ମହାରାଷ୍ଟ୍ର ‘ରାଜୁରି ଷ୍ଟିଲ’ ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ, ୧ ଆହତ ଘଟଣାର ତଦନ୍ତ ଦାବୀ କଲେ ସାମାଜିକ କର୍ମୀ

ବ୍ୟାସନଗର,୨୫/୬: ମହାରାଷ୍ଟ୍ରର ଜଲ୍‌ନା ଜିଲାର ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ ତରଳ ଷ୍ଟିଲ ଫର୍ନେସର ଉତପ୍ତ ମୋଲ୍ଡରେ ତା. ୧୯/୬ ଦିବା ପ୍ରାୟ ୧୧ଟା ୩୦ମି. ସମୟରେ ହଠାତ୍ ବିଷ୍ଫୋରଣ ଘଟିବାରୁ ସେଠାରେ କାମ କରୁଥିବା ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ବଡବିରୁଆଁ ଗ୍ରାମର ଗ୍ରାମର ଜଟାଝାରୀ ପଲେଇଙ୍କ ପୁଅ ହେମନ୍ତ(୨୬)ଙ୍କ ରାତ୍ର ୩ଟା ୩୦ମି ସମୟରେ ଓ ବେଣୁଧର କବିଙ୍କ ପୁଅ ସରୋଜଙ୍କ ୨୦/୬ ଦିନ ୩ଟା ପାଖାପାଖି ସମୟରେ କାରଖାନା ଠାରୁ ୬୦ କି.ମି ଦୂର ଔରଙ୍ଗାବାଦ ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଜଣାଯାଇଛି । ଏଥିରେ ହେମନ୍ତଙ୍କ ମଝିଆ ଭାଇ ପ୍ରଶାନ୍ତ ମଧ୍ୟ ଗୁରୁତର ହୋଇଥିଲେ । ମୃତ ୨ ଶ୍ରମିକ, ଆହତଙ୍କ ସମେତ ବଡ଼ବିରୁଆଁରୁ ଯାଇଥିବା ସମସ୍ତ ଶ୍ରମିକ ଶବ ସହ ଘରକୁ ଫେରିଛନ୍ତି । ଗ୍ରାମରେ ଶୋକାକୂଳ ପରିବେଶରେ ମୃତକଙ୍କ ଶବ ସତ୍କାର କରାଯାଇଛି । ହେଲେ ଗତ କାଲି ପୁଣି ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଔରଙ୍ଗାବାଦ ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ମୃତ୍ୟୁ ହୋଇଛି । ତାଙ୍କ ନାମ ଭରତ ସେଠୀ (୩୦ ବର୍ଷ) ବୋଲି ଓ ସେ ଯାଜପୁରର ମଂଗଳପୁର ଅଂଚଳର ବୋଲି ଶ୍ରମିକ ଯୋଗାଣକାରୀ ‘ବାବୁଲି ବାଇ’ ଯାଜପୁରରୋଡ ଯୁଗ୍ମ ଶ୍ରମ କମିଶନରଙ୍କୁ କହିଥିବାର ଜଣାଯାଇଛି । ବିନା ଆନ୍ତଃରାଜ୍ୟ ଶ୍ରମିକ ଲାଇସେନ୍ସ(ଆଇ.ଏସ.ଏମ.ଡବ୍ଲ୍ୟୁ)ରେ ଯାଜପୁର ମଂଗଳପୁରର କୋତପୁର ଗ୍ରାମର ବାବୁଲି ବାଇ ଏହି କାରଖାନାକୁ ରୀତିମତ ଶ୍ରମିକ ଯୋଗାଣ କରିଆସୁଥିଲା ବୋଲି ଜଣାଯାଇଛି । ସେ ୫୦ରୁ ଉର୍ଦ୍ଧ ଶ୍ରମିକଙ୍କୁ ଏପରି ଭାବେ ଖୁଲମଖୋଲା କମ୍ପାନୀ ହାତରେ ଟେକିଦେଇ ଭଲ ରୋଜଗାର କରୁଥିଲା ବୋଲି ସଫେଇ ଦେଇଥିବା ବେଳେ ପ୍ରକୃତ ପକ୍ଷେ ସେ ଶହ ଶହ ଶ୍ରମିକଙ୍କୁ ଏଠାରୁ ନେଇ କାରଖାନାରେ ଅତୀବ ବିପଦ ସଙ୍କୁଳ ସ୍ଥାନରେ ୧୨ ଘଂଟିଆ ଡ଼୍ୟୁଟିରେ ଖଟାଉଛି । ସପ୍ତାହ ଶେଷରେ ଛୁଟି ଦିଆଯାଏ ନାହିଁ । ତେଣୁ ଏଠାରେ ମାସ ତମାମ ବିନା ଛୁଟିରେ ଶ୍ରମିକମାନେ ବିପଦଶଙ୍କୁଳ ସ୍ଥାନ ଫର୍ନେସର ‘ମୋଲ୍ଡ’ ନିକଟରେ ୧୬୦୦ରୁ ୧୭୦୦ ଡିଗ୍ରୀ ତାପମାତ୍ରାରେ ସେଭଳି କୈାଣସି ସେପ୍ଟି ପୋଷାକ ପରିଧାନ ନ କରି କାମ କରୁଥିଲେ । ୦୨ଟି ସିପ୍ଟରେ ସେମାନେ କାମ କରୁଥିଲେ । ସକାଳ ୮ରୁ ରାତ୍ର ୮ ଏବଂ ରାତ୍ର ୮ରୁ ସକାଳ ୮ ଏପରି ୧୨ ଘଂଟିଆ ସିପ୍ଟ ଡ୍ୟୁଟି ସେମାନେ କରୁଥିଲେ । ଯଦି ଆଉ ଜଣେ ଶ୍ରମିକ ନ ଆସେ ତେବେ ଜଣଙ୍କୁ ସେହି ବିପଦପୂର୍ଣ୍ଣ ସ୍ଥାନରେ କ୍ରମାଗତ ୨୪ ଘଂଟା କିମ୍ବା ୩୬ ଘଂଟା….. ଏପରି ଭାବେ ନନ୍ ଷ୍ଟପ୍ କାମ କରିବାକୁ ହୋଇଥାଏ । ଏଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଇ.ପି.ଏଫ ଏବଂ ଇ.ଏସ.ଆଇ ବ୍ୟବସ୍ଥାରେ କ୍ୱଚିତ୍ ସାମିଲ କରାଯାଇଥାଏ । ମୃତ ସରୋଜ ଓ ହେମନ୍ତ କାରଖାନାରେ ଦୀର୍ଘଦିନ ଧରି କାମ କରିଥିଲେ ହେଁ ଇ.ପି.ଏଫ ଏବଂ ଇ.ଏସ.ଆଇ ଯୋଜନାରେ ସେମାନେ ସାମିଲ ନ ଥିଲେ । ମୃତ ଭରତ ଏହି ଯୋଜନାରେ ସାମିଲ ଥିଲା କି ନ ଥିଲା ଜଣାପଡ଼ି ନାହିଁ । ଷ୍ଟିଲ କାରଖାନା ଏକ ବିପଦପୂର୍ଣ୍ଣ ସ୍ଥାନ । ଏଥିରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀ ଇ.ପି.ଏଫ ଏବଂ ଇ.ଏସ.ଆଇ ଯୋଜନାରେ ସାମିଲ ନ ଥିଲେ ଉଭୟ କାରଖାନାର ମାଲିକ ଓ ଠିକାଦାର ଦଣ୍ଡିତ ହେବାର କଠୋର ନିୟମ ରହିଛି । ତେଣୁ କିପରି ଏହି ଜରୁରୀ ଆଇନକୁ ଲାଗୁ ନ କରି ଶ୍ରମିକମାନଙ୍କୁ ନିଆଁକୁ ଠେଲି କମ୍ପାନୀ ତା’ର ନିଜ ଫାଇଦାରେ ବ୍ୟଗ୍ର ଥିଲା ତାହା ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି ଆରୋପ କରିଛନ୍ତି ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ । କମ୍ପାନୀ ତା’ର ନିଯୁକ୍ତିଦାତା ଆନ୍ତଃରାଜ୍ୟ ଶ୍ରମ ଲାଇସେନ୍ସ ବଳରେ ଶ୍ରୀ ବାଇ ମହାରାଷ୍ଟ୍ରରୁ ଏବଂ ଶ୍ରମିକ ଯାଉଥିବା ଓଡିଶା ରାଜ୍ୟର ସଂପୃକ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଆଇ.ଏସ.ଏମ.ଡବ୍ଲ୍ୟୁ ଏପରି ୦୨ଟି ଲାଇସେନ୍ସ ନେବାର ଆବଶ୍ୟକତା ଥିଲା । ମାତ୍ର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ସେ ଏସବୁ କିଛି କାଗଜାଦି ହାସଲ ନ କରି ଖୁଲମଖୋଲା ଶ୍ରମିକ ଚାଲାଣ କରି ମାଲେମାଲ ହେଉଥିବା ବେଳେ ଶ୍ରମିକମାନଙ୍କୁ ମାଲିକଙ୍କ ପାଖରେ ମୁଣ୍ଡ ବିକ୍ରି ଭଳି ରଖିଥିଲା । ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ନେଉଥିବା ସମୟରେ ସେ ଅଧମାସର ‘ଡିସପ୍ଲେସମେଂଟ ଆଲାଉନ୍ସ’ ଶ୍ରମିକଙ୍କ ଘରେ ପ୍ରଥମେ ଦେଇ ସେ ସେମାନଙ୍କୁ ନେବା କଥା । ମାତ୍ର ସେ ଏହାକୁ କାହାରିକୁ ଦେଉ ନ ଥିବା ଜଣାଯାଇଛି । ମହାରାଷ୍ଟ୍ର ଭଳି ସମୃଦ୍ଧ ଓ ସଚେତନ ରାଜ୍ୟରେ ବହୁ ଷ୍ଟିଲ ଓ ଅନ୍ୟ କାରଖାନାମାନେ ରାଜ୍ୟ ବାହାରୁ ବହୁ ସଂଖ୍ୟକ ଗରୀବ ଶ୍ରମିକମାନଙ୍କୁ ଦଲାଲମାନଙ୍କ ସହଯୋଗରେ ଆଣି ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟକୁ ବୁଡାଇବାର ସୁବନ୍ଦୋବସ୍ତ କରିଛନ୍ତି । କରୋନା ଜନିତ ୧ମ ଲହର ଲକ୍‌ଡ଼ାଉନ ସମୟରେ ପ୍ରାୟ ସମସ୍ତ ଶ୍ରମିକ ଓଡ଼ିଶା ଫେରିଥିଲେ । ହେଲେ ଶ୍ରୀ ବାଇ ବାରବାର ଫୋନ କରି କାମକୁ ଆସିବାକୁ ଡାକିବା ଫଳରେ ଗତ ଅଗଷ୍ଟ,୨୦୨୦ରେ ଶ୍ରମିକମାନେ ପୁଣି ମହାରାଷ୍ଟ୍ର ଯାଇଥିଲେ । ମହାରାଷ୍ଟ୍ରର ଶିବସେନା ମେଂଟ ସରକାର ଅତି ଆବଶ୍ୟକୀୟ ଶ୍ରମ ଆଇନଗୁଡିକୁ ଲାଗୁ କରିବାରେ ପଛଘୁଂଚା ଦେଇ କାରଖାନାମାନଙ୍କ ଠାରୁ ଅଯାଚିତ ଫାଇଦା ନେବାରେ ମାହିର ସାଜିଛନ୍ତି ବୋଲି କହିଛନ୍ତି ଶ୍ରୀ ରାଉତ । ବିନା ପ୍ରମାଣପତ୍ର, କାଗଜପତ୍ରରେ କିପରି କାରଖାନାରେ କାମ କରୁଛନ୍ତି ଶ୍ରମିକମାନେ! ସେଠାକାର ଶ୍ରମ ବିଭାଗ କ’ଣ ଏସବୁ ଆଇନ କାନୁନ ପ୍ରତି ଆଖିବୁଜି ଦେଇଛି? ଏଭଳି ବହୁ ଅନିୟମିତତା ଉପରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାମାଜିକ କର୍ମୀ ଶ୍ରୀ ରାଉତ ଯାଜପୁରରୋଡ ସ୍ଥିତ ଯାଜପୁରର ଯୁଗ୍ମ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରି ଅନୁରୋଧ କରିଛନ୍ତି । ଏହି ସମୟରେ ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ଚିତରଂଜନ ରାଉତ ଉପସ୍ଥିତ ଥିଲେ । ଏହି ପତ୍ରକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଶ୍ରମ ମନ୍ତ୍ରୀଙ୍କ ପି.ଏସ ପ୍ରଦୀପ କୁମାର ରାଉତ, ଶ୍ରମ କମିଶନର ତିରୁମାଳା ନାଏକ, ଶ୍ରମ ଓ ଇ.ଏସ.ଆଇ ବିଭାଗର ପ୍ରମୁଖ ସଚିବ ଚିଥ୍ରା ଅରୁମୁଗମ୍‌, ଯାଜପୁର ଜିଲ୍ଲାପାଳ, ଏସ.ପି, କଳିଙ୍ଗନଗର ଏ.ଡି.ଏମ ପ୍ରମୁଖଙ୍କୁ ସେ ଇ-ମେଲ ଯୋଗେ ପ୍ରେରଣ କରି ଶ୍ରମିକମାନଙ୍କ ସୁରକ୍ଷା, ଉପଯୁକ୍ତ କ୍ଷତିପୂରଣ ଆଦି ଦାବୀ କରିଛନ୍ତି । ଘଟଣା ଘଟିବା ପରେ ପରେ ଶ୍ରୀ ରାଉତ ଜେ.ଏଲ.ସି ଶ୍ରୀ ମହାପାତ୍ର, ଡି.ଏଲ.ଓ ସନ୍ତୋଷ କୁମାର ମହାନ୍ତି, ଏ.ଏଲ.ଓ ଶ୍ରୀ ରାଉତ ପ୍ରମୁଖଙ୍କୁ ଯୋଗାଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସଂଗେ ସଂଗେ ଆବଶ୍ୟକୀୟ ସୂଚନା ପ୍ରଦାନ କରିଆସୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close