ଦୀର୍ଘ ୦୬ ଘଂଟା ପାଖାପାଖି ଚୋରଦା ସେକ୍ସନରେ ବିଦ୍ୟୁତ୍ କାଟ, ଉପଭୋକ୍ତା ହନ୍ତସନ୍ତ
ବ୍ୟାସନଗର,୦୪ା୭(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ଦିନ ପ୍ରାୟ ୨ଟା ୩୦ମି ପାଖାପାଖି ସମୟରୁ ଯାଜପୁରରୋଡ ବିଦ୍ୟୁତ୍ ଡିଭିଜନ ଅର୍ନ୍ତଗତ ଚୋରଦା ସେକ୍ସନରେ ବିଜୁଳି କାଟ ହେବା ଫଳରେ ଅଦ୍ୟାବଧି ରାତ୍ର ୦୮ଟା ୩୦ମି ପର୍ଯ୍ୟନ୍ତ ଲାଇନ ଆସି ନ ଥିବାରୁ ଉପଭୋକ୍ତାମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି । ରାସ୍ତାଘାଟ ସବୁ ଅନ୍ଧକାରମୟ ହୋଇଛି । ବିଜୁଳି କାଟ ସଂର୍ପକରେ ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ତୃଟି (ମେଜର ଫଲ୍ଟ) ପାଇଁ ଲାଇନ କଟିଛି । ଆଉ ଅଳ୍ପ ସମୟ ୨୦ରୁ ୩୦ ମିନିଟ୍ ସମୟ ମଧ୍ୟରେ ବିଜୁଳି ଆସିଯିବ । ଏହି ବିଜୁଳି କାଟ ଯୋଗୁ ସାପଗଡିଆ, ସବରେଜେଷ୍ଟ୍ରି ଅଫିସ ପାଖ, କହ୍ନେଇପୁର, ପଦ୍ମପୁର, ପ୍ରିୟଦର୍ଶୀନି ରୋଡ ଆଦି ବିସ୍ତିର୍ଣ୍ଣ ଇଲାକା ପ୍ରାୟ ୬ ଘଂଟା ହେଲା ଅନ୍ଧକାରମୟ ଅଛି । ଏପର୍ଯ୍ୟନ୍ତ ତ୍ରୃଟି କେଉଁଠି ଘଟିଛି ତାହାକୁ ଧରି ପାରି ନ ଥିବା ଜଣାଯାଇଛି । ସାପଗଡିଆ ଅଂଚଳରେ ଏହି ତ୍ରୃଟି ଘଟିଥିବା କୁହାଯାଉଛି । ପଳତଃ ବିଜୁଳି ଯୋଗାଣ ବ୍ୟାହାତ ହେବାରେ ଲାଗିଛି । ବର୍ଷ ବର୍ଷ ଧରି ‘ସିଷ୍ଟମ ଡେଭେଳପ୍ମେଂଟ’ ନାଁରେ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ଏଠାରେ ବିଦ୍ୟୁତ୍ ସଂସ୍କାର ହେବା ଭଳି ଲାଗୁ ନାହିଁ । ଅଧିକାରୀମାନେ ତଳିଆ କର୍ମଚାରୀଙ୍କ ଉପରେ ବହୁ କିଛି ଦାୟିତ୍ୱ ଛାଡି ଦେଇ ନିୟମିତ ଲାଇନ ତଦାରଖ ନ କରିବା ଫଳରେ ବାରମ୍ବାର ଏପରି ତୃଟି ଘଟୁଛି ବୋଲି ଅଭିଯୋଗ ହେଉଛି । ବିଦ୍ୟୁତ୍ ଯୋଗାଣ ଅଂଚଳକୁ ଛୋଟ ଛୋଟ ପ୍ୟାଚ୍ରେ ବିଭକ୍ତ ନ କରିବା ଫଳରେ ଗୋଟିଏ ଜାଗାରେ ତ୍ରୃଟି ଘଟିଲେ ବିରାଟ ଅଂଚଳ ଏଥିପାଇଁ ପ୍ରଭାବିତ ହେଉଛି । ଯାହାହେଉ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ କହିବା ମୁତାବକ ରାତ୍ର ୮ଟା ୩୫ ମି. ସମୟରୁ ବିଜୁଳି ଚଳାଚଳ ସ୍ୱାଭାବିକ ହୋଇଛି ।