ଯୋକଡିଆ ବ୍ୟାରେଜ ନିକଟରେ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ
ଯାଜପୁର, ୨୦/୧୦ (ସନ୍ତୋଷ ରଥଙ୍କ ଠାରୁ): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଯୋକଡିଆ ବ୍ୟାରେଜ ନିକଟରେ ଗତକାଲି ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ମୁତାବକ ଗତକାଲି ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ ଦେଖିଥିଲେ। ପରେ ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଚାର ହୋଇଯାଇଥିଲା। କୁମ୍ଭୀରକୁ ଦେଖିବାକୁ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ। ପାଖାପାଖି ୫ ଫୁଟ ଲମ୍ବର ଏହି କୁମ୍ଭୀରଟି ବହୁ ସମୟ ଧରି ନଦୀ କୂଳରେ ରହିଥିଲା। ପରେ ଖବର ପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ କୁମ୍ଭୀରଟି ନଦୀ ଭିତରକୁ ଚାଲିଯାଇଥିଲା। ତେବେ କୁମ୍ଭୀରକୁ କାବୁ କରା ନ ଯିବା ପର୍ୟ୍ୟନ୍ତ ସ୍ଥାନୀୟ ଲୋକେ ନଦୀ କୂଳକୁ ନ ଯିବା ପାଇଁ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ସେପଟେ କୁମ୍ଭୀରକୁ କାବୁ କରିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଯାଜପୁରରୋଡ଼ ରେଞ୍ଜର ସୂଚନା ଦେଇଛନ୍ତି।