
ପେଟ ବାଟେ ମଳତ୍ୟାଗ କରୁଥିବା ବାଳକକୁ ଶିଶୁ ଭବନରେ ମିଳୁ ନାହିଁ ସ୍ୱାସ୍ଥ୍ୟସେବା
ଯାଜପୁର, ୨୯/୦୫ (ଉ.ନ୍ୟୁଜ୍ ବ୍ୟୁରୋ): ଜନ୍ମରୁ ପେଟ ବାଟେ କଣା କରାଯାଇ ମଳ ବାହାର କରାଯାଉଛି । ଏଭଳି ଅଦ୍ଭୁତ ଯନ୍ତ୍ରଣା ଦାୟକ ଜୀବନ ବିତାଉଛନ୍ତି ୧ ବର୍ଷ ୬ ମାସର ଶିଶୁପୁତ୍ର । ହେଲେ ଦୀର୍ଘଦିନ ହେଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତୋକତର ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ)ରେ ଏହି ଶିଶୁଙ୍କ ଅସ୍ତ୍ରୋପଚାର କରାଯାଉ ନାର୍ହି । ଗରୀବ ଦିନ ମଜୁରିଆ ଅନୁସୂଚନିତ ଜାତିର ପରିବାର ଏଥିପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଶିଶୁଟି ମଧ୍ୟ ବ୍ୟାପକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଧର୍ମଶାଳାର ଯୁବ ନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ ଏହି ଘଟଣାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ତୁରନ୍ତ ୨୪ ଘଂଟା ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରିଛନ୍ତି ।
ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଓଡିଶୋ ପଂଚାୟତର ଅର୍ତିଆକୁସୁନପୁର ଗ୍ରାମର ଜଗନ୍ନାଥ ମଳିକଙ୍କ ପୁଅ ଓମପ୍ରକାଶ ଜନ୍ମ ହେବାପରେ ତା’ର ମଳଦ୍ୱାରରେ ମଳତ୍ୟାଗ ସମ୍ବବ ହୋଇ ନ ଥିଲା । ଏହାପରେ ଓମପ୍ରକାଶଙ୍କୁ କଟକ ଶିଶୁ ଭବନ ନିଆଯିବା ପରେ ତାଙ୍କର ପେଟରେ ଗୋଟିଏ ଛୋଟିଆ କଣା କରାଯାଇ ସେହି ବାଟରେ ମଳତ୍ୟାଗ ବ୍ୟବସ୍ଥା କରାଯାଇ ଥିଲା । କିଛିଦିନ ପରେ ତାଙ୍କର ମଳଦ୍ୱାରରେ ମଳ ତ୍ୟାଗ ପାଇଁ ଆବଶ୍ୟକ ଅସ୍ତ୍ରୋପଚାର କରାଯିବ ବୋଲି ଶିଶୁ ଭବନ ତରଫରୁ ପରାମର୍ଶ ମଧ୍ୟ ଦିଆ ଯାଇଥିଲା । ବାପା ଜଗନ୍ନାଥ ବହୁବାର ନିଜର ଶିଶୁପୁତ୍ରକୁ ନେଇ କଟକର ଶିଶୁ ଭବନକୁ ଧାଁ ଧପଡ଼ କରିିବା ପରେ ମଧ୍ୟ ତାଙ୍କର ଅସ୍ତ୍ରୋପଚାର କରାଗଲା ନାହିଁ । ଏନେଇ ସତୀଶ ବିଶ୍ୱାଳଙ୍କୁ ସାକ୍ଷାତ ପରେ ସେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଗତ ୧୬ ମେ ମାସରେ ତାଙ୍କ ପୁଅର ଅସ୍ତ୍ରୋପଚାର ପାଇଁ ଶିଶୁ ଭବନରେ ଆଡମିଶନ ପାଇଁ ପରାମର୍ଶ ଦିଆ ଯାଇଥିଲା । ତଦନୁସାରେ ଅଦ୍ୟାବଧି ତାଙ୍କର ଅସ୍ତ୍ରୋପଚାର କରାଯାଉ ନ ଥିବା ବେଳେ ଆବଶ୍ୟକ ଚିକିତ୍ସା ସେବା ମଧ୍ୟ ମିଳୁନାହିଁ । ବର୍ଷେ ୬ ମାସର ଶିଶୁ ଏଥିପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଓ ଯନ୍ତ୍ରଣା ଭୋଗୁଛି । ଅପରପକ୍ଷରେ ତାଙ୍କର ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପୁଅ ପାଖରେ ଦୀର୍ଘଦିନ ହେଲା ରହି ମୁଲ ମଜୁରୀ ଲାଗି ନ ପାରି ଅଭାବ ଅନାଟନରେ ଜୀବନ ବିତାଉଛନ୍ତି । ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣରେ ଆଲୋଡ଼ନ ସୃଷ୍ଟି ହେଉଛି ।