ପଟୁଣିଆରେ ୩୯ତମ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ
ଧର୍ମଶାଳା,୨୪/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପଟୁଣିଆ ଗ୍ରାମ ପଂଚାୟତର ପଟୁଣିଆ ଠାରେ ମା’ ଗଜଲକ୍ଷ୍ମୀଙ୍କ ୩୯ତମ ବାର୍ଷିକ ପୂଜା ଚଳିତ ବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି । ପଟୁଣିଆ ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ବହୁ ବ୍ୟକ୍ତି ବିଶେଷ ଏହି ପୂଜା କାର୍ଯ୍ୟକ୍ରମକୁ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଛିନ୍ତି । ଗ୍ରାମ କମିଟିର ବରିଷ୍ଠ କାର୍ଯ୍ୟକର୍ତା କାହ୍ନୁ ଚରଣ ସାମଲ, ପ୍ରତାପ ଚନ୍ଦ୍ର ରାଉତ, ପ୍ରହ୍ଲାଦ କୁମାର ସାମଲ, ସନ୍ତୋଷ କୁମାର ସାମଲ, ହେମନ୍ତ କୁମାର ରାଉତ, ସନାତନ ସାମଲ, ତ୍ରିଲୋଚନ ବଳିଆର, ବଟକୃଷ୍ଣ ରାଉତ, ଫକୀର କରଣ, ରମେଶ ଚନ୍ଦ୍ର ସାମଲ, ପଂଚାୟତ ସମିତି ସଭ୍ୟ ଦିପ୍ତୀରଞ୍ଜନ ସାମଲ(କୁନା)ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଓ ଶ୍ରଦ୍ଧାଳୁ ପୂଜା କାର୍ଯ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକୁ ସୁପରିଚାଳନା କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା- ଘୋଡ଼ାନାଚ, ନୃତ୍ୟ, ଭଜନ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିନରେ ଅତିଥି ଭାବରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ), ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁତ୍ର ତଥା ବିଜେଡ଼ି ନେତା କ୍ୟାପଟେନ୍ ରାଜ ନାରାୟଣ ମହାପାତ୍ର, ସମାଜସେବିକା ସ୍ନେହଲତା ମହାପାତ୍ର ପ୍ରମୁଖ । ପୂଜାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ଦୋକାନ ବଜାର ଷ୍ଟଲ୍, ମୀନା ବଜାର ସାଙ୍ଗକୁ ୩ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଖପାଖ ବହୁ ଗ୍ରାମର ଶ୍ରଦ୍ଧାଳୁ, ଛାତ୍ରଛାତ୍ରୀ, ଦର୍ଶକ ଆଦି ପୂଜାକୁ ଦେଖିବା ସହ ମୀନା ବଜାର, ସାଂସ୍କୃତକି କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ । ବାତ୍ୟା ‘ଦାନା’ର ପ୍ରଭାବ ପାଇଁ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଏହି ପୂଜାକୁ ଚଳିତ ଥର ସଙ୍କୁଚିତ କରାଯାଇ ୨୩/୧୦ରେ ପୂର୍ଣ୍ଣାହୁତି ଦିଆଯାଇଛି ।