ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ

ମହାରାଷ୍ଟ୍ର/ଦିଲ୍ଲୀ /ଭୁବନେଶ୍ୱର;୧୦/୧୦(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କର ବିୟୋଗ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ । ତାଙ୍କ ଭଳି ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ ।ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମାଝୀ ଶୋକବାର୍ତ୍ତାରେ କହିଛନ୍ତି ରତନ ଟାଟାଙ୍କ ଦେଶର ଶିଳ୍ପ ବିକାଶରେ ପ୍ରମୁଖ ଅବଦାନ ରହିଛି । ତାଙ୍କ ଆଦର୍ଶ ଓ କାର୍ଯ୍ୟାବଳୀ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । ଧର୍ମେନ୍ଦ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଭାରତ ନିର୍ମାଣର ଟାଇଟାନ୍ ଚାଲିଗଲେ । ସ୍ୱର୍ଗତ ରତନ ଟାଟା ସୁନାର ହୃଦୟର ମଣିଷ ଥିଲେ । ଦେଶର ଶିଳ୍ପ ବିକାଶ ଓ ସମାଜସେବାରେ ତାଙ୍କ ଯୋଗଦାନ ସବୁବେଳେ ମନେ ରହିବ । ସିଏ ଏପରି ଜଣେ ଶିଳ୍ପପତି ଯିଏ ସମାଜକୁ କିଛି ଦେବାରେ ବିଶ୍ୱାସ କରୁଥିଲେ । କୋଟି କୋଟି ଯୁବକଙ୍କୁ ସେ ସର୍ବଦା ପ୍ରେରଣା ଦାୟୀ ହୋଇ ରହିବେ । ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ପ୍ରଧାନ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ସମଗ୍ର ଦେଶ ମା’ ଦୁର୍ଗାଙ୍କ ପୂଜା ପାଇଁ ଉତ୍ସବମୁଖର । ଅଚାନକ ପଦ୍ମବିଭୂଷଣ ରତନ ନଭଲ ଟାଟାଙ୍କ ପରଲୋକ ଖବର ପାଇ ରାଜନୈତିକ ମହଲ, ଖେଳ ଦୁନିଆ, ବଲିଉଡ, ଉଦ୍ୟୋଗ ଜଗତ ସବୁଠି ଶୋକର ଛାୟା ।
ସକାଳର ଚା କପ୍ ହେଉ ଅବା ବିମାନ ଯାତ୍ରା, ଭାତ ଥାଳିର ଲୁଣ ହେଉ ଅବା ସୁଉଚ୍ଚ ଅଟ୍ଟାଳିକା ଓ ସୁଦୀର୍ଘ ସଡ଼କ ନିର୍ମାଣ, ସବୁଥିରେ ଟାଟା ନାମ ସ୍ୱତଃ ଆସିଯାଇଥାଏ । ଏ ସବୁ ପାଇଁ ରତନ ଟାଟାଙ୍କର ଯେ ହାତ ରହିଛି, ତାହା କେହି ଟାଳିପାରିବେ ନାହିଁ । ଦୁଇ ଦିନ ତଳେ ରତନ ଟାଟା ଅସୁସ୍ଥ ହୋଇପଡ଼ିଥିଲେ । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସପିଟାଲକୁ ଆସିଥିଲେ । ପରେ ସେ ନିଜେ ପ୍ରତିକ୍ରିୟା ରଖି କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ହସ୍ପିଟାଲ ଆସିଥିଲେ । କିନ୍ତୁ ପରେ ଅଚାନକ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଟାଟା ଷ୍ଟିଲ୍‌ରେ ରତନ ଯୋଗଦେଇ ନିଜ ବିଚକ୍ଷଣତାର ପ୍ରମାଣ ଦେଇଥିଲେ। ପରେ ରତନ ଜେ.ଆର୍‌.ଡି. ଟାଟାଙ୍କ ଉତ୍ତରାଧିକାରୀ ହୋଇ ଟାଟା ସନ୍ସ ଅଧ୍ୟକ୍ଷ ଭାବେ ୧୯୯୧ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ରତନଙ୍କ ଅଧ୍ୟକ୍ଷତା ବେଳେ ଟାଟା ଗ୍ରୁପ୍‌ ଟେଟ୍‌ଲେ, ଜାଗୁଆର ଲ୍ୟାଣ୍ଡ ରୋଭର ଓ କୋରସ୍‌ ଭଳି ବ୍ୟବସାୟିକ ପ୍ରତିଷ୍ଠାନକୁ ଅଧିଗ୍ରହଣ କରାଯାଇଥିଲା। ପୂର୍ବରୁ ଟାଟା ଗ୍ରୁପ୍‌ର ବ୍ୟବସାୟିକ ସାମ୍ରାଜ୍ୟ ଭାରତରେ ସୀମିତ ଥିବାବେଳେ ରତନଙ୍କ ନେତୃତ୍ୱରେ ଏହା ଏକ ବୈଶ୍ୱିକ ପ୍ରତିଷ୍ଠାନରେ ପରିଣତ ହୋଇଥିଲା। ଟାଟା ଗ୍ରୁପ୍‌ ନିଜ ଆୟର ୬୦ରୁ ୬୫% ଦାତବ୍ୟ ଅନୁଷ୍ଠାନଗୁଡ଼ିକୁ ଦାନ କରି ବିଶ୍ୱର ଅନ୍ୟତମ ବୃହତ୍‌ ଫିଲାନ୍‌ଥ୍ରୋପିଷ୍ଟ ହେବାର ସୌଭାଗ୍ୟ ଅର୍ଜନ କରିଛି। ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ରତନ ଜଣେ ସଫଳ ଇନ୍‌ଭେଷ୍ଟର ମଧ୍ୟ ଥିଲେ। ସେ ଅନେକ ସଂସ୍ଥାରେ ପୁଞ୍ଜିନିବେଶ କରିବା ସହ ବହୁ ଷ୍ଟାର୍ଟଅପ୍‌ଙ୍କୁ ସୃଷ୍ଟି କରିଥିଲେ। କୋର୍ନେଲରେ ଅଧ୍ୟୟନ ବେଳେ ରତନ ଆଲ୍‌ଫା ସିଗ୍‌ମା ଫି ଫ୍ରାଟର୍ନିଟିର ସଦସ୍ୟ ହୋଇଥିଲେ। ୨୦୦୮ରେ ସେ କୋର୍ନେଲ ୟୁନିଭର୍ସିଟିକୁ ୫୦ ନିୟୁତ ଡଲାର ଦାନ କରି ବିଶ୍ୱବିଦ୍ୟାଳୟର ସବୁଠୁ ବଡ଼ ଅନ୍ତର୍ଜାତୀୟ ଦାତା ହୋଇଥିଲେ। ୨୦୧୦ରେ ଟାଟା ଗ୍ରୁପ୍‌ କମ୍ପାନୀ ସମୂହ ଓ ଟାଟା ଚାରିଟିଜ୍‌ ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲ୍‌ରେ ଏକ ଏକ୍‌ଜିକ୍ୟୁଟିଭ୍‌ ସେଣ୍ଟର ପ୍ରତିଷ୍ଠା ପାଇଁ ୫୦ ନିୟୁତ ଡଲାର ଦାନ କରିଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close