କୁଆଖିଆରେ କୋଚିଂ ସେଂଟର ମାଲିକଙ୍କ ବିଷ ପାନ କରି ଆତ୍ମହତ୍ୟା
ଋସୁଲପୁର, ୧୭/୧୦(ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅର୍ନ୍ତଗତ ଗରିପୁର ଠାରେ ୩-୪ବର୍ଷ ତଳୁ କୋଚିଂ ସେଂଟର କରି ପରିବାର ପ୍ରତିପୋଷଣ କରୁଥିବା ସୁରେନ୍ଦ୍ର କୁମାର ପାତ୍ର ଓରଫ କୁନା (୩୦ ବର୍ଷ) ଥିମେଟ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା କୁଆଖିଆ ଓ ଆଖପାଖ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ସ୍ଥାନୀୟ ବାହାଦଲପୁର ପଂଚାୟତର ମହମ୍ମଦପୁର ଗ୍ରାମର ବଙ୍କା ପାତ୍ରଙ୍କ ପୁଅ ସୁରେନ୍ଦ୍ର କଟକର ରେଭେନ୍ସା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୦୩ ବିଜ୍ଞାନ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଅଧିନରେ ଦୂର ଶିକ୍ଷା ଜରିଆରେ ବି.ଇ.ଡି କରୁଥିଲେ । ସେ ଗରିପୁରରେ କୋଚିଂ ସେଂଟର କରି ୫-୬ଜଣ ଟ୍ୟୁଟର ରଖି ସଂସ୍ଥା ଚଳାଇ ନିଜେ ପ୍ରତିପୋଷିତ ହେବା ସହ ସେମାନଙ୍କୁ ଦରମା ପ୍ରଦାନ କରିଆସୁଥିଲେ । ତାଙ୍କ କୋଚିଂ ସେଂଟରରେ ୧୦୦ରୁ ୧୫୦ ଜଣ ଛାତ୍ରଛାତ୍ରୀ କୋଚିଂ ନେଉଥିଲେ । ହେଲେ କରୋନା କଟକଣା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ କୋଚିଂ ସେଂଟରଟି ଏକ ପ୍ରକାରର ବନ୍ଦ ରହିଥିଲା । ଘରଭଡା, ଷ୍ଟାଫ୍ ପେମେଂଟ ଆଦି ବାକି ପଡିଥିଲା । ବହୁ ବାକିବୁକର ଓ ହାତ ଉଧାରି ବି ହୋଇ ଯାଇଥିବାର କୁହାଯାଉଛି । ସେଥିପାଇଁ କିଛି ଦିନ ହେଲାଣି ସେ ଚାପରେ ଥିଲେ । ସେ ଦୁଭାର୍ଗ୍ୟଜନକ ଭାବେ ଗତ କାଳି ରାତ୍ରୀ ପ୍ରାୟ ୧୧ଟା ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଥିମେଟ ଭଳି ମାରାତ୍ମକ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଜାଣି ତାଙ୍କୁ ପ୍ରଥମେ ନିକଟସ୍ଥ ମଧୂବନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କୁ ଚିକିତ୍ସା ନ କରି ଫେରାଇ ଦେବା ପରେ ତାଙ୍କୁ ଯାଜପୁର ଜିଲ୍ଲା ମେଡିକାଲକୁ ନିଆଯାଇଥିଲା । ସେଠାରେ ରାତ୍ର ପ୍ରାୟ ୧ଟା ପାଖାପାଖି ତାଙ୍କର ମୃତ୍ୟୁ ଘଟିଥିଲା । ଖବର ଆଜି ସକାଳେ ପ୍ରଚାରିତ ହେବା ପରେ ବାହାଦଲାପୁର ପଂଚାୟତ ସମେତ କୁଆଖିଆ ବଜାରରରେ ଶୋକର ଛାୟା ଖେଳି ଯାଇଛି । ବାହାଦଲାପୁର ସରପଂଚ ମାମି ମହାନ୍ତି, ପୂର୍ବତନ ସରପଂଚ ପଦ୍ମନାଭ ବାଭି, ଶିଶିର ମହାନ୍ତି, ଚନ୍ଦ୍ରଶେଖର ନାୟକ, ନିରଞ୍ଜନ ସାହୁ, ଶିକ୍ଷକ ଅନନ୍ତ ଚରଣ ସାହୁ ପ୍ରମୁଖ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଜଣେ ଶିକ୍ଷିତ, ଯୁବ ସମାଜସେବୀ ଓ ରୋଜଗାରିଆ ପୁଅକୁ ହରାଇ ପରିବାର ହତବାକ ହୋଇ ଯାଇଛି ଓ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ତାଙ୍କ ଗ୍ରାମ ମହମ୍ମଦନଗର ସମେତ କୁଆଖିଆର ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । କୁଆଖିଆ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ଦାୟର କରି ତଦନ୍ତ ଚଳାଇଥିବାର ଜଣାଯାଇଛି । ଆଜି ଦିନ ୦୨ଟା ପାଖାପାଖି ଶବ ବ୍ୟବଚ୍ଚେଦ ପରେ ତାଙ୍କ ମରଶରୀର ଗାଁରେ ଆସି ସକାôର ପାଇଁ ପହଂଚିବା ପରେ ଗାଁ ପରିବେଶ ଶୋକାକୂଳ ହୋଇଛି ।