ ଧରି ବିଭୀଷିକା ରଚି ଚାଲିଥିବା ବେଳେ ବିଭିନ୍ନ ଦେଶରୁ ମିଳିଥିବା ‘ୱାଲ୍ଡୋମିଟର’ ତଥ୍ୟ ମୁତାବକ ଏପର୍ଯ୍ୟନ୍ତ ବିଶ୍ୱରେ ୬୨ଲକ୍ଷ ୪୨ ହଜାରରୁ ଉର୍ଦ୍ଧ ଲୋକଙ୍କ ଏଥିରେ ପ୍ରାଣହାନି ଘଟିଲାଣି । ମୋଟ ୫୦ କୋଟି ୯୨ଲକ୍ଷ ୨୩ ହଜାରରୁ ଉର୍ଦ୍ଧ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୪୬ କୋଟି ୧୬ଲକ୍ଷ ୭୫ ହଜାରରୁ ଉର୍ଦ୍ଧ ସଂକ୍ରମିତ ଏହି ଜଟିଳ ବ୍ୟାଧିରୁ ଉପଶମ ହୋଇଛନ୍ତି । ଜଣେ ଜଣେ ବ୍ୟକ୍ତି ଏକାଧିକ ବାର ସଂକ୍ରମିତ ହେଉଥିବାର ଦେଖାଯାଉଛି । ପୃଥିବୀର ୨ୟ ଜନବହୁଳ ଦେଶ ଆମ ପ୍ରିୟ ଭାରତବର୍ଷରେ ଏହି ମହାମାରୀ ତାଣ୍ଡବ ରଚିଚାଲିଛି । ଆମ ଦେଶରେ ଏପର୍ଯ୍ୟନ୍ତ ୪ କୋଟି ୩୦ଲକ୍ଷ ୫୭ହଜାର ପାଖାପାଖି ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଥିବା ବେଳେ ୫ଲକ୍ଷ ୨୨ହଜାରରୁ ଉର୍ଦ୍ଧ ପିଡ଼ୀତଙ୍କ ପ୍ରାଣହାନି ଘଟିଛି । ୪କୋଟି ୨୫ଲକ୍ଷ ୧୯ହଜାରରୁ ଉର୍ଦ୍ଧ ସଂକ୍ରମିତ ଏଥିରୁ ଉପଶମ ଲାଭ କରିଥିବାର ତଥ୍ୟ କହୁଛି । ପୃଥିବୀର ସୁପର ପାୱାର ବୋଲାଉଥିବା ଆମେରିକାରେ ସର୍ବାଧିକ ୧୦ଲକ୍ଷ ୧୮ ହଜାରରୁ ଉର୍ଦ୍ଧ ଲୋକଙ୍କ ଏଥିରେ ଜୀବନହାନି ହୋଇଥିବା ବେଳେ ବ୍ରାଜିଲରେ ୬ଲକ୍ଷ ୬୨ ହଜାରରୁ ଉର୍ଦ୍ଧ, ଋଷିଆରେ ୩ଲକ୍ଷ ୭୪ହଜାରରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି ।
      ସୂଚନାଯୋଗ୍ୟ, ଏହି ମହାମାରୀ ଚୀନର ଉହାନ ସହରରୁ ପ୍ରଥମେ ଦେଖାଦେଇଥିଲା ବେଳେ ଏହାକୁ ସେଠାକାର ସରକାର ଗୋପନ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ଜାତିସଂଘର ସୂଚନା ଅନୁଯାୟୀ ଚୀନର ଉହାନରୁ ଏହା ୩୧/୧୨/୨୦୧୯ରେ ପ୍ରଥମେ ବ୍ୟାପିଥିଲା । ଡିସେମ୍ବର-୨୦୧୯ରେ ‘କରୋନା’ ଭୂତାଣୁ ଯୋଗୁ ଏହି ମହାମାରୀ ବ୍ୟାପିବା ଆରମ୍ଭ କରିଥିବାରୁ ଏହା ‘କୋଭିଡ-୧୯’ ନାମରେ ନାମିତ ହେଉଛି । ଭାରତରେ ଏହା ୩୦/୦୧/୨୦୨୦ରେ ପ୍ରଥମେ ବ୍ୟାପିବା ଆରମ୍ଭ କରିଥିଲା । କେରଳର ଥ୍ରିସୁରର ୦୩ଜଣ ଡ଼ାକ୍ତରୀ ଛାତ୍ର ଚୀନର ‘ଉହାନ’ ସହରରୁ ଫେରିବା ପରେ ସେମାନଙ୍କ ଠାରେ ପ୍ରଥମେ ଏହି ଲକ୍ଷଣ ଠାବ ହୋଇଥିଲା । ଏହା ପରେ ପରେ ଭାରତରେ କରୋନା ଚେନ ଡ଼େଇଁ ଡ଼େଇଁ ଚାଲିଲା । ଦେଶରେ ଏହି ରୋଗ ଏପରି ବ୍ୟାପି ଚାଲିଲା ଯେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏଥିଯୋଗୁ ସମସ୍ୟାରେ ପଡିଲେ । ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ୟାକୁ ଗମ୍ଭୀରତାର ସହ ନେଇ ତା. ୨୨/୦୩/୨୦୨୦ରେ ସାରା ଦେଶରେ ଜନତା କର୍ଫୁ ଘୋଷଣା କଲେ । ଏହା ପରଦିନ ୨୩/୦୩/୨୦୨୦ରେ ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ‘ଲକ୍‌ଡାଉନ’ ଘୋଷଣା କଲେ । ଏହା ପରେ ସାରା ଦେଶରେ ତା ୨୫/୦୩/୨୦୨୦ ଠାରୁ ‘ଲକ୍‌ଡ଼ାଉନ’ ଲାଗୁ ହେଲା । ପରିସ୍ଥିତି ଅଣାୟତ ହେବାରୁ ସଂପୂର୍ଣ୍ଣ ତାଲା ବନ୍ଦ ‘ସଟ୍‌ଡାଉନ’ ବି ମଝିରେ ମଝିରେ ବହୁବାର ଘୋଷଣା ହେଲା । ସରକାର, ପ୍ରଶାସନ ଆଦିମାନେ ବହୁ କଷ୍ଟ ସ୍ୱକାର କରି ଏହାକୁ ପାଳନ କରିବାରେ ଲାଗିପଡ଼ିଥିବା ବେଳେ ବହୁ ଜନସାଧାରଣ ଏଥିଯୋଗୁ ଏପରି ହଲାପଟା ହେଲେ ଯେ, ସେ ବିଷୟରେ ଚିନ୍ତା କଲେ ରୋମମୂଳ ଶିତେଇ ପଡ଼େ । ପୋଲିସ, ପ୍ରଶାସନ ଆଦି ଏପରି ଭାବେ ଜନସାଧାରଣଙ୍କୁ ବହୁ ସ୍ଥାନରେ ବ୍ୟବହାର କଲେ ଯେ, ତାହା ବ୍ରିଟିଶ ଜୁଲମ ଠାରୁ କୈାଣସି ମତେ କମ ନୁହେଁ ବୋଲି ଅନେକ କହନ୍ତି । ରୋଗର ନିଦାନ ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଲା । ଭାରତୀୟଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା କାରଣରୁ ମୃତାହତଙ୍କ ସଂଖ୍ୟା ପାଶ୍ଚାତ୍ୟ ଦେଶ ତୁଳନାରେ କମ ହେଲା । ୧ମ ଲହର ଠାରୁ ମାର୍ଚ୍ଚ-୨୦୨୧ରୁ ଆରମ୍ଭ ହୋଇଥିବା ୨ୟ ଲହର ଦେଶରେ ଭୟଙ୍କର ସମସ୍ୟା ସୃଷ୍ଟି କଲା । ମେଡିକାଲରେ ସିଟ୍‌ର ଅଭାବ, ଅକ୍ସିଜେନ ସିଲିଣ୍ଡରର ଅଭାବ, ବହୁ ଦରକାରୀ ଔଷଧପତ୍ର ଆଦିର ଘୋର ଅଭାବ ଦେଖାଦେଲା । ଏପ୍ରିଲ-୨୦୨୧ ଶେଷ ଭାଗରେ (୩୦/୦୪/୨୦୨୧ରେ) ଦେଶରେ ଗୋଟିଏ ଦିନରେ ରେକର୍ଡ଼ ୪ଲକ୍ଷ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇ ସାରା ବିଶ୍ୱରେ ଉଦାହରଣ ରଚିଲା! ସୈାଭାଗ୍ୟବଶତଃ, ଭାରତରେ ସଫଳତାର ସହ ୧୬/୦୧/୨୦୨୧ରୁ ଟୀକାକରଣ ଆରମ୍ଭ ହୋଇଥିଲା । ଟୀକାକରଣ ଯୋଗୁ ସମସ୍ୟା ଆସ୍ତେ ଆସ୍ତେ ହ୍ରାସ ପାଇବାରେ ଲାଗିଲା । ମାର୍ଚ୍ଚ-୨୦୨୨ ବେଳକୁ ଏହି ସମସ୍ୟା ବହୁ ମାତ୍ରାରେ କମିଗଲା । ୫୮.୮ ପ୍ରତିଶତ ଲୋକ ସଂପୂର୍ଣ୍ଣ ଟୀକାକରଣ (ଉଭୟ ଡୋଜ୍‌) ନେଇସାରିଥିବା ବେଳେ ୭୦% ଲୋକ ଅତିକମରେ ୧ମ ଡୋଜ୍ ନେଇସାରିଥିଲେ । ଦେଶରେ କୋଭିସିଲ୍ଡ, କୋଭାକ୍ସିନ୍‌, ସ୍ପୁଟନିକ ଆଦି ଟୀକା ଦିଆଯାଉଛି । ଦେଶରେ ୨୧/୧୦/୨୦୨୧ ସୁଦ୍ଧା ୧୦୦ କୋଟି ଡୋଜ୍ ଦିଆଯାଇଥିବା ବେଳେ ସମୁଦାୟ ଟୀକାକରଣ ପାଇଁ ଭାରତ ସରକାରଙ୍କ ଅଭିଯାନ ସାରା ବିଶ୍ୱରେ ବେଶ୍ ପ୍ରଶଂସନୀୟ ସାବ୍ୟସ୍ତ ହେଲା! ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଙ୍କ ଉଦ୍ୟମ ଏଥିପାଇଁ ବେଶ ଉଲ୍ଲେଖନୀୟ । ୦୮/୦୧/୨୦୨୨ ସୁଦ୍ଧା ଦେଶରେ ୧.୫ ବିଲିୟନ (୧୫୦ କୋଟି) ଡୋଜ୍ ଦିଆସରିଥିବା ବେଳେ ଏବେ ସୁଦ୍ଧା ଦେଶର ୮୪କୋଟି ୬୫ଲକ୍ଷରୁ ଉର୍ଦ୍ଧ ବ୍ୟକ୍ତି ସଂପୂର୍ଣ୍ଣ ଭାବେ ଟୀକା ନେଇସାରିଥିବାର ଜଣାଯାଇଛି । ଉଭୟ ଡୋଜ୍ ଟୀକା ନେବା ଫଳରେ ଦେଶରେ ଏବେ କରୋନା ନିୟନ୍ତ୍ରଣରେ ଥିବା ବେଳେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଥିବା କାରଣରୁ ଅନ୍ୟ ରୋଗ ଅପେକ୍ଷାକୃତ କମ ବ୍ୟାପୁଛି । ମେଡିସିନ ଦୋକାନରେ ଆଉ ଆଗ ଭଳି ବିକ୍ରିବଟା ନାହିଁ ବୋଲି ବହୁ ଦୋକାନୀ ‘ଉଦୟବଟ’କୁ କହିଛନ୍ତି । ଯାହାହେଉ ଏହି ସୂଚନା ଆମର ଆଶଙ୍କାକୁ ଅନେକାଂଶରେ ଲାଘବ କରିଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close